ଓଡିଶାଲାଇଭ୍ ବ୍ୟୁରୋ

ଏବେ ଚର୍ଚ୍ଚାରେ ସ୍ଵେଚ୍ଛାସେବୀ ଆଦିତ୍ୟଙ୍କର ସୁଇସାଇଡ୍ ନୋଟ୍। ୨୦୧୯ ମସିହାର ଏକ ଡାଏରୀର ୪ ପୃଷ୍ଠା ସମ୍ବଳିତ ଏକ ସୁଇସାଇଡାଲ ନୋଟ ପୋଲିସ ଜବତ କରିଛି। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଏହି ଡାଏରୀ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବ ବୋଲି କୁହାଯାଉଛି।ଡାଏରୀର ପ୍ରଥମ ପୃଷ୍ଠାରେ ଲେଖାଯାଇଛି, ପ୍ରିୟ ପପୁ, ବିକାଶ ଏବଂ ପିପୁଲ ଫର ସେବାର ଅନ୍ୟ ସଦସ୍ୟମାନେ। ମୃତ୍ୟୁ କେତେବେଳେ କେଉଁ ବାଟରେ ଆସି କାହା ପାଖରେ ପହଞ୍ଚିଯାଏ ସେକଥା କେହି ବି ଜାଣି ନାହାନ୍ତି। ଆଜି ଠିକ୍ ସେମିତି ମୋ ପାଖରେ ମୃତ୍ୟୁ ଉପସ୍ଥିତ। ମୋର ବି ବୋଧେ ଶେଷ ସମୟ ଆସିଯାଇଛି।CGU newସେ ଆହୁରି ଲେଖିଛନ୍ତି, ବୃଦ୍ଧାଶ୍ରମ ପାଇଁ ନିଜର ଗୋଟେ ଘର କରିବି ବୋଲି ଆଶା କରିଥିଲି। କିନ୍ତୁ ଭଗବାନ ବୋଧ ହୁଏ ତାହା ଚାହୁଁ ନଥିଲେ। ମୁଁ ଗଲାପରେ ପପୁ, ବିକାଶ ଓ ପିପୁଲ ଫର ସେବାର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ରମର ଦାୟିତ୍ଵ ଲାଗିଲା। ବଡ଼ ନ ହେଲେ ବି ଛୋଟ ଜାଗାଟେ କିଣି ଆଶ୍ରମ ଚଲାଇବ। ଏଥିପାଇଁ ଚେକ୍ ବୁକ୍, ଫୋନ୍ ନମ୍ବର ଓ ମୋବାଇଲ ସବୁ ତମ ପାଇଁ ଛାଡ଼ିକି ଯାଉଛି। ମୁଁ ଗଲାପରେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ବଞ୍ଚି ରହି ଯାହା କରିପାରିଲି ନାହିଁ ହୁଏତ ମୁଁ ଗଲାପରେ ମୋର ଶେଷ ଇଚ୍ଛା ପୂରଣ ହୋଇପାରିବ। ଉପରୁ ଦେଖି ମୋ ଆତ୍ମା ଶାନ୍ତି ପାଇବ।

ନୋଟରେ ଆହୁରି ଲେଖାଯାଇଛି, ବାପା ମା’ଙ୍କ କଥା ବହୁତ ମନେପଡ଼ୁଛି। ତାଙ୍କ ମୁହଁକୁ ଚାହିଁଦେଲେ ଆଉ କିଛି ଭୁଲ୍ ନିଷ୍ପତ୍ତି ନେବାକୁ ସାହସ ହେବ ନାହିଁ। କାଲି ସକାଳେ ସେମାନେ ଆସି ପହଞ୍ଚିବେ। ତା’ ପୂର୍ବରୁ ହୁଏତ ମୁଁ ଦୁନିଆରେ ନଥିବି। ମୋର ମୃତ୍ୟୁ ପାଇଁ କେହିବି ଦାୟୀ ନୁହନ୍ତି।

ନୋଟର ଶେଷ ପୃଷ୍ଠାରେ ଲେଖାଯାଇଛି, ବୋଧହୁଏ ଏତିକି ଦିନ ହିଁ ମୋର ଆୟୁଷ ଥିଲା। ଶ୍ରୀ ତୁମେ ବହୁତ ଭଲ। ତୁମକୁ ମୋର ବହୁତ ଭଲପାଇବା। ଉପରେ ରହି ମୁଁ ତୁମକୁ ବହୁତ ମିସ୍ କରିବି। ଦେଶ ପାଇଁ ବହୁତ କିଛି କରିବାର ଇଚ୍ଛା ଥିଲା, କିନ୍ତୁ ପୂରଣ ହୋଇପାରିଲାନି। ସରକାର ସହ ପଙ୍ଗା ନେବା ଆଗରୁ ଦେଶର ଯୁବକମାନେ ପ୍ରଥମେ ନିଜକୁ ସବୁକ୍ଷେତ୍ରରେ ମଜବୁତ ଭାବେ ଗଢ଼ିତୋଳ, ନହେଲେ ସେ ତୁମର ବଞ୍ଚିବା ମୁସ୍କିଲ କରିଦେବ। ଓଡ଼ିଶାରୁ ମଦ ବିକ୍ରି ବନ୍ଦ ହୋଇଗଲେ ମୋ ଆତ୍ମାକୁ ଚିରଶାନ୍ତି ମିଳିବ।ଶେଷ ପୃଷ୍ଠା ତଳେ ଆଦିତ୍ୟ କୁମାର ଦାଶ ଓ ୬ ଜୁଲାଇ ୨୦୨୦ ଲେଖାଯାଇଛି। ତେବେ ଏହା ଆଦିତ୍ୟ ନିଜେ ଲେଖିଛନ୍ତି ନା ଅନ୍ୟ କେହି ଲେଖି ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଚେଷ୍ଟା କରୁଛନ୍ତି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଆଦିତ୍ୟଙ୍କ ଲେଖାଥିବା ଅନ୍ୟ କିଛି ଡାଏରୀ ଓ ଖାତାକୁ ପୋଲିସ ଜବତ କରିଛି। ଏହି ହସ୍ତାକ୍ଷର ଆଦିତ୍ୟଙ୍କର ନା ଆଉ କାହାର ତାହା ଫୋରେନ୍ସିକ୍ ଲ୍ୟାବରେ ପରୀକ୍ଷା କରିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Comment