ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦିତ୍ୟ ଦାସଙ୍କ ହତ୍ୟା ନେଇ କ୍ରାଇମବ୍ରାଞ୍ଚକୁ ଏଯାବତ କୌଣସି ପ୍ରମାଣ ମିଳିନି।

କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା। କ୍ରାଇମବ୍ରାଞ୍ଚ ଏନେଇ ହାଇକୋର୍ଟରେ ନିଜର ସତ୍ୟପାଠ ଦାଖଲ କରିଥିବାବେଳେ, ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନଥିବା ସୂଚନା ଦେଇଛି।

ଅନ୍ୟପଟରେ ତଦନ୍ତକାରୀ ଅଫିସର କରୋନାରେ ଆକ୍ରାନ୍ତ ଥିବାରୁ ହାଇକୋର୍ଟରେ ଅପଡେଟ୍ ଖବର ଦାଖଲ ହୋଇପାରିନାହିଁ। ତେଣୁ ଆସନ୍ତା ୨୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି।

ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି। ତାଙ୍କୁ କେହି ହତ୍ୟା କରିଛନ୍ତି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ। ତେବେ ଏପର୍ଯ୍ୟନ୍ତ ତାଙ୍କୁ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯିବା ନେଇ କୌଣସି ସୂରାକ୍ ମିଳିନଥିବା କ୍ରାଇମବ୍ରାଞ୍ଚ ହାଇକୋର୍ଟର ଉତ୍ତର ରଖିଛି।Aditya-Dash-1ଜୁଲାଇ ୭, ଟ୍ରେନ ଲାଇନରୁ ମିଳିଥିଲା ଶବ

ଗତ ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଏକ ରକ୍ତ ଜୁଡୁବୁଡୁ ମରଶରୀର ଦେଖିବାକୁ ମିଳିଥିଲା। ଏହାପରେ ସୂଚନା ପାଇ ଜିଆରପି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ସେହି ମରଶରୀରଟି ଆଦିତ୍ୟଙ୍କର ବୋଲି ଜଣାପଡ଼ିଥିଲା। ଆଦିତ୍ୟଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସୋସିଆଲ୍ ମିଡିଆରେ ମଧ୍ୟ ଏକପ୍ରକାର ଚହଳ ପଡ଼ିଯାଇଥିଲା। କାହିଁକି ନା ଆଦିତ୍ୟ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ ଥିବା ସହ ମୋଟିଭେସନାଲ୍ ଭିଡିଓ କରୁଥିଲେ।

ଏହାପରେ ଆଦିତ୍ୟଙ୍କୁ କେହି ହତ୍ୟା କରିଛନ୍ତି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେନେଇ ଅନେକ ଚର୍ଚ୍ଚା ହୋଇଥିଲା। ଆଦିତ୍ୟ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କେତେକ କହିବା ସହିତ ଏହା ପଛରେ ଟଙ୍କା କାରବାର ଘଟଣା ସଂପୃକ୍ତ ଥିବା କୁହାଯାଇଥିଲା। ଅନ୍ୟ କେତେକ ଏହା ପଛରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ହାତ ଥିବା ଅଭିଯୋଗ କରିଥିଲେ।aditya-dash-1ପତ୍ନୀ ବିଦ୍ୟାଶ୍ରୀ, ପ୍ରେମିକା ଚିନ୍ମୟୀଙ୍କ ଉପରେ ସନ୍ଦେହ

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁ ପପୁ ଏବଂ ବିକାଶ ଏଥିପାଇଁ ତାଙ୍କର ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରିଥିଲେ। ବିଦ୍ୟାଶ୍ରୀ ଜାଣିଶୁଣି ଆଦିତ୍ୟଙ୍କୁ ହତ୍ୟା କରିଥିବା ନେଇ ସେମାନେ ଅଭିଯୋଗ କରିବା ସହିତ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ। ସେ ସମୟରେ ରେଳବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଥିଲା। ଅନ୍ୟପଟେ ବିଦ୍ୟାଶ୍ରୀ ମଧ୍ୟ ପପୁ ଏବଂ ବିକାଶଙ୍କ ବିରୋଧରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଅଭିଯୋଗ କରିଥିଲେ।

ଏହାପରେ ଏହି ଘଟଣାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଥିଲା। ବାଲେଶ୍ୱରର ଜଣେ ସାଇକୋ ଲେଡି ଆଦିତ୍ୟଙ୍କୁ ହତ୍ୟା କରିଥିବା ନେଇ ତାଙ୍କର ବାପା ଗଣମାଧ୍ୟମରେ କହିଥିଲେ। ତାଙ୍କର ନାଁ ଥିଲା ଚିନ୍ମୟୀ। ସେ ଆଦିତ୍ୟଙ୍କ ବିବାହ ପୂର୍ବରୁ ତାଙ୍କୁ ଭଲ ପାଉଥିଲେ। ତାଙ୍କୁ ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ। ହେଲେ ଆଦିତ୍ୟ ବିଦ୍ୟାଶ୍ରୀଙ୍କୁ ବିବାହ କରିବା ପରେ ସେମାନଙ୍କ ସମ୍ପର୍କ ଶେଷ ହୋଇଯାଇଥିବା ଚିନ୍ମୟୀ କହିଥିଲେ। ହେଲେ ପ୍ରତିଶୋଧ ପରାୟଣ ହୋଇ ଚିନ୍ମୟୀ ହିଁ ଆଦିତ୍ୟଙ୍କୁ ହତ୍ୟା କରିଛନ୍ତି ବୋଲି ଆଦିତ୍ୟଙ୍କ ବାପା ଓ ସ୍ତ୍ରୀ ଲଗାତାର ଗଣମାଧ୍ୟମ ଆଗରେ କହିଥିଲେ।

ଲାଇ ଡିଟେକ୍ସନ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ୍

ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ପାଖକୁ ଯିବା ପରେ ଏନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ପୋଲିସ ପ୍ରଥମେ ସିସିଟିଭି ଫୁଟେଜ୍ ସହିତ ଆଦିତ୍ୟଙ୍କ ସୁଇସାଇଡ୍ ନୋଟକୁ ଯାଞ୍ଚ ପାଇ ପଠାଇଥିଲା। ଏଥିସହ କ୍ରାଇମବ୍ରାଞ୍ଚ ବିଦ୍ୟାଶ୍ରୀ, ତାଙ୍କର ତିନି ଜଣ ବନ୍ଧୁଙ୍କର ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ କରିଥିଲା। ହେଲେ ଏଯାବତ ଆଦିତ୍ୟ ଦାସଙ୍କୁ କେହି ହତ୍ୟା କରିଥିବା ନେଇ କ୍ରାଇମବ୍ରାଞ୍ଚକୁ କୌଣସି ସୁରାକ୍ ମିଳିନଥିବା କୁହାଯାଇଛି।

Comment