ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ
  • ଚାଷ ସମ୍ବନ୍ଧୀୟ ସୂଚନା ଦେବା ପାଇଁ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ୍‌
  • ବର୍ତ୍ତମାନ ୮ ଲକ୍ଷ ଚାଷୀଙ୍କୁ ନେଇ ଗଠନ ହୋଇଛି ଗ୍ରୁପ୍‌
  • ୧୫ ଲକ୍ଷ ଚାଷୀଙ୍କୁ ଗ୍ରୁପ୍‌ରେ ଯୋଡ଼ିବା ଲକ୍ଷ୍ୟ
  • ପ୍ରତି ପଞ୍ଚାୟତରେ ୨୦୦ରୁ ଅଧିକ ଚାଷୀଙ୍କୁ ନେଇ ଗଠନ ହେବ ଗ୍ରୁପ୍‌
  • ଘରେ ବସି କୃଷି ସମ୍ପର୍କୀତ ସୂଚନା ଏବଂ ଜ୍ଞାନ ପାଇପାରିବେ ଚାଷୀ

ମୋବାଇଲ ଫୋନ୍‌ ମାଧ୍ୟମରେ ଏଣିକି ଚାଷୀ ଉପଯୁକ୍ତ ଜ୍ଞାନ ଆହରଣ କରିପାରିବେ। ଠିକ୍‌ ସମୟରେ ଉପଯୁକ୍ତ କୃଷି ସୂଚନା ମଧ୍ୟ ପାଇ ପାରିବେ। ଏଥିପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ପ୍ରତି ପଞ୍ଚାୟତର ଚାଷୀମାନଙ୍କୁ ନେଇ ହ୍ୱାଟସ୍‌ଆପ୍‌ ଗ୍ରୁପ ଗଠନ କରାଯାଇଛି। ଏହି ଗ୍ରୁପ୍‌ ଜରିଆରେ ବିଭାଗ ତରଫରୁ କୃଷି ସୂଚନା ଦିଆଯାଉଛି।

ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ଚାଷୀଙ୍କୁ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପରେ ସାମିଲ କରାଯାଇଛି। ୧୫ ଲକ୍ଷ ଚାଷୀଙ୍କୁ ଏହି ଗ୍ରୁପ୍‌ରେ ସାମିଲ କରିବାକୁ ଲକ୍ଷ୍ୟ ରହିଥିବା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପରେ ୨୦୦ରୁ ଅଧିକ ଚାଷୀଙ୍କୁ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ୍‌ରୁ କେଉଁ ବିଷୟରେ ସୂଚନା ମିଳିବ?

ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। ୬୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ଚାଷୀମାନଙ୍କୁ ଉନ୍ନତମାନର ଚାଷ, ନୂତନ ଜ୍ଞାନକୌଶଳ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେବା ଲାଗି ଏହି ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ ଗଠନ କରାଯାଇଛି।

ବିଭିନ୍ନ ଅର୍ଥକାରୀ ଏବଂ ଉଦ୍ୟାନଭିତ୍ତିକ କୃଷି ସମ୍ପର୍କରେ ଶିକ୍ଷଣୀୟ ବାର୍ତ୍ତା ଏହି ଗ୍ରୁପ୍‌ ମାଧ୍ୟମରେ ଚାଷୀଙ୍କ ପାଖରେ ପହଞ୍ଚାଯିବ। କ୍ଷୁଦ୍ର ଚଳଚ୍ଚିତ୍ର (ସର୍ଟ ଫିଲ୍ମ), ଚାର୍ଟ ମେସେଜ୍‌, ଭିଡିଓ ସ୍ଲାଇଡ୍‌, ଅନିମେଟେଡ ଭିଡିଓ ଜରିଆରେ କୃଷକମାନଙ୍କୁ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ କରାଯିବ।

CGU newସମୟ ଉପଯୋଗୀ କୃଷି କାର୍ଯ୍ୟ ସମ୍ବନ୍ଧୀୟ ବାର୍ତ୍ତା ମଧ୍ୟ ଏହି ଗ୍ରୁପ୍‌ ଜରିଆରେ ଚାଷୀଙ୍କୁ ଦିଆଯିବ। ପାଣିପାଗ ସମ୍ବନ୍ଧୀୟ ଆଗୁଆ ସୂଚନା ଏବଂ ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ଆଗୁଆ ସତର୍କ ସୂଚନା ପ୍ରଦାନ କରାଯିବ।

ପ୍ରାକୃତିକ ଦୁର୍ବିପାକ ଏବଂ ରୋଗପୋକ ଦ୍ୱାରା ଯେଉଁ ସମସ୍ୟା ଉପୁଜିଥିବ ତାର ମୁକାବିଲା ଲାଗି କୃଷକମାନଙ୍କୁ ଏହି ଗ୍ରୁପ୍‌ ଜରିଆରେ ରାସ୍ତା ଦେଖାଇ ଦିଆଯିବ। ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଯେଉଁ ଯୋଜନା କରୁଛନ୍ତି ସେ ବିଷୟରେ ସୂଚନା ଦିଆଯିବ। ଚାଷୀମାନଙ୍କ ଫସଲ ବିକ୍ରିବଟା ଏବଂ ବଜାର ଦର ସମ୍ପର୍କରେ ବି ସୂଚନା ଦିଆଯିବ।

ସନ୍ତୁଳିତ ରାସାୟନିକ ସାର ପ୍ରୟୋଗ ଏବଂ ସମନ୍ୱିତ ଖାଦ୍ୟ ସାର ପରିଚାଳନା ସମ୍ପର୍କରେ ଏହି ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ୍‌ ଜରିଆରେ ଚାଷୀମାନଙ୍କୁ ନିୟମିତ ସୂଚନା ଦିଆଯିବ।

‘‘ଆମ ରାଜ୍ୟ କୃଷି ଓ ଆନୁସଙ୍ଗୀକ କୃଷି କ୍ଷେତ୍ରରେ ବହୁତ ଆଗକୁ ଯାଇଛି। ଶସ୍ୟ ଏବଂ ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଗଣିତ ହୋଇଛି। ଡାଲି, ତୈଳବୀଜ, କ୍ଷୁଦ୍ର ଶସ୍ୟ, ପନିପରିବା, ଫଳ ଉତ୍ପାଦନ ମଧ୍ୟ ବଢ଼ି ଚାଲିଛି। ମାଛ, କୁକୁଡ଼ା, ଅଣ୍ଡା, ମାଂସ ଏବଂ କ୍ଷୀର ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଯଥେଷ୍ଟ ଅଗ୍ରଗତି କରିଛି। ଆମକୁ ଆହୁରି ଆଗକୁ ଯିବାକୁ ପଡ଼ିବ। ଏଥିପାଇଁ ସମସ୍ତଙ୍କର ସହଯୋଗ ଏବଂ ଉଦ୍ୟମ ଆବଶ୍ୟକ’’, କହିଛନ୍ତି କୃଷି ଓ କଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଏକ ବିକଳ୍ପ ଏବଂ ବିପ୍ଲବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଚାଷ କ୍ଷେତ୍ରରେ ବହୁତ ଆଗକୁ ଯାଇଛି। ଆଗାମୀ ଦିନରେ ଚାଷ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ ଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ‘ଏହା ଏକ ବିକଳ୍ପ ଏବଂ ଏହା ଏକ ବିପ୍ଲବ’ ବୋଲି କହିଛନ୍ତି କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

‘‘ଚାଷୀମାନଙ୍କ ପାଇଁ ଗଠନ କରାଯାଇଥିବା ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍‌। ଏହି ଗ୍ରୁପ୍‌ରେ କେହି କୌଣସି ମଜାଳିଆ ଭିଡିଓ କିମ୍ବା ଫଟୋ ପୋଷ୍ଟ କରିବା ଠିକ୍‌ ନୁହେଁ। ଏହି ଗ୍ରୁପଗୁଡ଼ିକର ଉଚିତ ବ୍ୟବହାର କରିବା ଦରକାର। କୃଷି ବିଭାଗ ପକ୍ଷରୁ ପ୍ରତିଦିନ ଯେଉଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଉଛି ତାହାକୁ ଚାଷୀମାନେ ନିଜେ ଦେଖନ୍ତୁ ଏବଂ ଅନ୍ୟମାନଙ୍କୁ ବି ଦେଖାନ୍ତୁ’’, କହିଛନ୍ତି ଡକ୍ଟର ଅରୁଣ କୁମାର ସାହୁ।

Comment