ଓଡିଶାଲାଇଭ୍ ବ୍ୟୁରୋ

କରୋନା ସମୟରେ ଶିଶୁମାନଙ୍କୁ କୌଣସି ପ୍ରକାର ହିଂସା ବା ଶୋଷଣରୁ ରକ୍ଷା କରିବା ସହ ସେମାନଙ୍କ ମାନସିକ ଚାପ କମ କରିବା ପାଇଁ ଓଡିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ? ସେ ସମ୍ପର୍କରେ ସୂଚନା ଦେଉଛନ୍ତି ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ।

କୋଭିଡ୍‌-୧୯ ମହାମାରୀର ଏହି ସଙ୍କଟ ସମୟରେ ପିଲାମାନଙ୍କୁ କିପରି ମାନସିକ ଚାପରୁ ମୁକ୍ତ ରଖିହେବ, ପାରିବାରିକ ହିଂସା ବା ଶୋଷଣରୁ ରକ୍ଷା କରାଯିବ, ଏସବୁ ପାଇଁ ୟୁନିସେଫ୍ ଏବଂ ଓଡିଶା ସରକାର ମିଳିତ ଭାବେ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ସୂଚନା ଦେଇଛନ୍ତି ୟୁନିସେଫର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଭାଗ ନେଇ ନେହା ନାଇଡ଼ୁ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।ଏବେ କରୋନାକୁ ନେଇ ସମସ୍ତେ ଚିନ୍ତିତ। ଏଭଳି ସମୟରେ ସ୍ୱାସ୍ଥ୍ୟ, ଆର୍ଥିକ ଅବସ୍ଥା, ବିଭିନ୍ନ ପ୍ରକାର ଗୁଜବ ଆଦି କାରଣରୁ ଲୋକଙ୍କର ମାନସିକ ଦୁଶ୍ଚିନ୍ତା ବଢ଼ିବା ସାଧାରଣ କଥା। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଏମିତି ହୋଇପାରେ। କରୋନାର ଏହି ସମୟକୁ ବି ସ୍ୱାସ୍ଥ୍ୟଜନିତ ଜରୁରୀକାଳୀନ ପରିସ୍ଥିତି ବୋଲି କୁହାଯାଇପାରେ। ତେଣୁ କରୋନାକୁ ନେଇ ମାନସିକ ଚାପ ବଢିବା ସ୍ୱାଭାବିକ।

“ଛୋଟ ପିଲାର ମନ ବହୁତ କୋମଳା ଏଣୁ ନିଜର ପଡୋଶୀ, ସାଙ୍ଗସାଥୀ କିମ୍ବା ପାରିପାର୍ଶ୍ଵିକ ପରିବେଶକୁ ଚାପଗ୍ରସ୍ତ ଅବସ୍ଥାରେ ଦେଖିଲେ ତା’ ଉପରେ ଆହୁରି ଅଧିକ ପ୍ରଭାବ ପଡେ”, କହିଛନ୍ତି ନେହା ନାଇଡୁ।

ପିଲାମାନଙ୍କ ଉପରେ ଅଧିକ ମାନସିକ ପ୍ରଭାବ ପଡ଼ିଥାଏ

ଭିନ୍ନ ଭିନ୍ନ ବୟସର ଲୋକଙ୍କ ଉପରେ ମାନସିକ ଚାପର ପ୍ରଭାବ ଭିନ୍ନ ହୋଇଥାଏ। ତେବେ ପିଲାଙ୍କ ଉପରେ ବୟସ୍କଙ୍କ ଅପେକ୍ଷା ଅଧିକ ପ୍ରଭାବ ପଡିଥାଏ। ନେହା କହିଛନ୍ତି, “ବୟସ୍କଙ୍କ ପରି ବୁଝିବା ଶକ୍ତି ପିଲାଙ୍କର ନ ଥାଏ। କୌଣସି ଗୁଜବ ବା ଅନ୍ଧବିଶ୍ୱାସ ବହୁତ ଜଲଦି ସେମାନଙ୍କ ଉପରେ ପ୍ରଭାବ ପକାଇଥାଏ। ଏହାଛଡା ପିଲାଟିଏ ଯେତେବେଳେ ନିଜ ବାପା ମା’ଙ୍କୁ ଏନେଇ ଚିନ୍ତିତ ହେବାର ଦେଖେ ସେତେବେଳେ ଏହା ତା’ ଉପରେ ସବୁଠୁ ବେଶି ପ୍ରଭାବ ପକାଇଥାଏ। କାରଣ ସେମାନଙ୍କୁ ସେ ସବୁବେଳେ ଦେଖୁଥାଏ। ତେଣୁ ସେ ମଧ୍ୟ ଚିନ୍ତା କରିବାକୁ ଲାଗେ ଏବଂ ସେ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼େ।”ପିଲାଙ୍କୁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରଖିବା ଉଚିତ

ପିଲାଙ୍କୁ ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରଖିବା ଉଚିତ। ଏହାସହିତ ସେମାନଙ୍କୁ ଗୁଜବ, ଅନ୍ଧବିଶ୍ୱାସ ଆଦିକୁ ବିଶ୍ୱାସ ନ କରିବା ଲାଗି ବୁଝେଇବା ଦରକାର। ଏହାଦ୍ୱାରା ପିଲାର ମାନସିକ ଚାପ ଦୂର କରାଯାଇପାରିବ। କାରଣ ପିଲାମାନେ ଯେତେ ଜଲଦି ଚାପଗ୍ରସ୍ତ ହୁଅନ୍ତି, ସେତେ ଜଲଦି ସେ ଚାପକୁ ଦୂରେଇ ବି ପାରନ୍ତିା ତେଣୁ ବର୍ତ୍ତମାନ ସମୟରେ ପିଲାମାନଙ୍କୁ ମାନସିକ ଏବଂ ସାମାଜିକ ସପୋର୍ଟ ଦେବା ନିହାତି ଜରୁରୀ। ତାଙ୍କୁ ମାନସିକ ଚାପରୁ କିପରି ମୁକ୍ତ କରାଯାଇପାରିବ ସେ ଦିଗରେ କାମ କରିବା ଦରକାର।

‘ସାଇକୋ ସୋସିଆଲ ସପୋର୍ଟ ମଡ୍ୟୁଲ’ ପ୍ରସ୍ତୁତ ହୋଇଛି

ଯେକୌଣସି ବିପର୍ଯ୍ୟୟ ସମୟରେ ମାନସିକ ଓ ସାମାଜିକ ସ୍ତରରେ ସହଯୋଗ କରିବା ଦିଗରେ ୟୁନିସେଫ୍ କାମ କରୁଛି। ୨୦୧୯ରେ ଫନୀ ମହାବାତ୍ୟା ପରେ ଓଡିଶାର ପୁରୀର ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପିଲାମାନଙ୍କୁ ସାଇକୋ ସୋସିଆଲ ସପୋର୍ଟ ଦେଇଥିଲା ୟୁନିସେଫ୍‌। ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଯାଇ ସେଠାକାର ପିଲାଙ୍କ ସହ କଥା ହୋଇ, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସେମାନଙ୍କ ମନରୁ ବାତ୍ୟା ଭୟକୁ ଦୂର କରାଯାଇଥିଲା।

କିନ୍ତୁ କୋଭିଡ୍ ସମୟରେ ସୋସିଆଲ ଡିଷ୍ଟାନ୍ସିଂ ଜରୁରୀ ହୋଇଥିବାରୁ ପିଲାମାନଙ୍କୁ ଏକାଠି କରି କିଛି କରିବା ସମ୍ଭବ ନୁହେଁ। କାରଣ ଏ ସମୟରେ ପିଲାମାନଙ୍କ ସୁରକ୍ଷା ନିହାତି ଜରୁରୀ। ତେଣୁ ଏ ବିଷୟକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ସହ ମିଶି ୟୁନିସେଫ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ‘ସାଇକୋ ସୋସିଆଲ ସପୋର୍ଟ ମଡ୍ୟୁଲ’। ପିଲାମାନଙ୍କୁ କୌଣସି ପ୍ରକାର ହିଂସା ବା ଶୋଷଣରୁ ରକ୍ଷା କରିବା ସହ ସେମାନଙ୍କ ମାନସିକ ଚାପ କମ୍ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।CGU new‘ସାଇକୋ ସୋସିଆଲ ସପୋର୍ଟ ମଡ୍ୟୁଲ’ରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି

ଏହି ‘ସାଇକୋ ସୋସିଆଲ ସପୋର୍ଟ ମଡ୍ୟୁଲ’ରେ ଦୁଇଟା ଭାଗ ଅଛି। ଗୋଟିଏରେ ୬-୧୦ ବର୍ଷ ପିଲାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଅନ୍ୟଟିରେ ୧୧-୧୮ ବର୍ଷର ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମଗୁଡ଼ିକୁ ସେମାନେ ଘରେ ରହି କରିବ। ଏହାଦ୍ୱାରା ପିଲାମାନେ କାମରେ ବ୍ୟସ୍ତ ରହିପାରିବେ ଏବଂ ତାଙ୍କର ମାନସିକ ଚାପ କମ୍ ହେବ ବୋଲି ସେ କହିଛନ୍ତି।

“ଏହି ମଡ୍ୟୁଲରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ପାରିବାରିକ ହିଂସାରୁ ପିଲାକୁ କେମିତି ଦୂରେଇ ରଖାଯାଇପାରିବ, ତା’ର ମାନସିକ ଚାପ କେମିତି କମ୍ କରାଯାଇପାରିବ, ଭିନ୍ନ ଭିନ୍ନ ପରିବେଶରେ ପିଲାର ମାନସିକ ସ୍ଥିତି ଅନୁସାରେ କେମିତି ଯତ୍ନ ନିଆଯିବ ସେ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଓଡିଶାରେ ଥିବା ବିଭିନ୍ନ ଏନଜିଓ, ଚିଲଡ୍ରେନ୍ସ ହୋମରେ କାମ କରୁଥିବା କେୟାର ଟେକର ଏବଂ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ଅଫିସରମାନେ ଏହି ମଡ୍ୟୁଲ କାର୍ଯ୍ୟକାରୀ କରୁଛନ୍ତି,” ନେହା କହିଛନ୍ତି।ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରିଛି ‘କେତେ ନୂଆ ବାଟ’।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା୩୦ ମିନିଟରେ ଆକାଶବାଣୀର ଓଡ଼ିଶାରେ ଥିବା ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ତା’ସାଙ୍ଗକୁ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment