ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ବେକାବୁ ହେଲାଣି କରୋନା ମହାମାରୀ। ମୃତ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ଚରମସୀମାରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଗଞ୍ଜାମ ଜିଲ୍ଲା ରହିଛି। ୧୦୦ ଡାକ୍ତର ଏବଂ ୫ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଗଞ୍ଜାମ ପଠାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ସ୍ଥିତି ସମୀକ୍ଷା କରିବା ବେଳେ ୫ଟି ଜିଲ୍ଲାକୁ ଫୋକସ୍‌ ଦେବାକୁ କହିଥିଲେ। ଗଞ୍ଜାମ, କଟକ, ଯାଜପୁର, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଶେଷ ହେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି।

CGU newସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ୪୯ ଜଣ ଆୟୁଷ ଏବଂ ୫୧ ଜଣ ହୋମିଓପ୍ୟାଥି ଡାକ୍ତରଙ୍କୁ ଗଞ୍ଜାମ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାସହ ଅନ୍ୟ ଜିଲ୍ଲାର ୨୨ ମେଡିକାଲ ଅଫିସର ଏବଂ ପିଜି ଶେଷ କରିଥିବା ୮ ଜଣ ଡାକ୍ତରଙ୍କୁ ଗଞ୍ଜାମ ପଠାଇବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସଂପୃକ୍ତ ଡାକ୍ତରମାନେ ଜୁଲାଇ ୧୬ ତାରିଖ ସୁଦ୍ଧା ଗଞ୍ଜାମ ସିଡିଏମ୍‌ଓଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି।

ସେହିପରି କରୋନା ମୁକାବିଲା ପାଇଁ ବାହାର ଜିଲ୍ଲାର ୫ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଗଞ୍ଜାମ ପଠାଯାଇଛି। ସେମାନଙ୍କ ଭିତରେ ଅଛନ୍ତି ୪ ଜଣ ଉପଜିଲ୍ଲାପାଳ ଏବଂ ଜଣେ ତହସିଲଦାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଉପଜିଲ୍ଲାପାଳଙ୍କୁ ଗଞ୍ଜାମ ପଠାଯାଇଥିବା ବେଳେ ଲହୁଣିପଡ଼ା ତହସିଲଦାରଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି। ପରବର୍ତ୍ତୀ ଆଦେଶ ଆସିବା ଯାଏ ଏହି ଅଫିସରମାନେ ଗଞ୍ଜାମ ଜିଲ୍ଲାରେ ରହିବେ। ୩୨ ଜଣ ଓଆର୍‌ଏସ୍‌ ଅଫିସରଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି।

Comment