ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’
  • ପଶ୍ଚିମ ଓଡ଼ିଶାରେ ଏହା ହେଉଛି ପ୍ରଥମ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’
  • ଉତ୍ତରାଞ୍ଚଳ ରାଜସ୍ୱ କମିସନର କଲେ ଲୋକାର୍ପଣ
  • ଭିନ୍ନକ୍ଷମଙ୍କୁ ମିଳିବ ମାଗଣା ଚିକିତ୍ସା ଓ ପୁନର୍ବାସ ସୁବିଧା
  • ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଅଙ୍ଗ ପ୍ରତିରୋପଣ ସୁବିଧା

ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଖୋଲିଲା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’। ବୁଧବାର ଦିନ ଏହି କେନ୍ଦ୍ରକୁ ଉତ୍ତରାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ ଲୋକାର୍ପଣ କରିଛନ୍ତି। ଭିନ୍ନକ୍ଷମମାନଙ୍କ ଚିକିତ୍ସା ଓ ପୁନର୍ବାସ ପାଇଁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ବ୍ୟବସ୍ଥା ପଶ୍ଚିମ ଓଡ଼ିଶାରେ ପ୍ରଥମ।

ଏହି କେନ୍ଦ୍ର ଲୋକାର୍ପଣ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏମା ଏକ୍କା, ସିଡିଏମ୍‌ଓ ଡାକ୍ତର ସରୋଜ କୁମାର ମିଶ୍ର ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମ୍‌ଏଫ୍‌) ଆର୍ଥିକ ସହାୟତା ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି। ଏଠାରେ ଗରିବ ଶ୍ରେଣୀର ଭିନ୍ନକ୍ଷମ ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ସମାଜରେ ସମ୍ମାନଜନକ ଭାବେ ବଞ୍ଚିବାକୁ ସୁଯୋଗ ଦେବା ହେଉଛି ଏହି କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ। ଏଠାକୁ ଆସୁଥିବା ସମସ୍ତ ରୋଗୀଙ୍କୁ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ। ତେବେ ବର୍ଷକୁ ୪ ଲକ୍ଷ ଟଙ୍କାରୁ କମ୍‌ ଆୟ ଥିବା ବର୍ଗର ଭିନ୍ନକ୍ଷମ ହିତାଧିକାରୀଙ୍କ କ୍ଷେତ୍ରରେ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାର ସୁବିଧା ରହିଛି।

CGU new

‘‘ଦୁର୍ଘଟଣାରେ ଅଙ୍ଗ ହରାଉଥିବା ଲୋକଙ୍କ ପାଇଁ ଏହି ପୁନର୍ବାସ କେନ୍ଦ୍ର ବରଦାନ ସଦୃଶ ହେବ। ସେହିପରି ସେମାନଙ୍କୁ ନିଜର ଜୀବନ ଓ ଜୀବିକା ପରିଚାଳନା କରିବା ସହିତ ସମାଜରେ ସମ୍ମାନଜନକ ଭାବେ ବଞ୍ଚିବା ପାଇଁ ନୂଆ ରାସ୍ତା ଦେଖାଇବ। ତେଣୁ ସ୍ଥାନୀୟ ହିତାଧିକାରୀମାନେ ଏହି କେନ୍ଦ୍ରରୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସୁଯୋଗ ପାଇପାରିବେ’’, କହିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ।

‘‘ଏହି ପୁନର୍ବାସ କେନ୍ଦ୍ରରେ ଭିନ୍ନକ୍ଷମମାନଙ୍କ ପାଇଁ ଉନ୍ନତମାନର ଚିକିତ୍ସା ସୁବିଧା ରହିଛି। ଏହି କେନ୍ଦ୍ରରେ ଅତ୍ୟାଧୁନିକ ରୋବଟିକ୍ସ ଫିଜିଓଥେରାପି ସୁବିଧା ରହିଛି। ଅତ୍ୟାଧୁନିକ ଲାବୋରେଟୋରୀ ସହିତ ଭିନ୍ନକ୍ଷମମାନେ ନିଜକୁ ପରିଚାଳନା କରିବା ପାଇଁ ତାଲିମ ଏବଂ ସେମାନଙ୍କର ଯତ୍ନ ନେବାର ବ୍ୟବସ୍ଥା ରହିଛି। ତେଣୁ ଏଥିରୁ ବହୁ ଲୋକ ଉପକୃତ ହେବେ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ରୋବୋଟିକ୍‌ ଆସିଷ୍ଟେଡ୍‌ ଥେରାପି ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ଭଳି ଦୁଇଟି ବିଭାଗ ରହିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ରୋବୋଟିକ୍‌ ଥେରାପି ସହାୟତାରେ ଚିକତ୍ସା ପ୍ରଦାନ କରାଯିବା ସହ ଭିନ୍ନକ୍ଷମମାନଙ୍କର ଆବଶ୍ୟକତା ଅନୁଯାୟୀ କୃତ୍ରିମ ଅଙ୍ଗ ପ୍ରସ୍ତୁତି ଓ ପ୍ରଦାନ କରାଯିବ।

ଏହି କେନ୍ଦ୍ର ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ୧୩ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌ ନିୟମିତ ଭାବରେ ଆର୍ଥିକ ଏବଂ ବୈଷୟିକ ସହାୟତା ଯୋଗାଇ ଦେଇ ଆସୁଛି। ଯେଉଁସବୁ କ୍ଷେତ୍ର ଉପରେ ଡିଏମ୍‌ଏଫ୍‌ ପ୍ରାଧାନ୍ୟ ଦେଇ ଆସୁଛି ସେଥିମଧ୍ୟରେ ରହିଛି ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଶିକ୍ଷା, ଦକ୍ଷତା ବିକାଶ, ମହିଳା ଓ ଶିଶୁ ବିକାଶ, କୃଷି ଏବଂ ପରିବେଶ ଇତ୍ୟାଦି।

Comment