ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବା ଚାଷ ଭାଗ୍ୟ ବଦଳାଇପାରେ। ରାଜ୍ୟ ବାହାରୁ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳେ। ଆମ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ ରହିଛି। ଟାଙ୍ଗରଭୂମିରେ ପରିବା ଫଳାଇ ଅନେକ ଚାଷୀ ଯେ କେବଳ ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ନୁହେଁ ବରଂ ପରିବାରୁ ରୋଜଗାର ଅନେକଙ୍କର ଦୈନନ୍ଦିନ ଆର୍ଥିକ ଆବଶ୍ୟକତାକୁ ପୂରଣ କରିପାରୁଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ଅନେକ ଚାଷୀ ଏବେ ପରିବା ଚାଷ କରି ସ୍ଵାବଲମ୍ବୀ ହେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଜିଲ୍ଲାର ୬ଟି ବ୍ଲକରେ ପ୍ରାୟ ୩,୦୦୦ ଏକର ଜାଗାରେ ୱାଡି କାର୍ଯ୍ୟକ୍ରମ ଅଧୀନରେ ୨୦୨୦ ମସିହାରୁ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଉଛି। ଟାଙ୍ଗରାଭୂମିକୁ ଶସ୍ୟଶ୍ୟାମଳା କରି ଏଥିରେ ଏକାଧିକ ଫସଲ ଫଳାଇ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବାର ଏହି ଅଭିନବ ପ୍ରୟାସ ଅନେକାଂଶରେ ସଫଳ ହୋଇଛି।

ଖଣି ପ୍ରଭାବିତ ବ୍ଲକ ଯଥା କୁତ୍ରା, କୋଇଡ଼ା, ଲହୁଣୀପଡ଼ା, ରାଜଗାଙ୍ଗପୁର, ହେମଗିରି, କୁଆଁରମୁଣ୍ଡା ଆଦି ବ୍ଲକରେ ପ୍ରାୟ ୫୦୦ ଏକର ଲେଖାଏଁ ଜମିରେ ଆମ୍ବ, ଲେମ୍ବୁ, ଲିଚି ଓ କାଜୁବାଦାମ ଆଦି ଗଛ ଲଗାଯାଇଛି। ଏଠାରେ ଚାଷୀମାନଙ୍କୁ ବିହନ, ସାର, ସୌରଚାଳିତ ଜଳ ସେଚନ ସହ ଶୀତଳଭଣ୍ଡାର ବ୍ୟବସ୍ଥା ଏବଂ ବଜାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଏହି କ୍ଷେତରୁ ବାହାରୁ ଥିବା ପୋଟଳ, ବରଗୁଡ଼ି, ଲଙ୍କା ସହ ବିଭିନ୍ନ ଶାଗକୁ ବଜାରରେ ବିକ୍ରି କରି ଚାଷୀ ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଏହି ପରିବା ସବୁ ‘ମୋ ବାଡ଼ି ପରିବା’ ନାଁରେ ବିକ୍ରି ହେଉଛି।

ହେମଗିରି ବ୍ଲକର ସୁରୁଲତା ଆଦି ଗାଁମାନଙ୍କରେ ପ୍ରାୟ ୨୦୦ ଏକର ଜାଗାରେ ଚଳିତ ବର୍ଷ ପୋଟଳ ଚାଷ ବେଶ୍ ଭଲ ହୋଇଛି। ଏଥିରେ ପ୍ରାୟ ୨୬୯ ଜଣ ଚାଷୀ ଚାଷ କାମ କରି ଲାଭବାନ ହୋଇଛନ୍ତି।

ଏହି ସବୁ ଚାଷୀମାନେ ପ୍ରତି ରବିବାର ଦିନ ପୋଟଳ ତୋଳି ତାକୁ ନିକଟସ୍ଥ ହାଟରେ ବିକ୍ରି କରିବା ସହ ଏହାକୁ ଅନ୍ୟ ବଡ଼ ବେପାରୀଙ୍କୁ ଦେଇଥାଆନ୍ତି। ପୋଟଳର ମୂଲ୍ୟ ବର୍ଷର ବିଭିନ୍ନ ସମୟରେ କିଲୋପିଛା ୨୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। ବର୍ଷ ସାରା ପରିଶ୍ରମ କରି ଚାଷୀ ପୋଟଳ ଆଦି ପରିବା ଚାଷରୁ ୮୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାଆନ୍ତି।ଛତିଶଗଡ଼ର ବ୍ୟବସାୟୀମାନେ ପ୍ରତି ରବିବାର ଦିନ ପରିବା ସଂଗ୍ରହ କରିବାକୁ ଆସିଥାନ୍ତି। ଅନେକ ସମୟରେ ମହିଳାମାନେ ଏହି ପରିବାକୁ ନିଜ ପାଖ ଗାଁ ହାଟରେ ବିକ୍ରି କରିଥାଆନ୍ତି। ଚାଷୀମାନଙ୍କର ଏହି ରୋଜଗାର ସେମାନଙ୍କ ପରିବାରର ଆର୍ଥିକ ଆବଶ୍ୟକତାକୁ ପୂରଣ କରିପାରୁଛି।

କିଏ ଏହି ଟଙ୍କାକୁ ପୁଅଝିଅ କିମ୍ବା ନାତିନାତୁଣୀଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟପାଇଁ ଖର୍ଚ୍ଚ କରୁଛନ୍ତି ତ କେହି ନିଜର ଘର ମରାମତି ଆଦିରେ ଲାଗାଉଛନ୍ତି। କେବଳ ପୋଟଳ ନୁହେଁ ଚାଷୀମାନେ ପୋଟଳ ଚାରା ମଧ୍ୟ ବିକ୍ରି କରିଥାନ୍ତି। ଏହି ବାବଦରେ ସେମାନେ ବର୍ଷକୁ ୩୦,୦୦୦ ରୁ ୪୦,୦୦୦ ଟଙ୍କା ଅଲଗା ରୋଜଗାର କରିଥାନ୍ତି।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଏହି କୃଷି କାମର ନିୟମିତ ତଦାରଖ କରାଯାଇଥାଏ। ଚାଷୀମାନଙ୍କୁ ନର୍ସରୀ ବେଡ ପ୍ରସ୍ତୁତି, ଚାରା ପ୍ରସ୍ତୁତି, କମ କୀଟନାଶକ ପ୍ରୟୋଗରେ ଫସଲ କରିବା, ଜଳସେଚନ, ଫସଲ ଉତ୍ପାଦନ ଏବଂ ଏହାର ବଜାରୀକରଣ ଉପରେ ନିୟମିତ ତାଲିମ ଦିଆଯାଇଥାଏ। ଏହା ଲୋକମାନଙ୍କୁ ବୈଷୟିକ ରୂପେ ସଶକ୍ତ କରିବା ସହ ବଜାରକୁ ବୁଝି ବ୍ୟବସାୟ କରିବାରେ ସହାୟକ ହୋଇଥାଏ।

ପରିବା ଚାଷରୁ ଆର୍ଥିକ ସମୃଦ୍ଧି ମିଳିବା ଦ୍ୱାରା ଅନେକ ନିମ୍ନ ଏବଂ ମଧ୍ୟବିତ ପରିବାରର ସ୍ୱପ୍ନ ସାକାର ହେବାରେ ଲାଗିଛି।

Tags: #sundargarh #hemgiriblock #farming #vegetablefarming #dmf

LEAVE A REPLY

Please enter your comment!
Please enter your name here