ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନ ରାଜନୀତିରେ ଏବେ ଯୁବନେତା ସଚିନ ପାଇଲଟଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡୁଆ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଗତକାଲି ଦଳରୁ ବିଦା ହେବା ପରେ ଆଜି ବାଚସ୍ପତିଙ୍କ ପଟରୁ ପାଇଲଟଙ୍କୁ ନୋଟିସ୍ ଜାରି ହୋଇଛି।

କଂଗ୍ରେସ ପକ୍ଷରୁ ସଚିନ ପାଇଲଟ ଓ ତାଙ୍କର ସମସ୍ତ ଅନୁଗତଙ୍କୁ ବିଧାୟକ ଦଳର ବୈଠକରେ ସାମିଲ ହେବାକୁ କୁହାଯାଇଥିଲା। ଏଥିପାଇଁ ଦଳୀୟ ହୁଇପ୍ ମଧ୍ୟ ଜାରି କରାଯାଇଥିଲା। ହେଲେ ସଚିନ ଓ ତାଙ୍କର ଅନୁଗତ ବିଧାୟକମାନେ ଏହାକୁ ନମାନି ବୈଠକରେ ଯୋଗ ଦେଇନଥିଲେ। ଲଗାତାର ଦୁଇଥର ସେମାନେ ଏହି ନିର୍ଦ୍ଦେଶକୁ ଭାଙ୍ଗିଥିଲେ।ଏହାପରେ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଥିବା ଡକ୍ଟର ମହେଶ ଯୋଶୀ ଏନେଇ ବିଧାନସଭାର ବାଚସ୍ପତିଙ୍କ ପାଖରେ ଅଭିଯୋଗ କରିଛନ୍ତି। ପାଇଲଟ ଓ ତାଙ୍କ ସହ ୧୯ ବିଧାୟକ ଦଳର ହୁଇପକୁ ମାନିନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି।

ବିଧାନସଭା ବାଚସ୍ପତି ମଧ୍ୟ ତୁରନ୍ତ ଏହି ଅଭିଯୋଗ ବିରୋଧରେ ଆକ୍ସନ ନେଇଛନ୍ତି। ବାଚସ୍ପତି ଅଧାରାତିରେ ବିଧାନସଭାକୁ ଖୋଲି ପାଇଲଟ ଓ ତାଙ୍କର ୧୯ ଅନୁଗତ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏନେଇ ଜୁଲାଇ ୧୭ ତାରିଖ ଦିନ ୧ଟା ସୁଦ୍ଧା ସେମାନେ ଲିଖିତ ଆକାରରେ ଉତ୍ତର ଦେବାକୁ ବାଚସ୍ପତି କହିଛନ୍ତି।CGU newବଦଳିପାରେ ବିଧାନସଭା ସଂଖ୍ୟାଗଣିତ

ବାଚସ୍ପତିଙ୍କ ନୋଟିସ ପରେ ରାଜସ୍ଥାନର ରାଜନୈତିକ ସମୀକରଣ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ବାଚସ୍ପତି ଏହି ୧୯ ବିଧାୟକଙ୍କୁ ଗୃହର ପ୍ରାଥମିକ ସଦସ୍ୟ ପଦରୁ ବିଦା କରନ୍ତି ତେବେ ବିଧାନସଭା ସିଟ୍ ଗଣିତରେ ଅଦଳ ବଦଳ ହୋଇଯିବ।

ବିଧାନସଭାରେ ଏବେ ୨୦୦ ବିଧାୟକ ରହିଛନ୍ତି। ସେଥିମଧ୍ୟରୁ ଗେହଲଟ ସରକାର ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି। ହେଲେ ଯଦି ଏହି ୧୯ ବିଧାୟକଙ୍କୁ ଗୃହରୁ ବାଦ ଦିଆଯିବ ତେବେ ବିଧାନସଭାର ସିଟ୍ ସଂଖ୍ୟା ୧୮୧କୁ ଖସିଯିବ। ଏହାପରେ ସରକାର ଗଠନ ପାଇଁ କୌଣସି ଦଳକୁ ୯୨ ବିଧାୟକଙ୍କ ଆବଶ୍ୟକତା ପଡ଼ିବ। ଏପରି ପରିସ୍ଥିତିରେ ଗେହଲଟ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିବେ କି ନାହିଁ ତାକୁ ନେଇ ଆଶଙ୍କା ଦେଖାଦେଇଛି।

Comment