ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍‌-୧୯ ମହାମାରୀ ବେଳେ ନାଲ୍‌କୋ ମହିଳା ସମିତି କ’ଣ ସବୁ ପଦକ୍ଷେପ ନେଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଏହାର ଅଧ୍ୟକ୍ଷା ସସ୍ମିତା ପାତ୍ର।

କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ଏହି ମହାମାରୀର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ନାଲ୍‌କୋ ମହିଳା ସମିତି ଆଗେଇ ଆସିଛି। ବିଭିନ୍ନ ଗାଁ ସମେତ ସହରାଞ୍ଚଳରେ ନାଲ୍‌କୋ ମହିଳା ସମିତି କରୋନା ସମ୍ପର୍କରେ ସଚେତନ କରିବା ସହିତ ଲୋକମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲା। ଏନେଇ ସୂଚନା ଦେଇଛନ୍ତି ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ସସ୍ମିତା ପାତ୍ର।

‘‘ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ଅବସରରେ କୋଭିଡ୍‌-୧୯ ଉପରେ କିଛି କାମ କରିବାକୁ ମହିଳା ସମିତିର ସଦସ୍ୟମାନଙ୍କୁ ମୁଁ କହିଥିଲି। ସେମାନେ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଥିଲେ। ଲୋକମାନଙ୍କୁ ସଚେତନ କରିବା ଲାଗି ଆମେ ଏକ କାର୍‌ ରାଲି ଆୟୋଜନ କରିଥିଲୁ’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ସସ୍ମିତା ପାତ୍ର।

କରୋନା ଯୋଦ୍ଧାଙ୍କୁ ସହଯୋଗ

କୋଭିଡ୍‌-୧୯ ମହାମାରୀରୁ ଲୋକଙ୍କୁ ସଚେତନ କରିବା ସହ ସୁରକ୍ଷା ଦେବା ପାଇଁ ଯେଉଁମାନେ ଅଣ୍ଟା ଭିଡ଼ିଛନ୍ତି ସେମାନଙ୍କ ଭିତରେ ପୋଲିସ କର୍ମଚାରୀ ହେଉଛନ୍ତି ଅନ୍ୟତମ। କରୋନା ଲକ୍‌ଡାଉନ କେମିତି ସଫଳ ହେବେ ସେମାନେ ସେଥିପାଇଁ ସଜାଗ ରହିଥିଲେ। ଖରା, ବର୍ଷାରେ କରୋନା ସଙ୍କଟ ବେଳେ କଟକ ଏବଂ ଭୁବନେଶ୍ୱରରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ କର୍ମଚାରୀଙ୍କୁ ଆମେ ସହଯୋଗ କରିଥିଲୁ। ୭ ଦିନ ପାଇଁ ଆମେ ସେମାନଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରିଥିଲୁ। ଆଇଏସ୍‌ଡି, ସଖି, ମାଧ୍ୟମ ଭଳି ଅନୁଷ୍ଠାନ ସହ ମିଶି ଆମେ ସଚେତନତାମୂଳକ କାର୍ଯ୍ୟକ୍ରମ କରିଛୁ। ବିଶେଷକରି ଦାମନଯୋଡ଼ି, ଅନୁଗୁଳ, ଭୁବନେଶ୍ୱର ଆଦି ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିଛି।

ଅପରେଟିଂ ମାଇଁସେଲ୍‌ଫ

କୋଭିଡ୍‌-୧୯ ମହାମାରୀ ନିୟନ୍ତ୍ରଣ କରିବା ଲାଗି ଲକ୍‌ଡାଉନ୍‌ ନିୟମ ଲାଗୁ ହୋଇଥିଲା। ସମସ୍ତେ ଘରେ ରହିଥିଲେ। ବାହାରକୁ ବାହାରି ହେଉନଥିଲା। ଏଣୁ ଏହି ସମୟରେ ମହିଳାମାନେ କେମିତି ମାନସିକ ଚାପରେ ନରହିବେ ସେଥିପାଇଁ ନାଲ୍‌କୋ ମହିଳା ସମିତି ପକ୍ଷରୁ ‘ଅପରେଟିଂ ମାଇଁସେଲ୍‌ଫ’ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱବିତ୍‌, ଡାକ୍ତରମାନେ ଯୋଗଦେଇ ମହିଳାମାନଙ୍କ ସମସ୍ୟା ସମାଧାନ କରିଥିଲେ। ମହିଳାମାନେ ସେମାନଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇଥିଲେ।

‘‘ବର୍ତ୍ତମାନ ଆମର ଅପରେଟିଂ ମାଇଁସେଲ୍‌ଫର ଦ୍ୱିତୀୟ ଭାଗ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଭାଗ ନେଇଥିଲେ। ମନସ୍ତତ୍ତ୍ୱବିତ୍‌ ଏବହ ଡାକ୍ତରମାନଙ୍କ ସହ ସେମାନେ କଥା ହୋଇ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ’’, କହିଛନ୍ତି ସସ୍ମିତା ପାତ୍ର।

ପାନୀୟ ଜଳ ବ୍ୟବସ୍ଥା

ଖରାଦିନ ଆସିଲେ ଓଡ଼ିଶାର ବହୁତ ଗାଁରେ ପାନୀୟ ଜଳ ସଙ୍କଟ ଦେଖାଦେଇଥାଏ। ଲୋକମାନେ ଅସୁବିଧା ଭୋଗିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ନାଲ୍‌କୋ ମହିଳା ସମିତି ପକ୍ଷରୁ ବିଭିନ୍ନ ଗାଁରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଏହାସହ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର, ସାବୁନ ବଣ୍ଟନ କରାଯାଇଥିଲା।

CGU newମିସେସ୍‌ ସେଫ୍‌-୨୦୨୦

ନାଲ୍‌କୋ ମହିଳା ସମିତିର ସଦସ୍ୟମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବା ଲାଗି ‘ମିସେସ୍‌ ;ସଫ୍‌-୨୦୨୦’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତେ ଭାଗ ନେଇଥିଲେ। ୨୦ ମିନିଟ୍‌ ସମୟରେ ମହିଳାମାନେ ଖାଦ୍ୟ ପ୍ରସ୍ତୁତି କରିଥିଲେ। ୩ ଜଣ ଲେଖାଏଁ ମହିଳାଙ୍କୁ ନେଇ ଗୋଟିଏ ଗୋଟିଏ ଗ୍ରୁପ୍‌ ଗଠନ କରାଯାଇଥିଲା। ଏଥିରେ ମହିଳାମାନେ ସେମାନଙ୍କ ପାରଦର୍ଶିତା ଦେଖାଇଥିଲେ।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା

କରୋନା ମହାମାରୀ ପାଇଁ ବର୍ତ୍ତମାନ ସୁଦ୍ଧା ଔଷଧ କିମ୍ବା ଟିକା ବାହାରିନାହିଁ। ଏଥିରୁ ରକ୍ଷା ପାଇବାକୁ ହେଲେ ମାସ୍କ ପିନ୍ଧିବା, ସାବୁନ ଏବଂ ସାନିଟାଇଜରରେ ହାତଧୋଇବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ। କରୋନା ଚାଲିଗଲେ ବି ସବୁବେଳେ ମାସ୍କ ପିନ୍ଧିବା ଦରକାର। ଏହାଦ୍ୱାରା ବିଭିନ୍ନ ରୋଗରୁ ଆମେ ରକ୍ଷା ପାଇପାରିବା।

ଡିଜିଟାଲ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

କରୋନା କଟକଣା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଏଣୁ ନାଲ୍‌କୋ ମହିଳା ସମିତି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ସଚେତନତାମୂଳକ କାର୍ଯ୍ୟକ୍ରମ ସହିତ ଗପ, ଚିତ୍ରାଙ୍କନ, ରୋଷେଇ ପ୍ରତିଯୋଗିତା କରିପାରିବା। ଲୋକମାନଙ୍କୁ ସଚେତନ ମଧ୍ୟ କରିପାରିବା।

‘‘ନାଲ୍‌କୋ ମହିଳା ସମିତି ଡିଜିଟାଲ ମାଧ୍ୟମକୁ କରୋନା ସମୟରେ ଗୁରୁତ୍ୱ ଦେଇଛି। ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଆମେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିବାରେ ସଫଳ ହୋଇଛୁ। ବର୍ତ୍ତମାନ ସ୍ଥିତିରେ ସମସ୍ତେ ଡିଜିଟାଲ ମାଧ୍ୟମକୁ ଗ୍ରହଣ କରିବା ଉଚିତ’’, କହିଛନ୍ତି ନାଲ୍‌କୋ ମହିଳା ସମିତି ଅଧ୍ୟକ୍ଷା ସସ୍ମିତା ପାତ୍ର।

Comment