ଓଡିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଛତା କୋଭିଡ୍ ହସ୍ପିଟାଲରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଗ୍ରାମବାସୀମାନେ ଏହାକୁ କରୋନାଜନିତ ମୃତ୍ୟୁ କହୁଥିବାବେଳେ ଯୁବକଜଣକ କୋଭିଡ୍ ସନ୍ଦିଗ୍ଧ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କହିଛି।

ମୃତ ଯୁବକଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ବୋଲି ଜଣାପଡ଼ିଛି। ରବିବାର ଶ୍ଵାସକ୍ରିୟାରେ ଯନ୍ତ୍ରଣା ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଛତା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କରୋନା ଯୋଗୁଁ ଯୁବକଙ୍କର ମୃତ୍ୟୁ ହୋଇଥିବା କୌଣସି ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କଠାରେ ସମ୍ପୂର୍ଣ୍ଣ କରୋନା ଲକ୍ଷଣ ରହିଥିଲା ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ସମ୍ପୃକ୍ତ ଯୁବକଜଣଙ୍କ ବେଙ୍ଗାଲୁରୁରେ କୌଣସି ଏକ ବେସରକାରୀ ବ୍ୟାଙ୍କରେ ଚାକିରି କରୁଥିଲେ। ସେହି ବ୍ୟାଙ୍କରୁ ୪ ଜଣ କରୋନା ପଜିଟିଭ୍ ବାହାରିବା ପରେ ସେ ନିଜ ଝିଅ ଓ ପତ୍ନୀଙ୍କ ସହ ଗତ ୧୦ ତାରିଖରେ ଘରକୁ ଫେରି ଆସିଥିଲେ। ସରପଞ୍ଚଙ୍କ ଅନୁମତିକ୍ରମେ ସେମାନେ ଗୃହ ସଙ୍ଗରୋଧରେ ରହୁଥିଲେ। ଗତ ୧୬ ତାରିଖରେ ତାଙ୍କର ଛିଙ୍କ ଓ କାଶ ହେବାରୁ ତାଙ୍କୁ ଆଳି ଡାକ୍ତରଖାନାକୁ ନିଆଯାଇଥିଲା। ଆଳି ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଔଷଧ ଖାଇ ଘରେ ରହୁଥିଲେ।CGU newଗତ ୧୭ ତାରିଖରେ ସମ୍ପୃକ୍ତ ଯୁବକଙ୍କ ସମେତ ପତ୍ନୀ ଓ ୪ ବର୍ଷର ଝିଅଙ୍କର ସ୍ଵାବ୍ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିଲା। ଗତକାଲି ଏହାର ରିପୋର୍ଟ ମିଳିଥିଲା। ସମ୍ପୃକ୍ତ ଯୁବକ ଓ ତାଙ୍କ ପତ୍ନୀଙ୍କର ସ୍ଵାବ୍ ରିପୋର୍ଟରେ ପଜିଟିଭ୍ କିମ୍ବା ନେଗେଟିଭ୍ ତାହା ସ୍ପଷ୍ଟ ହୋଇନଥିଲା। ତାଙ୍କ ଛୋଟ ଝିଅଟିର ରିପୋର୍ଟ ନେଗେଟିଭ୍ ଆସିଥିଲା।

ଗତକାଲି ପୁଣିଥରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କର ସ୍ଵାବ୍ ସଂଗ୍ରହ ହେବାର ଥିଲା। କିନ୍ତୁ ଯୁବକଜଣକ ଗତକାଲି ହଠାତ୍ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ତ୍ରୀଙ୍କ ସହିତ କେନ୍ଦ୍ରାପଡ଼ାର ଛତା କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବକଙ୍କ ମୃତ୍ୟୁ କରୋନାଜନିତ କି ନାହିଁ ଏନେଇ ଜିଲ୍ଲା ପ୍ରଶାସନ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ।

LEAVE A REPLY

Please enter your comment!
Please enter your name here