ଓଡିଶାଲାଇଭ୍ ବ୍ୟୁରୋ

ଜୟପୁରର ଏକ ଚିଲଡ୍ରେନ୍ସ ହୋମ୍‌ରେ ରହୁଥିବା ଜଣେ ନାବାଳକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନଥିବା ପରିବାର ଲୋକେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ମୃତ ଛାତ୍ର ଜଣଙ୍କ ପାରାବେଢ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି। ସେ ଗୁରୁବାର ଦିନ ଶୌଚ ହେବା ପାଇଁ ଗାଧୁଆ ଘରକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି କବାଟ ଖୋଲିନଥିଲେ। ପରେ ଅନ୍ୟ ଛାତ୍ରମାନେ କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଛାତ୍ର ଜଣଙ୍କ ମେଳାପି ସ୍ଵଭାବର ଥିଲେ। ସେ ଭଲ ପାଠ ପଢ଼ିବା ସହ ଭଲ ଚିତ୍ରାଙ୍କନ ମଧ୍ୟ କରୁଥିଲେ ବୋଲି ବିଦ୍ୟାଳୟର ଶିକ୍ଷୟିତ୍ରୀ କହିଛନ୍ତି। ତାଙ୍କ ଘର କୋରାପୁଟ ବ୍ଲକ କରଞ୍ଜିଆଗୁଡ଼ାରେ ହୋଇଥିବା ବେଳେ ସେ ଚିଲ୍‌ଡ୍ରେନ୍ସ ହୋମ୍‌ରେ ୩ ବର୍ଷ ହେବ ରହି ଆସୁଥିଲେ।

ସମ୍ପୃକ୍ତ ଛାତ୍ରଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଗାୟତ୍ରୀ ଦେବୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।CGU newଜିଲ୍ଲା ପ୍ରଶାସନ ଏହି ଚିଲ୍‌ଡ୍ରେନ୍ସ ହୋମ୍‌ଟିକୁ ପରିଚାଳିତ କରୁଛି। କିନ୍ତୁ ଗତ ୧ ବର୍ଷ ଭିତରେ ଏଠାରେ ଏପରି ୩ଟି ଘଟଣା ଘଟିସାରିଲାଣି। ପୂର୍ବରୁ ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବାବେଳେ ଗତ ମାର୍ଚ୍ଚ ୭ ତାରିଖରେ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିନାହିଁ। ଏହି ସବୁ ଘଟଣାକୁ ଦେଖିଲେ ସମ୍ପୃକ୍ତ ଚିଲ୍‌ଡ୍ରେନ୍ସ ହୋମ୍‌ ପ୍ରତି ସନ୍ଦେହ ଘନୀଭୂତ ହେଉଛି। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସ୍ଥାନୀୟ ଲୋକେ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Comment