ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ମହୁମାଛି ପାଳନ କରି କୃଷକମାନେ ସେମାନଙ୍କର ଆୟରେ ବୃଦ୍ଧି କରିପାରିବେ । ଏଥିପାଇଁ ତାଙ୍କୁ ପାରମ୍ପରିକ ପଦ୍ଧତି ଛାଡ଼ି, ବୈଜ୍ଞାନିକ ପଦ୍ଧତି ଆପଣେଇବାକୁ ପଡ଼ିବ।

ମହୁର ବ୍ୟବହାର ଏବେ ଅନେକ ମାତ୍ରାରେ ବଢ଼ି ଚାଲିଛି। ଲକ୍ଷ୍ୟ କରାଯାଏ ଲୋକମାନେ ବିଭିନ୍ନ ଉପାୟରେ ମହୁମାଛିକୁ ନିର୍ଦ୍ଦୟ ଭାବେ ମାରି ଦେଇ କିମ୍ବା ସେମାନଙ୍କୁ ଘଉଡ଼େଇ ଦେଇ ମହୁଫେଣା ଆଣି, ତାକୁ ଚିପୁଡ଼ି ସେଥିରୁ ମହୁ ବାହାର କରନ୍ତି। ଏହିପରି ପୁରାତନ ପଦ୍ଧତିରେ ସଂଗ୍ରହ କରାଯାଉଥିବା ମହୁ ଖବ୍‌ ନିମ୍ନମାନର ହୋଇଥାଏ। ଏହାସହ ମହୁମାଛି ବଂଶ ମଧ୍ୟ ନିପାତ ହୋଇଥାଏ।

ବିଶୁଦ୍ଧ ମହୁ ପାଇବା ପାଇଁ ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନ କରାଯାଏ। ଏହାଦ୍ୱାରା ମହୁମାଛିମାନଙ୍କୁ ନମାରି ସହଜ ଓ ସରଳ ଉପାୟରେ ବିଶୁଦ୍ଧ ମହୁ ଅମଳ କରାଯାଇଥାଏ।

ଏବେ ଆମ ରାଜ୍ୟରେ ଅନେକ ଚାଷୀ ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନ କରି ନିଜର ଆୟ ବୃଦ୍ଧି କରିପାରୁଛନ୍ତି। ଡେଲାଙ୍ଗ ଅନ୍ତର୍ଗତ ଅନ୍ନପୂର୍ଣ୍ଣା ଛାଟୋଇ ପ୍ରଫେସର ଡକ୍ଟର ଚିତ୍ତରଞ୍ଜନ ଶତପଥୀଙ୍କ ତତ୍ତ୍ୱାବଧାନରେ ଏହି ବୈଜ୍ଞାନିକ ପଦ୍ଧତିରେ ମହୁ ଚାଷ କରି ଆଜି ରାଜ୍ୟରେ ଏକ ଉଦାହରଣ ସୃଷ୍ଟି କରିସାରିଛନ୍ତି।

ବୈଜ୍ଞାନିକ ପଦ୍ଧତିରେ ମହୁଚାଷ କରିବା ଦ୍ୱାରା ଉଭୟ ମହୁମାଛି, ଓ ମହୁ ଉତ୍ପାଦନରେ ବୃଦ୍ଧି ଘଟିଥାଏ। ଏହି ପଦ୍ଧତିରେ ମହୁମାଛି ପାଳନ ଖୁବ୍‌ ସରଳ, ବ୍ୟୟସାପେକ୍ଷ, ପରିବେଶ ଉପଯୋଗୀ ତଥା ରୋଜଗାର ଯୋଗାଇବା ଭଳି ଏକ କୁଟୀର ଶିଳ୍ପ।

ବୟସ ଶିକ୍ଷାଗତ ଯୋଗ୍ୟତା, ଲିଙ୍ଗଗତ ପ୍ରଭେଦ କିମ୍ବା ବୃତ୍ତି ଯାହା ବି ହୋଇଥାଉ ନା କାହିଁକି ଯେକୌଣସି ବ୍ୟକ୍ତି ଇଚ୍ଛା କଲେ ସଠିକ ତାଲିମ ନେଇ ଏହାକୁ ଏକ ବ୍ୟବସାୟ ଆକାରରେ ଗ୍ରହଣ କରିପାରିବେ।

ମହୁମାଛି ପାଳନ ପାଇଁ ସ୍ୱତନ୍ତ୍ର ଜମି କିମ୍ବା ସ୍ଥାନର ଆବଶ୍ୟକତା ନାହିଁ। ଘରର ପରିସର ମଧ୍ୟରେ ୮ରୁ ୧୦ ଗୋଟି ମହୁ ବାକ୍ସ ରଖି  ମହୁମାଛି ଚାଷ କରାଯାଇପାରେ।

ଥରେ ମହୁମାଛି ପାଳନ ଆରମ୍ଭ କରିଦେଲେ ଏହା ଅବିରାମ ଚାଲିଥାଏ। ମହୁମାଛି ଚରା ବୃକ୍ଷଗୁଡ଼ିକ ହେଲା ନିମ୍ବ, କରଞ୍ଜ, ଇଉକାଲପଟାସ, ଶିଶୁ, ତେନ୍ତୁଳି, ସିରିସ, ବରକୋଳି, ଜାମକୋଳି, ସଜନା, ନଡ଼ିଆ ପଦ୍ମ, କଇଁ ଇତ୍ୟାଦି।

ଯେଉଁମାନେ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ କରିବାକୁ ଆଗ୍ରହୀ ସେମାନେ ଚାହିଁଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମହୁମାଛି ଗବେଷଣା ପ୍ରକଳ୍ପ ସହ ଯୋଗାଯୋଗ କରିପାରିବେ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment