ଓଡିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ‘କାଳିଆ’ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାୟଗଡ଼ା ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଆଣିବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ାରେ ଏଭଳି ମୋଟ ୧୭୬୬ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଯେଉଁମାନଙ୍କ ପରିବାର ସଦସ୍ୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରୂପେ ସରକାରୀ ଚାକିରୀ କରୁଛନ୍ତି ସେମାନଙ୍କୁ ଅଯୋଗ୍ୟ ହିତାଧିକାରୀ ଘୋଷଣା କରାଯାଇଛି। ଏଥିସହ କରଦାତା, ସରକାରୀ ପେନସନ ଉପଭୋକ୍ତା, ବୃହତ ଚାଷୀ ରୂପେ ମଣ୍ଡିରେ ନାମ ପଞ୍ଜୀକରଣ କିମ୍ବା ପାଞ୍ଚ ଏକର ଜମି ଥିବା କୃଷକ ଏହି ଯୋଜନାରୁ ବାଦ ପଡ଼ିଛନ୍ତି।
ଏମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଲା କୃଷି ବିଭାଗକୁ ପଠାଯାଇଥିବା ଜଣାପଡିଛି। ପୂର୍ବରୁ ଏହି ଅଯୋଗ୍ୟ ହିତାଧିକାରୀମାନେ ‘କାଳିଆ’ ଯୋଜନାରେ ୫୦୦୦ ଟଙ୍କା ପାଇସାରିଛନ୍ତି। ତେଣୁ କରୋନା ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କୁ ଅର୍ଥିକ ସହଯୋଗ କରିବା ପାଇଁ ଉକ୍ତ ଟଙ୍କା ତୁରନ୍ତ ଫେରସ୍ତ କରିବାକୁ କୃଷି ବିଭାଗ ଏକ ନିବଦେନ ପତ୍ର ସମ୍ପୃକ୍ତ ହିତାଧିକାରୀଙ୍କୁ ପଠାଇଥିବା ଜଣାପଡ଼ିଛି।
ଜିଲ୍ଲାର ପଦ୍ମପୁର ବ୍ଲକରେ କାଳିଆ ଯୋଜନା ଅନ୍ତର୍ଗତ ସର୍ବାଧିକ ୨୭୨ଜଣ ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି। ସେହିପରି ଗୁଣୁପୁର ବ୍ଲକରେ ୨୩୯ ଜଣ, ରାମ୍ନାଗୁଡ଼ାରେ ୨୩୩ ଜଣ, ମୁନିଗୁଡାରେ ୨୬୬ ଜଣ, ରାୟଗଡ଼ା ବ୍ଲକରେ ୨୧୬ ଜଣ, ବିଷମକଟକରେ ୧୬୬ ଜଣ, କୋଲନରା ବ୍ଲକରେ ୧୦୭ ଜଣ, ଗୁଡ଼ାରୀରେ ୯୬ ଜଣ, କଲ୍ୟାଣସିଂପୁରରେ ୬୭ ଜଣ, କାଶୀପୁର ବ୍ଲକରେ ୬୭ ଜଣ ଓ ଚନ୍ଦ୍ରପୁର ବ୍ଲକରେ ୩୫ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏ ସଂକ୍ରାନ୍ତରେ ଜିଲ୍ଲା କୃଷି ଅଧିକାରୀ ନନ୍ଦକିଶୋର ସିଂ କହିଛନ୍ତି, “ଉକ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ବିଜ୍ଞପ୍ତି ପଠାଯାଇଛି। ଏଥିରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଉଲ୍ଲେଖ ରହିଛି। ଖୁବଶୀଘ୍ର ସେମାନେ ପାଇଥିବା ଟଙ୍କା ଫେରସ୍ତ କରିବାକୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।”
ତେବେ ଏଥିନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଗତ ୨୦୧୯ ମସିହା ଜାନୁଆରୀ ମାସରୁ ତୃତୀୟ ପର୍ଯ୍ୟାୟରେ ରାୟଗଡ଼ା ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ କାଳିଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇଥିଲା। ସେହି ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଲୋକଙ୍କୁ ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଉଦ୍ୟମ କରିଥିବା ବିରୋଧୀ ନେତାମାନେ ଅଭିଯୋଗ କରିଥିଲେ।
ତେବେ କୃଷକଙ୍କୁ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଜମାଖାତାକୁ ଟଙ୍କା ପଠାଯାଇଥିଲା। କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ଏହି ଯୋଜନା ଦ୍ୱାରା ସୁଫଳ ପାଇଥିବା ବେଳେ ଚାଷୀକୂଳରେ ନାଁ ନ ଥାଇ ଅନେକ ଲୋକ ଚଞ୍ଚକତା କରି ‘କାଳିଆ’ ଟଙ୍କା ହାତେଇଥିଲେ। ତେଣୁ ସରକାରଙ୍କ ନିଷ୍ପତ୍ତି ମୁତାବାକ ଆଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଆଣିବାକୁ କୃଷି ବିଭାଗ ଏଭଳି ପ୍ରୟାସ ଆରମ୍ଭ କରିଛି।


















