ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୨୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ।

ଜିଏସ୍‌ଟି ଠକେଇକାରୀଙ୍କୁ ଆଉ ମିଳିବନି ରକ୍ଷା। ଜିଏସ୍‌ଟି ଠକେଇ ମାମଲାରେ ଦିଆଯିବନି ଜାମିନ। କାରଣ ଜିଏସ୍‌ଟି ଠକେଇ ଦ୍ୱାରା ଦେଶର ଅର୍ଥନୀତି ଧ୍ୱଂସ ହେଉଛି। ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିବା ଏଭଳି ଅପରାଧୀଙ୍କୁ ଆଇନ ପରସରକୁ ନଆଣିଲେ ପୂରା ଦେଶ ପ୍ରଭାବିତ ହେବ। ଜିଏସ୍‌ଟି ଠକେଇ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ପ୍ରାୟ ୧୨୨ କୋଟି  ଟଙ୍କାର ଜିଏସଟି ଠକେଇ କରିଥିବା ଅମିତ ବେରିଓ୍ୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଏହି ରାୟ ସହିତ ଅମିତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ।

ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏସ୍‌ ମହାନ୍ତି କେସ୍‌ ଲଢ଼ିଥିଲେ। ଅମିତଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ସେଥିରେ ସେ ସଂପୃକ୍ତ ନାହାଁନ୍ତି, ତାଙ୍କୁ ବିନା ନୋଟିସରେ ଗିରଫ କରାଯାଇଛି ବୋଲି ଆଇନଜୀବୀ ଏସ୍‌ ମହାନ୍ତି ଯୁକ୍ତି ରଖିଥିଲେ।

ସରକାରଙ୍କ ପକ୍ଷରୁ ଆଇନଜୀବୀ ସୁନିଲ ମିଶ୍ର ତାଙ୍କ ଯୁକ୍ତିରେ କହିଥିଲେ ଯେ ସବୁ ପ୍ରମାଣ ପାଇବା ପରେ ଅମିତଙ୍କୁ ଗିରଫ କରାଯାଇଛି। ଗରଫ ବେଳେ ସବୁ ନିୟମର ପାଳନ କରାଯାଇଛି।

ଅମିତ ବିଭିନ୍ନ ଜାଲ ସଂସ୍ଥା ଖୋଲି ଜିଏସଟିରେ ଥିବା ଇନପୁଟ ଟ୍ୟାକ୍ସ କ୍ରେଡିଟ ବ୍ୟବସ୍ଥାର ଭୁଲ ଉପଯୋଗ କରି ପ୍ରାୟ ଶହେ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ରାଜ୍ୟକୁ ୧୨୧ କୋଟି ୬୭ ଲକ୍ଷ ଟଙ୍କା ରାଜସ୍ୱ ସହିବାକୁ ପଡ଼ିଥିଲା। ଏ ନେଇ ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ୨୦୨୦, ଜାନୁଆରି ୧୮ରେ ମାମଲା ରୁଜୁ କରିଥିଲା। ଏହାପରେ ଅମିତଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାଙ୍କୁ ଜିଏସ୍‌ଟି ଏନଫେର୍ସମେଣ୍ଟ ସ୍ୱାଡ ଗିରଫ କରିଥିଲା।

ଫେବ୍ରୁଆରି ୨୪, ୨୦୨୦ରେ ଅମିତ ରାଉରକେଲା ଅତିରକ୍ତି ଦୌରା ଜଜଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ। ସେଠାରେ ନିୟମିତ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

ହାଇକୋର୍ଟରେ ଜିଷ୍ଟସ ସଞ୍ଜୀବ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସମ୍ପର୍କିତ ଜାମିନ ଆବେଦନର ଶୁଣାଣି କରି ଜୁନ ୧୦ରେ ରାୟ ସଂରକ୍ଷିତ ରଖିଥିଲେ। ଏବେ ହାଇକୋର୍ଟ ତାଙ୍କ ରାୟ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here