ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲମ୍ବା କେଶ ରଖିବାଠାରୁ ଆରମ୍ଭ କରି ବିଶ୍ୱକପ୍ ପରେ ଲଣ୍ଡା ହେବା ପର୍ଯ୍ୟନ୍ତ ଧୋନୀଙ୍କ କେଶକୁ ନେଇ ସବୁବେଳେ ଚର୍ଚ୍ଚା ଜୋର ଧରିଛି। ଜାଣନ୍ତୁ, ଏହାକୁ ନେଇ ଥିବା କିଛି ରୋଚକ କଥା ବିଷୟରେ…..

ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ନିଜର ଦାୟିତ୍ୱ ତୁଲାଇଥିଲେ ମହେନ୍ଦ୍ର ସିଂହ ଧୋନୀ। ତାଙ୍କ ନେତୃତ୍ୱରେ ଭାରତ ତିନି ତିନୋଟି ଆଇସିସି ଟ୍ରଫି ହାତେଇବା ସହ ବିଶ୍ୱକପ୍ ବିଜୟୀ ହୋଇଥିଲା। ଯେଉଁ କାରଣରୁ ଧୋନୀଙ୍କ ଫ୍ୟାନମାନେ ଆଜି ବି ତାଙ୍କୁ ଅଧିନାୟକଙ୍କ ମଧ୍ୟରେ ବେଷ୍ଟ୍ ବୋଲି କହିଥାନ୍ତି।

ତେବେ କ୍ୟାପଟେନ୍ ମାହିଙ୍କ କ୍ୟାପଟେନସିପକୁ ଛାଡ଼ି ତାଙ୍କର କେଶକୁ ନେଇ ବାରମ୍ଭାର ଚର୍ଚ୍ଚା ହୋଇଥାଏ। କ୍ୟାରିୟର ଆରମ୍ଭରେ ତାଙ୍କର ଲମ୍ବା କେଶଠାରୁ ଆରମ୍ଭ କରି ବିଶ୍ୱକପ୍ ଜିତିବା ପରେ ଲଣ୍ଡା ହେବା ଭଳି ଅନେକ ଘଟଣା ଆଜି ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ନେଇ ଅନେକ ରୋଚକ କଥା ମଧ୍ୟ ଧୋନିଙ୍କ କ୍ରିକେଟ୍ କ୍ୟାରିୟରରେ ଦେଖିବାକୁ ମିଳିଛି।

ଯେବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କଲେ ସେ ସମୟରେ ଭାରତୀୟ ଦଳର ନେତୃତ୍ୱ ନେଉଥିଲେ ସୌରଭ ଗାଙ୍ଗୁଲି।  ତାଙ୍କରି ନେତୃତ୍ୱରେ ହିଁ ଧୋନୀ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ସେ ସମୟରେ ଧୋନୀଙ୍କ ବ୍ୟାଟିଂକୁ ନେଇ ଯେତିକି ଚର୍ଚ୍ଚା ହେଉନଥିଲା ତାଠାରୁ ଅଧିକ ତାଙ୍କର ଲମ୍ବା କେଶକୁ ନେଇ ହେଉଥିଲା।

ଏପରିକି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫ୍ ମଧ୍ୟ ଧୋନୀଙ୍କ ଲମ୍ବା କେଶର ଫ୍ୟାନ୍ ବୋଲି ସେ ନିଜେ କହିଥିଲେ। ଏଥିସହିତ ତାଙ୍କୁ ଏହି ଲମ୍ବା କେଶ ନକାଟିବାକୁ ସେ ପରାମର୍ଶ ଦେଇଥିଲେ।

ଧୋନୀ ତାଙ୍କର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ବଲିଉଡ୍ ହିରୋ ଜନ୍ ଆବ୍ରାହମଙ୍କୁ ବହୁତ ପସନ୍ଦ କରନ୍ତି। ତାଙ୍କୁ ଦେଖି ହିଁ ସେ ପ୍ରଥମେ ଲମ୍ବା କେଶ ରଖିବା ଆରମ୍ଭ କରିଥିଲେ ବୋଲି ଧୋନୀ କହିଥିଲେ। ଏହି କଥା ମଧ୍ୟ ବହୁତ କମ୍ ଲୋକଙ୍କୁ ଜଣାଥିବ ଯେ, ଜନ୍ ଆବ୍ରାହମ ଓ ବିପାସା ବାସୁ ଦୁହେଁ ଧୋନୀଙ୍କର ଘନିଷ୍ଠ ବନ୍ଧୁ ବୋଲି। ଏହାପରେ ଧୋନୀ ୨୦୦୭ ଆଇସିସି ଟି-୨୦ ବିଶ୍ୱକପ ଜିତିବା ପରେ ନିଜର କେଶକୁ ଛୋଟ କରିଦେଇଥିଲେ।

ଏହାପରେ ଧୋନୀଙ୍କ ନେତୃତ୍ୱରେ ଧୋନୀ ୨୦୧୧ ବିଶ୍ୱକପ୍ ଖେଳିଥିଲା। ଯେଉଁଥିରେ ଦଳ ବିଶ୍ୱ ଚାମ୍ପିୟନ ହୋଇଥିଲା। ତେବେ ଏହି ସମୟରେ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଶ୍ୱକପ୍ ବିଜୟୀ ହେବା ପରେ ଧୋନୀ ତାଙ୍କର ମୁଣ୍ଡ ଲଣ୍ଡା କରିଦେଇଥିବା ଦେଖିବାକୁ ମିଳିଥିଲା। ସେ ସମୟରେ ଫ୍ୟାନ୍ସମାନେ ଏହାର କାରଣ ଖୋଜିବାକୁ ଚେଷ୍ଟା କରିଥିଲେ।

ଏହାକୁ ନେଇ ଧୋନୀଙ୍କ ସାଥୀ କ୍ରିକେଟର ହରଭଜନ ସିଂହ କୁହନ୍ତି, “ଆମେ ସମସ୍ତେ ବିଶ୍ୱକପ୍ ଜିତିଲା ପରେ ଡ୍ରେସିଂ ରୁମରେ ପାର୍ଟି କରୁଥିଲୁ। ହେଲେ ହଠାତ୍ ଧୋନୀ ସେଠାରୁ ଚାଲିଯାଇଥିଲେ। ଆଉ ଆମେ ପରେ ଯେତେବେଳେ ଧୋନୀଙ୍କୁ ଦେଖିଲୁ ସେତେବେଳକୁ ତାଙ୍କ ମୁଣ୍ଡରେ କେଶ ନଥିଲା।”

ତେବେ ଧୋନୀ ବିଶ୍ୱକପ୍ ଜିତିଲେ ଲଣ୍ଡା ହେବେ ବୋଲି ଏକ ମାନସିକ ରଖିଥିବା ହରଭଜନ କହିଥିଲେ।

ଏହିଭଳି ଭାବେ ଧୋନୀଙ୍କ ଲମ୍ବା କେଶଠାରୁ ଆରମ୍ଭ କରି ଲଣ୍ଡା ହେବା ପର୍ଯ୍ୟନ୍ତ ବିଭିନ୍ନ କଥା ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଲମ୍ବା କେଶ ସହ କ୍ୟାରିଅର ଆରମ୍ଭ କରିଥିବା ଧୋନୀ କ୍ରିକେଟରେ ଆଗକୁ ବଢ଼ିବା ସହିତ ନିଜର କେଶକୁ ଛୋଟ କରିଚାଲିଥିଲେ।

LEAVE A REPLY

Please enter your comment!
Please enter your name here