ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଦଳର କ୍ୟାପଟେନ ବିରାଟ କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପ୍ରାୟୋଜିତ (ସ୍ପୋନ୍ସର୍ଡ) ପୋଷ୍ଟ କଲେ ତାଙ୍କୁ ୨ କୋଟି ଟଙ୍କାର ଆୟ ମିଳେ। ସେହିପରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର ଏହିପରି ଗୋଟିଏ ପୋଷ୍ଟ ପାଇଁ ପାଆନ୍ତି ପ୍ରାୟ ୮୮ ଲକ୍ଷ ଟଙ୍କା।

କ୍ରିକେଟ୍‌ ବେଟ୍‌ ଇଣ୍ଡିଆ ୱେବ୍‌ସାଇଟ୍‌ ଦ୍ୱାରା ପ୍ରକାଶିତ ଏହି ସର୍ଭେ କହୁଛି ଯେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରୁ ଭାରତୀୟ ଓ ଅନ୍ୟ ଅନ୍ତର୍ଜାତୀୟ କ୍ରିକେଟରମାନେ ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ କରାଯାଇଥିବା ଏଣ୍ଡୋର୍ସମେଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ଦରକୁ ବ୍ୟବହାର କରାଯାଇ ସବୁଠୁ ଲୋକପ୍ରିୟ ପ୍ରୋଫାଇଲ କାହାର, ତାହା ସ୍ଥିର ହୁଏ।

ଆଇପିଏଲ୍‌ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କ୍ୟାପ୍‌ଟେନ୍‌ ଥିବା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ୍‌ରେ ୮ କୋଟି ଫଲୋୟର୍ସ ରହିଛନ୍ତି। ସେହି ହିସାବରେ ତାଙ୍କର ଗୋଟିଏ ବ୍ୟବସାୟ ପ୍ରାୟୋଜିତ ପୋଷ୍ଟରୁ ୨ କୋଟି ୩୩ ଲକ୍ଷ ଟଙ୍କା ଆୟ ହୋଇଥାଏ। ଫୋର୍ବସ ପତ୍ରିକାର ୨୦୨୦ ଧନୀ ତାଲିକା ଅନୁସାରେ କୋହଲି ୨୦୧୯ରେ ୧୭୨ କୋଟି ଟଙ୍କା ରୋଜଗାର କରିଛନ୍ତି। ସେଥିରୁ ଦରମା ଆକାରରେ ମାତ୍ର ୧୭ କୋଟି ଥିବାବେଳେ ୧୫୫ କୋଟି ଟଙ୍କା ହେଉଛି ବିଜ୍ଞାପନ ବାବଦୀୟ ଆୟ। ଫୋର୍ବସ ତାଲିକା ଅନୁଯାୟୀ ସେ ହେଉଛି ବିଶ୍ୱର ୬୬ତମ ଧନୀ ଖେଳାଳି।

ସେହିପରି ସେହିପରି ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଇନଷ୍ଟାଗ୍ରାମ୍‌ରେ ୩ କୋଟିରୁ ଅଧିକ ଫଲୋୟର୍ସ ଅଛନ୍ତି। ତାଙ୍କର ପ୍ରତି ପୋଷ୍ଟରୁ ୮୮ ଲକ୍ଷ ଟଙ୍କା ପାଆନ୍ତି ଧୋନୀ। କୌଣସି ବ୍ରାଣ୍ଡକୁ ପ୍ରମୋଟ୍‌ କରିବା ପାଇଁ କରାଯାଇଥିବା ଭିଡିଓ ପୋଷ୍ଟରୁ ସେ ୧ କୋଟି ୩୩ ଲକ୍ଷ ଟଙ୍କା ରୋଜଗାର କରନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ନିଜ ଇନଷ୍ଟାଗ୍ରାମ୍‌ ପୋଷ୍ଟରୁ ୪୨ ଲକ୍ଷ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ଲକ୍ଷ ଟଙ୍କା ଆୟ କରନ୍ତି। ସେହିପରି ଚେନ୍ନାଇ ସୁପରକିଙ୍ଗ୍ସର ସୁରେଶ ରାଇନା ଗୋଟିଏ ପୋଷ୍ଟ ପାଇଁ ୩୪ ଲକ୍ଷ ଓ ଗୋଟିଏ ଭିଡିଓ ପୋଷ୍ଟ ପାଇଁ ୫୧ ଲକ୍ଷ ଟଙ୍କା ଅର୍ଥରାଶି ପାଇଥାନ୍ତି।

ବିଦେଶର କୌଣସି ଖେଳାଳି ଭାବେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ଓ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର ଇନଷ୍ଟାଗ୍ରାମ୍‌ରୁ ସର୍ବାଧିକ ଆୟ କରନ୍ତି। ଆଇପିଏଲ୍‌ରେ ବର୍ତ୍ତମାନ ଖେଳୁଥିବା ଡିଭିଲିୟର୍ସଙ୍କୁ ପ୍ରତି ପୋଷ୍ଟରୁ ୩୨ ଲକ୍ଷ ଓ ୱାର୍ନରଙ୍କୁ ୧୨ ଲକ୍ଷ ଟଙ୍କା ମିଳେ।

ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ଇନଷ୍ଟାଗ୍ରାମ୍‌ରେ ୨୪ କୋଟି ଫଲୋୟର୍ସ ରହିଛନ୍ତି। ତାଙ୍କର ପ୍ରତିଟି ସ୍ପୋନ୍ସର୍ଡ ପୋଷ୍ଟର ଆୟ ୬ କୋଟି। ସେହିପରି ଆର୍ଜେଣ୍ଟିନାର ଫୁଟବଲ ତାରକା ଲିଓନେଲ ମେସିଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ ପିଛା ଆୟ ୪ କୋଟି ଟଙ୍କା।

Comment