ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜିତିବା ସହ ଭାରତ ବିପକ୍ଷରେ ସିରିଜ୍ କବଜା କରିଛି ଅଷ୍ଟ୍ରେଲିଆ। ହେଲେ ଦଳକୁ ଏହି ସମୟରେ ଏକ ବଡ଼ ଝଟକା ଲାଗିଛି। ଆହତ ଜନିତ ସମସ୍ୟା ହେତୁ ଶେଷ ଦିନିକିଆ ଓ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ନର।

ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନକିଆ ମ୍ୟାଚ୍ ଖେଳାଯାଇଥିଲା। ଏହି ସମୟରେ ଫିଲଡିଂ କରୁଥିବା ଡେଭିଡ୍ ୱାର୍ନର ଆହତ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। ଯେଉଁଥିରେ ସେ ଭାରତ ବିପକ୍ଷ ଶେଷ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିପାରିବେନି ବୋଲି ଜଣାପଡ଼ିଛି।

ଭାରତ ବିପକ୍ଷରେ ଏହି ଓପନର ଜଣକ ଦୁଇଟି ମ୍ୟାଚରେ ଜବରଦସ୍ତ ଇଂନିସ ଖେଳିଥିଲେ। ତେଣୁ ତାଙ୍କର ଆହତ ଜନିତ ସମସ୍ୟା ଅଷ୍ଟ୍ରେଲିଆକୁ କ୍ଷତି ପହଞ୍ଚାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପଟେ ତାଙ୍କ ବଦଳଖେଳାଳି ଭାବେ ଡାର୍ସି ସର୍ଟ ଦଳରେ ଯୋଗଦେବେ ବୋଲି ଜଣାପଡ଼ିଛି।

ଏହାସହ ଅଷ୍ଟ୍ରେଲିଆ ବର୍ତ୍ତମାନ ଦିନିକିଆ ସିରିଜ୍ ଜିତିସାରିଥିବାରୁ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସକୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିଲେ ସେ ଆଗାମୀ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିପାରିବେ ବୋଲି କହିଛନ୍ତି କ୍ରିକେଟ୍ ଅଷ୍ଟ୍ରେଲିଆର କୋଚ୍ ଜଷ୍ଟିନ୍ ଲାଙ୍ଗର। ସୂଚନାଯୋଗ୍ୟ ଯେ, ଦିନିକିଆ ଓ ଟି-୨୦ ସିରିଜ ପରେ ଡିସେମ୍ବର ୧୭ରୁ ଭାରତ-ଅଷ୍ଟ୍ରେଲିଆ ଭିତରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

Comment