ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେଷ୍ଟରେ ଲାରାଙ୍କ ବିଶ୍ଵ ରେକର୍ଡ ରହିଛି। ଓ୍ଵେଷ୍ଟଇଣ୍ଡିଜର ବ୍ରାଏନ ଲାରା ଗୋଟିଏ ଇଂନିସରେ ୪୦୦ ରନ୍‌ କରିଥିଲେ। ତାଙ୍କ ଏହି ରେକର୍ଡ ଭାଙ୍ଗିବା ଏକ ପ୍ରକାର ଅସମ୍ଭବ। ହେଲେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଡେଭିଡ ଓ୍ଵାର୍ନର ଏହା ଉପରେ ଭବିଷ୍ୟବାଣୀ କରି କହିଛନ୍ତି ଯେ, ଲାରାଙ୍କ ରେକର୍ଡ କେବଳ ରୋହିତ ଶର୍ମା ଭାଙ୍ଗି ପାରିବେ।

ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେଭିଡ ଓ୍ଵାର୍ନର ୩୩୫ ରନ୍‌ କରି ତ୍ରିଶତକ ହାସଲ କରିଛନ୍ତି। ତାଙ୍କୁ ବ୍ରାଏନ ଲାରାଙ୍କ ବିଶ୍ଵ ରେକର୍ଡକୁ ଭାଙ୍ଗିବାକୁ ଆଉ ୬୫ ରନ୍‌ ଦରକାର ହେଉଥିବା ବେଳେ ଅଧିନାୟକ ଟିମ୍‌ ପେନ୍‌ ପାଳି ଘୋଷଣା କରି ଦେଇଥିଲେ। ଓ୍ଵାର୍ନର ଏହି ରେକର୍ଡ ଭାଙ୍ଗି ପାରିଲେ ନାହିଁ। ହେଲେ ତାଙ୍କ ମତରେ ରୋହିତ ଭବିଷ୍ୟତରେ ଏହି ରେକର୍ଡ ଭାଙ୍ଗିବେ।

ଏନେଇ ଡେଭିଡ ଓ୍ଵାର୍ନ କହିଥିଲେ, “୪୦୦ ରନର ରେକର୍ଡକୁ ଛୁଇଁବା ବ୍ୟକ୍ତିଗତ ଖେଳାଳି ଉପରେ ନିର୍ଭର କରେ। ଯେହେତୁ ଏଠାକାର ବାଉଣ୍ଡ୍ରୀ ବହୁତ ଲମ୍ବା, ତେଣୁ ଆମ ପାଇଁ ସବୁକିଛି କଷ୍ଟକର ହୋଇପଡ଼େ। ଯଦି କୌଣସି ଖେଳାଳି ଟେଷ୍ଟ କ୍ରିକେଟରେ ୪୦୦ ରନର ରେକର୍ଡ ଛୁଇଁପାରିବ, ତାହେଲେ ଦିନେ ରୋହିତ୍ ଶର୍ମା ଏହା ନିଶ୍ଚିତ ଭାବେ କରିପାରିବେ।”

ଲାରାଙ୍କ ଏହି ଅପରାଜିତ ୪୦୦ ରନ୍‌ ଟେଷ୍ଟ କ୍ରିକେଟରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ଯାହାକି ସେ ୨୦୦୪ରେ ଇଂଲଣ୍ଡ ବିପକ୍ଷରେ କରିଥିଲେ।

Comment