ଓଡିଶାଲାଇଭ୍ ବ୍ୟୁରୋ

ଏଇ ଲକ୍‌ଡାଉନରେ ଯେତେବେଳେ ବାହାରକୁ ଗୋଡ଼ କାଢ଼ି ହେଉନାହିଁ, ଘରେ ବସି ସମସ୍ତେ ବୋର୍ ହେବା ସ୍ୱାଭାବିକ କଥା। ଏହି ବୋର୍‌ଡମ୍ କାଟିବା ପାଇଁ ଅଧିକାଂଶ ଅନ୍‌ଲାଇନ୍ ଗେମ୍‌କୁ ପସନ୍ଦ କରୁଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଅନ୍‌ଲାଇନ୍ ଗେମ୍ ଏବେ ଆଉ ଏକ ସାମାନ୍ୟ ଖେଳ ହୋଇ ରହିନାହିଁ। ଏହା ଏବେ ଏକ ବଡ଼ ବ୍ୟବସାୟରେ ପରିଣତ ହେଲାଣି। ବର୍ଷେ ଦୁଇ ବର୍ଷ ପରେ ଏହାର ବାର୍ଷିକ କାରବାର ୧୨ ହଜାର କୋଟି ଟଙ୍କା ପାଖାପାଖି ପହଞ୍ଚିଯିବ।

online gaming

ଆମ ଦେଶରେ ପ୍ରତ୍ୟେକ ଦିନ ୫୦ କୋଟି ଲୋକ ଭିଡିଓ ଗେମ୍ ଖେଳନ୍ତି। ପବ୍‌ଜି ଓ କଲ୍ ଅଫ୍ ଡ୍ୟୁଟି ଭଳି ଗେମ୍ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ୩୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଅନ୍‌ଲାଇନ ରୁମି ଓ ପୋକେର ଭଳି ଗେମ୍ ବେଶୀ ଆକର୍ଷିତ କରିପାରିଛି। ଦେଶର ଲକ୍ଷ ଲକ୍ଷ ଲୋକ ବିଭିନ୍ନ କାରଣରୁ ଗେମ୍ ଖେଳିଥାନ୍ତି। ପୂର୍ବରୁ ଲୋକେ ନିଜ ବିରକ୍ତି ବା ବୋର୍‌ଡମ୍ କାଟିବା ପାଇଁ ଗେମ୍ ଖେଳୁଥିଲେ। କିନ୍ତୁ ତାହା ଅନେକ ଯୁବପିଢ଼ିଙ୍କ ପାଇଁ ଏବେ କ୍ୟାରିୟର ଭାବେ ଉଭା ହୋଇଛି। ଭାରତରେ ଅନ୍‌ଲାଇନ ଗେମ୍‌ର ଚାହିଦା ଏତେ ବଢ଼ିଯାଇଛି ଯେ ୨୦୨୨-୨୩ ଆର୍ଥିକ ବର୍ଷ ବେଳକୁ ଏହାର ବ୍ୟବସାୟ ୧୧,୯୦୦ କୋଟି ଟଙ୍କା ପାଖାପାଖି ପହଞ୍ଚିଯିବ।

online gaming

କେପିଏମ୍‌ଜି-ଇଣ୍ଡିଆନ ଫେଡେରେଶନ ଅଫ୍ ସ୍ପୋର୍ଟସ ଗେମିଂ ରିପୋର୍ଟ ଅନୁସାରେ ୨୦୧୩-୧୪ ଆର୍ଥିକ ବର୍ଷରେ ଅନ୍‌ଲାଇନ ଗେମ୍‌ର ବେପାର ୨ ହଜାର କୋଟି ଟଙ୍କା ରହିଥଲା। ୨୦୧୭-୧୮ ବେଳକୁ ଏହି ବ୍ୟବସାୟ ୪ ହଜାର ୪୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ପ୍ରତିବର୍ଷ ଏହି ବ୍ୟବସାୟରେ ୨୨ ପ୍ରତିଶତ ବୃଦ୍ଧି ହୋଇଚାଲିଛି। ସେହି ଦୃଷ୍ଟିରୁ ଏହି ବ୍ୟବସାୟ ୨୦୨୨-୨୩ ବେଳକୁ ପ୍ରାୟ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିଥିବ ବୋଲି ଅନୁମାନ କରାଯାଉଛି। ୨୦୧୮ ବେଳକୁ ଗେମର ଓ ଗେମ୍ ବିକଶିତ କରୁଥବା କମ୍ପାନିଗୁଡ଼ିକର ସଂଖ୍ୟା ୨୫ କୋଟିରେ ପହଞ୍ଚି ସାରିଥିଲା।

ଡିଜିଟାଲ ଗେମିଂ କାରବାରର ପ୍ରମୁଖ ମାଧ୍ୟମ ପାଲଟିଛି ସ୍ମାର୍ଟଫୋନ୍

ଭାରତୀୟ ଓ ବିଶ୍ୱ ବଜାରରେ ସ୍ମାର୍ଟଫୋନ୍ ପ୍ରବେଶ କରିବା ପରେ ଏହା ହିଁ ଅନ୍‌ଲାଇନ ଗେମ୍‌ରୁ ଅର୍ଥ ରୋଜଗାର କରିବାର ପ୍ରମୁଖ ମାଧ୍ୟମ ବା ଉତ୍ସ ପାଲଟିଛି। ୨୦୧୬-୧୭ରେ ଅନ୍‌ଲାଇନ ଗେମିଂରୁ ହୋଇଥିବା କାରବାରର ୮୫ ପ୍ରତିଶତ ଅର୍ଥ କେବଳ ମୋବାଇଲ ଫୋନ୍‌ରୁ ହିଁ ଆସିଛି। ରୁମି ଓ ପୋକେର ଭଳି ଗେମ୍ ରୋଜଗାରର ଖୋରାକ ଦେଉଥିବା ବେଳେ ପବ୍‌ଜି ଓ କଲ୍ ଅଫ୍ ଡ୍ୟୁଟି ଭଳି ଗେମ୍ ଟଙ୍କା ଆୟ କରିବାର ଅନେକ ପ୍ରକାର ବାଟ ଦେଖାଇବା ସହ ବିଭିନ୍ନ ବ୍ରାଣ୍ଡଗୁଡ଼ିକ ପ୍ରାୟୋଜନରେ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରୁଛି। ଫେସ୍‌ବୁକ୍ ଓ ୟୁଟ୍ୟୁବ୍ ଭଳି ସୋସିଆଲ ମିଡିଆରେ ମଧ୍ୟ ଅନ୍‌ଲାଇନ ଗେମ୍‌ ନିଜ କାୟା ବିସ୍ତାର କରିଚାଲିଛି। ୨୫ ବର୍ଷ ବୟସ ଭିତରେ କିଶୋର ଓ ତରୁଣମାନେ ଫେସ୍‌ବୁକ୍‌ରେ ଅନ୍‌ଲାଇନ ଗେମ୍‌ ଖେଳିବାକୁ ବେଶି ପସନ୍ଦ କରୁଛନ୍ତି। ଭାରତର ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଖୁବ୍ କମ୍ ଦାମରେ ସ୍ମାର୍ଟଫୋନ୍‌ ଉପଲବ୍ଧ ହେବା ଫଳରେ ଅନ୍‌ଲାଇନ ଗେମିଂ ଦେଶର କୋଣ ଅନୁକୋଣକୁ ପ୍ରସରିବାରେ ଲାଗିଛି।

ରୋଜଗାର ଦେଉଛି ଅନ୍ଲାଇନ ଗେମିଂ

ଉଲ୍ଲେଖନୀୟ କଥା ହେଉଛି ଏହି ଅନ୍‌ଲାଇନ ଗେମିଂ ଯାହା ଆଗରୁ ଖେଳ ଥିଲା, ତାହା ଏବେ ରୋଜଗାରର ମାଧ୍ୟମ ପାଲଟିଛି। ଏଥରେ ଗେମ୍ ଖେଳୁଥବା ବ୍ୟକ୍ତି ଓ ଗେମ୍ ବିକଶିତ କରୁଥବା ବ୍ୟକ୍ତି ଉଭୟେ ଭଲ ରୋଜଗାର କରିପାରୁଛନ୍ତି। ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍‌ ବଜାର। ଇଣ୍ଟରନେଟ୍‌ ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ବରେ ତୃତୀୟ। ୨୦୧୮ରେ ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀ ବା ୟୁଜରଙ୍କ ସଂଖ୍ୟା ୫୦ କୋଟି ଥିଲା। ସେହି ଦୃଷ୍ଟିରୁ ଅନ୍‌ଲାଇନ ଗେମିଂ ସେହି ୟୁଜରଙ୍କ ମଧ୍ୟରେ ବହୁ ଆଦୃତ ହେବାରେ ଲାଗିଛି। ବିଦେଶରୁ ଏବେ ବିଭିନ୍ନ କମ୍ପାନିଗୁଡ଼ିକ ଭାରତୀୟ ଅନ୍‌ଲାଇନ ଗେମିଂରେ ବିପୁଳ ପରିମାଣର ପୁଞ୍ଜି ନିବେଶ କଲେଣି। ପୋକେର ବାଜି ଭଳି ଅନ୍‌ଲାଇନ ଗେମ୍ ପାଇଁ ଅଲିମ୍ପିକ ପଦକ ବିଜେତା ବକ୍ସର ବିଜେନ୍ଦର ସିଂ ବ୍ରାଣ୍ଡ ଆମ୍ବାସାଡର ଭାବେ ମଧ୍ୟ ନିଯୁକ୍ତି ପାଇଛନ୍ତି। ସ୍ମାର୍ଟଫୋନ୍‌ରେ ଡିଜିଟାଲ ପେମେଣ୍ଟ ଏହି ଖେଳକୁ ଅଧିକ ପ୍ରୋତ୍ସାହନ ଦେଉଛି।

BGU

ଆଇନ ଦୃଷ୍ଟିରେ ଅନ୍ଲାଇନ ଖେଳ

ଭାରତରେ ସଟ୍ଟାବାଜି ଓ ଜୁଆକୁ ଆଇନତଃ ଅପରାଧ ବୋଲି କୁହାଯାଉଛି। ତାହା ଅଫ୍‌ଲାଇନ ହେଉ ଅବା ଅନ୍‌ଲାଇନ। ଦକ୍ଷତା ବୃଦ୍ଧି କରୁଥବା ଗେମ୍‌ ବା ଖେଳ ଅନେକ ଆଇନରେ ବୈଧ। କିନ୍ତୁ ସୁଯୋଗ ଓ ଲୋଭ ସୃଷ୍ଠି କରୁଥବା ଗେମ୍‌ ଆଇନ ଦୃଷ୍ଟିରୁ ନିଷେଧ। ଦ ପବ୍ଲିକ ଗ୍ୟାମ୍ବଲିଂ ଆକ୍ଟ, ୧୮୬୭ ଅନୁଯାୟୀ ସୁଯୋଗ ସୃଷ୍ଟି କରୁଥବା ଖେଳ ଉପରେ ଭାରତରେ କଟକଣା ରହିଛି। ହର୍ସ ବେଟିଂ, ରୁମି, ପୋକେର ଭଳି ଖେଳଗୁଡ଼ିକ କେତେକ ରାଜ୍ୟରେ ଦକ୍ଷତା ବୃଦ୍ଧି ସମ୍ପର୍କିତ ବୋଲି ଗ୍ରହଣ କରାଯାଉଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଏହା ଉପରେ କଟକଣା ରହିଛି। ସ୍ପୋର୍ଟସ ବେଟିଂ ଏକ ଦକ୍ଷତା ବଢ଼ାଉଥିବା ଖେଳ ନା ଅନ୍ୟ କିଛି, ସେନେଇ ସୁପ୍ରିମକୋର୍ଟରେ ଏକ ମାମଲା ମଧ୍ୟ ବିଚାରାଧୀନ ରହିଛି। ରୁଲେଟ୍, ବ୍ଲାକ୍‌ଜ୍ୟାକ୍ ଓ ସ୍ଲଟ୍‌ସ ଭଳି କ୍ୟାସିନୋ ଗେମ୍‌ଗୁଡ଼ିକ ଦକ୍ଷତା ବଦଳରେ ସୁଯୋଗ ହୋଇଥିବାରୁ ଏହାକୁ ଜୁଆ ଓ ସଟ୍ଟା ଭଳି ଖେଳ ଭାବେ ଗ୍ରହଣ କରାଯାଉଛି।

LEAVE A REPLY

Please enter your comment!
Please enter your name here