ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରରେ ଆଣ୍ଟିବଡି ବା ସେରୋସର୍ଭେ ଟେଷ୍ଟକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଣ୍ଟିବଡି ଟେଷ୍ଟ ବେଳେ ଏଏନ୍‍ଏମ୍‍ କର୍ମୀ ଜଣେ ବୃଦ୍ଧାଙ୍କ ହାତରେ ବାରମ୍ଵାର ସିରିଞ୍ଜ ଫୋଡ଼ି ତାଙ୍କୁ ଲହୁ ଲୁହାଣ କରିବା ସତ୍ତ୍ଵେ ମଧ୍ୟ ରକ୍ତ ନମୁନା ସଂଗ୍ରହ କରି ନ ପାରିବାରୁ ଏହି ଅସନ୍ତୋଷ ଦେଖାଦେଇଥିବା ସୂଚନା ମିଳିଛି।କୋଭିଡ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ବଡ଼ ପଦକ୍ଷେପ ନିଆଯାଉଛି। କରୋନାରେ ବର୍ତମାନ ସ୍ଥିତି ଓ ଗ୍ରାମୀଣ ଲୋକଙ୍କ ରୋଗ ପ୍ରତିଷେଧକ କ୍ଷମତା ଜାଣିବାକୁ ଆଇ.ସି.ଏମ୍‍.ଆର ନିର୍ଦ୍ଦେଶରେ ରାଜ୍ୟରେ ଆର୍‍ଏମ୍‍ଆରସି ଦ୍ୱାରା ଆରମ୍ଭ ହୋଇଛି ଆଣ୍ଟିବଡି ଟେଷ୍ଟ ବା ସେରୋ ସର୍ଭେ। ଏହି ବ୍ୟବସ୍ଥା ଅନୁସାରେ ରାୟଗଡ଼ା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହୋଇଛି। ହେଲେ ଏଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ଏଏନଏମ୍‍ କର୍ମୀ ଲୋକଙ୍କ ରକ୍ତନମୁନା ସଂଗ୍ରହ କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି।BGUପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସେରୋ ସର୍ଭେ ପାଇଁ ଡକାଯାଇଥିଲା। ଲୋକେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ନମୁନା ଦେବାକୁ ଆସିଥିଲେ। ରକ୍ତ ନମୁନା ସଂଗ୍ରହ କରିବାକୁ ନିୟୋଜିତ ଏଏନ୍‍ଏମ୍‍ କର୍ମୀ ପିପିଇ କିଟ, ଗ୍ଲୋଭସ୍‍ ସମେତ ସମସ୍ତ ସରଞ୍ଜାମ ପିନ୍ଧି ପ୍ରସ୍ତୁତ ମଧ୍ୟ ହୋଇଥିଲେ। ପ୍ରଥମେ ଜଣେ ବୃଦ୍ଧାଙ୍କ ରକ୍ତ ନମୁନା ନେବା ପାଇଁ କର୍ମୀ ଜଣଙ୍କ ତାଙ୍କ ହାତରେ ବାରମ୍ଵାର ସିରିଞ୍ଜ ଫୁଟାଇଥିଲେ ସୁଦ୍ଧା ଥରୁଟିଏ ବି ନମୁନା ସଂଗ୍ରହରେ ବିଫଳ ହୋଇଥିଲେ। ବାରମ୍ଵାର ଛୁଞ୍ଚି ଫୁଟିବା ଫଳରେ ବୃଦ୍ଧା ଜଣଙ୍କ ଲହୁଲୁହାଣ ହେବା ଦେଖି ତାଙ୍କ ସଂପର୍କୀୟ ବିରକ୍ତ ହୋଇ ତାଙ୍କୁ ସେଠାରୁ ଫେରାଇ ନେଇଥିଲେ। ଏଏନ୍‍ଏମ୍‍ କର୍ମୀଙ୍କ ଏପରି ଅପାରଗତା ପାଇଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଫଳରେ ଦୀର୍ଘ ସମୟ ପାଇଁ ଉକ୍ତ କେନ୍ଦ୍ରରେ ନମୁନା ସଂଗ୍ରହ ବନ୍ଦ ରହିଥିଲା।“ବିନା କୌଣସି ତାଲିମ ଦେଇ ଏଏନ୍‍ଏମ୍‍ ଓ ଅଙ୍ଗନବାଡି କର୍ମୀଙ୍କୁ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ସେମାନଙ୍କ ଭୁଲ୍ ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଫଳରେ ଅନ୍ୟ କେହି ଲୋକ ନମୁନା ଦେବା ପାଇଁ ମଙ୍ଗୁ ନାହାନ୍ତି”, କହିଛନ୍ତି ସ୍ଥାନୀୟ ବାସିନ୍ଦା ମାଲେଶ୍ୱର ପଟ୍ଟନାୟକ ଓ ଗୌରୀ ପଟ୍ଟନାୟକ।

ତେବେ ଘଟଣାକୁ ନେଇ କ୍ୟାମ୍ପ ପରିଚାଳନା କରୁଥିବା ଆରଏମ୍‍ଆର୍‍ସି ଇନ୍‍ଚାର୍ଜଙ୍କ ସମେତ ସଂପୃକ୍ତ ନର୍ସ କିଛି କହିବାକୁ ମନା କରିଦେଇଥିବା ବେଳେ ରାୟଗଡ଼ା ସିଡିଏମ୍‍ଓ ମଧ୍ୟ ଅବ୍ୟବସ୍ଥା ସଂପର୍କରେ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରି ଦେଇଥିବା ସୂଚନା ମିଳିଛି।

Comment