ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମରାମତି କାମକୁ ଚାରିମାସ ନ ପୂରୁଣୁ ଖାଲଖମାରେ ପରିପୂର୍ଣ୍ଣ ହେଲାଣି ରାୟଗଡ଼ା ଓଭର ବ୍ରିଜ। ଗତ ମାର୍ଚ୍ଚ ମାସରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଟେଣ୍ଡର ଡକାଯାଇ ଠିକାଦାରଙ୍କୁ ମରାମତି ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଉଦବେଗର ବିଷୟ ବର୍ଷା ନସରୁଣୁ ରାସ୍ତାରୁ ପିଚୁ ଉଠି ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହେଲାଣି। କେଉଁଭଳି ଭାବରେ ଠିକାଦାର ବ୍ରିଜକୁ ମରାମତି କରିଥିଲେ ଏବଂ ବିଭାଗୀୟ ଯନ୍ତ୍ରୀ କିଭଳି ଠିକାଦରଙ୍କ ଏଭଳି ନିନ୍ନମାନର କାମକୁ ପ୍ରଶୟ ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ପ୍ରତିବର୍ଷ ମୌସୁମୀ ଆରମ୍ଭରେ ଓଭର ବ୍ରିଜ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଜାତୀୟ ରାଜପଥ ବିଭାଗର ତାଳି ପକା କାମ ପାଇଁ ଦୀର୍ଘସ୍ଥାୟୀ ହେବା ବଦଳରେ ମାତ୍ର ଦୁଇ ତିନମାସରେ ଏହି ଓଭର ବ୍ରିଜ ଖାଲଖମାରେ ପରିପୂର୍ଣ୍ଣ ହୋଇଯାଉଛି। ବିଭାଗୀୟ ଅଧିକାରୀଙ୍କ ଏଭଳି ମନଇଚ୍ଛା କାମ ପାଇଁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।ରାୟଗଡ଼ା ଜିଲ୍ଲାକୁ ପଡ଼ୋଶୀ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବା ପାଇଁ ଏକମାତ୍ର ମାଧ୍ୟମ ପାଲିଟିଥିବା ଏହି ବ୍ରିଜକୁ ଗତ ୧୯୯୮ ମସିହାରେ ପୂର୍ତ୍ତି ବିଭାଗ ନିର୍ମାଣ କରିଥିଲା। ସମୟକ୍ରମେ ରାୟଗଡ଼ାର ଜୀବନରେଖା ପାଲଟିଥିବା ଏହି ଓଭର ବ୍ରିଜ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ମେରୁଦଣ୍ଡରେ ପରିଣତ ହୋଇଛି। ତେବେ ପ୍ରତିଦିନ ହଜାର ହଜାର ଯାନବାହନ ଏହି ଓଭର ବ୍ରିଜ ଦେଇ ଗତି କରୁଥିବାସ୍ଥଳେ ଏହାର ସୁରକ୍ଷା ଏବଂ ମରାମତି ଦାୟିତ୍ୱରେ ଥିବା ରାଜପଥ କତ୍ତୃପକ୍ଷ ତାଳି ପକା କାମ କରି ନିଜ ଦାୟିତ୍ୱ ସାରି ଦେଉଥିବା ଅଭିଯୋଗ ହେଉଛି।
ତେବେ ଦୀର୍ଘ ୨୧ ବର୍ଷ ଧରି ନିରନ୍ତର ରାୟଗଡ଼ା ସହରର ଟ୍ରାଫିକ ଭାର ସମ୍ଭାଳୁଥିବା ଏହି ବ୍ରିଜ ଉପରେ ନିର୍ଦ୍ଧାରିତ କ୍ଷମତାଠାରୁ ଉର୍ଦ୍ଧ୍ୱ ଭାରିଯାନ ବିନା କୌଣସି କଟକଣାରେ ଯାତାୟତ କରୁଛି। ଫଳରେ ବ୍ରିଜଟି ଖାଲଖମାରେ ପରିପୂର୍ଣ୍ଣ ହେବା ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିପଦସଙ୍କୁଳ ହୋଇପଡ଼ିଛି।
ଏ ନେଇ ଜାତୀୟ ରାଜପଥ କନିଷ୍ଠ ଯନ୍ତ୍ରୀ ବ୍ରଜକିଶୋର ସିଂ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ଉକ୍ତ ବ୍ରିଜରେ ପକାଯାଇଥିବା ସିମେଣ୍ଟ କଂକ୍ରିଟ ଓ ପିଚୁ ଉଠି ଯାଇଛି। କିଛିଦିନ ତଳେ ମରାମତି କରାଯାଇଥିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ତେଣୁ ଏହାକୁ ପୁନଃ ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।