ଓଡ଼ିଶାଲାଇଭ୍ ବ୍ୟୁରୋ ![](https://odisha.live/wp-content/uploads/2019/08/DHANYA-CHAND_HOCKEY_1-300x169.jpg)
ଭାରତର ଜାତୀୟ ଖେଳ ‘ହକି’ର ଜନ୍ମଦାତା ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନକୁ ଦେଶରେ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଏ। ଆସନ୍ତୁ ଜାଣିବା ଧ୍ୟାନଚାନ୍ଦଙ୍କ ବିଷୟରେ କିଛି ଅଜଣା କଥା।
ଦେଶରେ ଆଜି ପାଳନ ହେଉଛି ‘ଜାତୀୟ କ୍ରୀଡା ଦିବସ’। ଭାରତୀୟ ହକିର ଜନ୍ମଦାତା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ଧ୍ୟାନଚାନ୍ଦଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେବେ ଆସନ୍ତୁ ଜାଣିବା ଧ୍ୟାନଚାନ୍ଦଙ୍କ ବଷୟରେ କିଛି ଅଜଣା କଥା।
୧୯୦୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଧ୍ୟାନଚାନ୍ଦଙ୍କ ଜନ୍ମ। ଆଲ୍ଲାହାବାଦର ଏକ ରାଜପୁତ ପରିବାରରେ ଧ୍ୟାନଚାନ୍ଦ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୁରା ନାଁ ହେଉଛି ମେଜର ଧ୍ୟାନଚାନ୍ଦ ସିଂହ।
ଧ୍ୟାନଚାନ୍ଦଙ୍କ ପ୍ରାରମ୍ଭିକ ଜୀବନ
ଧ୍ୟାନଚାନ୍ଦ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବାପରେ ମାତ୍ର ୧୬ ବର୍ଷ ବୟସରେ ସିପାହୀ ଭାବେ କାମରେ ଯୋଗଦେଇଥିଲେ। ସେ ପ୍ରଥମ ବ୍ରାହ୍ଣଣ ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ନିୟୋଜିତ ଥିବା ସୁବେଦାର ତିୱାରୀଙ୍କ ଦ୍ୱାରା ପ୍ରେରଣା ପାଇ ଧ୍ୟାନଚାନ୍ଦ୍ ପ୍ରଥମେ ହକି ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା।
ଧ୍ୟାନଚାନ୍ଦଙ୍କ ହକି କ୍ୟାରିଅର
୧୯୨୬ ମସିହାରୁ ୧୯୪୮ ମସିହା ଯାଏଁ ଭାରତୀୟ ହକି ଇତିହାସରେ ଧ୍ୟାନଚାନ୍ଦ ଅବଦାନ ଅତୁଳନୀୟ। ଅଲମ୍ପିକ୍ସରେ ଧ୍ୟାନଚାନ୍ଦ ଭାରତ ପାଇଁ ତିନିଥର ସ୍ୱର୍ଣ୍ଣପଦକ ହାସଲ କରିବାର ଗୌରବ ଆଣି ଦେଇଥିଲେ। ସେ ୧୯୨୮, ୧୯୩୨ ଅଲମ୍ପିକ୍ସରେ ମୁଖ୍ୟ ଖେଳାଳୀ ସାଜି ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିଲେ।
ସେହିପରି ୧୯୩୬ରେ ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଅଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ବିଶ୍ୱବିଜେତା ହୋଇଥିଲା। ସବୁଠୁ ବଡ଼ କଥା ହେଲା, ଧ୍ୟାନଚାନ୍ଦ ନିଜ କ୍ୟାରିୟର ଭିତରେ ମୋଟ ୫୭୦ଟି ଗୋଲ କରିଛନ୍ତି।
ଧ୍ୟାନଚାନ୍ଦଙ୍କୁ ଫୁଟବଲରେ ପ୍ରସିଦ୍ଧ ଖେଳାଳି ପେଲେ ଓ କ୍ରିକେଟର ବ୍ରାଡମ୍ୟାନଙ୍କ ମଧ୍ୟରେ ତୁଳନା କରାଯାଏ। ହକିର ବଲ ତାଙ୍କ ଷ୍ଟିକ୍ରେ ଏପରି ଲାଗି ରହୁଥିଲା ଯେ ପ୍ରତିପକ୍ଷର ଖେଳାଳି ଏହା ଦେଖି ଆଶ୍ଚର୍ଯ୍ୟ ହେଇଯାଉଥିଲେ। ଆଶ୍ଚର୍ଯ୍ୟ କଥା, ହଲାଣ୍ଡରେ ଖେଳାଯାଉଥିବା ଏକ ମ୍ୟାଚ୍ରେ ଧ୍ୟାନଚାନ୍ଦଙ୍କ ହକି ଷ୍ଟିକରେ ଚୁମ୍ବକ ଥିବା ଆଶଙ୍କା କରି ଷ୍ଟିକ୍କୁ ଭାଙ୍ଗି ଦିଆଯାଇଥିଲା।
ଅଲମ୍ପିକ୍ସରେ ଧ୍ୟାନଚାନ୍ଦ
୧୯୨୮ ନେଦରଲ୍ୟାଣ୍ଡର ଆମଷ୍ଟରଡ୍ୟାମରେ ଖେଳାଯାଉଥିବା ଅଲମ୍ପିକ୍ସରେ ଭାରତ ପ୍ରଥମଥର ପାଇଁ ଅଂଶଗ୍ରହଣ କରିଥିଲା। ଏଥିରେ ଚତ୍ମକାର ପ୍ରଦର୍ଶନ କରିବା ସହ ହଲାଣ୍ଡକୁ ୩-୦ରେ ହରାଇ ଭାରତୀୟ ହକି ଦଳ ସ୍ୱର୍ଣ୍ଣପଦକ ଜିତିଥିଲା। ଏହି ମ୍ୟାଚ୍ର ଫାଇନାଲରେ ଦୁଇଟି ଗୋଲ କରି ଧ୍ୟାନଚାନ୍ଦ ହଲାଣ୍ଡ ହାତରୁ ବିଜୟ ଛଡ଼ାଇ ଆଣିଥିଲେ।
ସେହିପରି ୧୯୩୨ ଲସ୍ ଏଞ୍ଜେଲସ୍ ଅଲମ୍ପିକ୍ସରେ ମଧ୍ୟ ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ସେହି ସମୟରେ ଧ୍ୟାନଚାନ୍ଦ ସେଣ୍ଟର ଫରୱାର୍ଡ ଖେଳାଳି ଭାବେ ଦଳରେ ଖେଳୁଥିଲେ। ଏହି ଅଲମ୍ପିକ୍ସରେ ଭାରତୀୟ ଦଳ ମୋଟ ୨୯ଟି ଗୋଲ କରିଥିଲା। ସେଥିମଧ୍ୟରୁ ଧ୍ୟାନଚାନ୍ଦ ନିଜେ ୧୫ଟି ଗୋଲ ସମଗ୍ର ବିଶ୍ୱକୁ ଚକିତ କରାଇଦେଇଥିଲେ। ଏହି ଅଲମ୍ପିକ୍ସରେ ମଧ୍ୟ ଭାରତୀୟ ଦଳ ଚାମ୍ପିୟନ ହୋଇ ଫେରିଥିଲା।
୧୯୩୬ ବର୍ଲିନ ଅଲମ୍ପିକ୍ସରେ ଧ୍ୟାନଚାନ୍ଦଙ୍କୁ ଭାରତୀୟ ହକି ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏଥର ମଧ୍ୟ ବର୍ଲିନ ଅଲମ୍ପିକ୍ସରେ ଭାରତୀୟ ଦଳ ଲଗାତାର ତୃତୀୟ ଥର ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲା।
ମେଜର ଧ୍ୟାନଚାନ୍ଦ ଥିଲେ ସ୍ୱାଧୀନ ଭାରତର ହକି ଦଳର ପ୍ରଥମ ଅଧିନାୟକ। ଇଂରେଜମାନଙ୍କଠାରୁ ଭାରତ ସ୍ୱାଧୀନତା ପାଇବା ପରେ ଭାରତ ସରକାର ୧୯୫୬ ମସିହାରେ ଧ୍ୟାନଚାନ୍ଦଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।
ଧ୍ୟାନଚାନ୍ଦଙ୍କୁ ମନେପକାଇ ଆଜିର ଦିନକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। କ୍ରୀଡ଼ା ଦିବସ ଅବସରରେ ଦେଶର ବିଭିନ୍ନ ଖେଳାଳିମାନଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ‘ମେଜର ଧ୍ୟାନଚାନ୍ଦ ଆୱାର୍ଡ’ରେ ସମ୍ମାନିତ କରାଯାଉଛି।