ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ଖେଳିବା ପାଇଁ ବର୍ତ୍ତମାନ ୟୁଏଇରେ ଥିବା ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଆସିଛି ଖୁସି ଖବର। ମଙ୍ଗଳବାର ଦଳର ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି।
କିଛି ଦିନ ତଳେ ଦଳର ଦ୍ରୁତ ବୋଲର ଦୀପକ ଚହର ଓ ଋତୁରାଜ ଗାଏକ୍ୱାଡଙ୍କ ସହିତ ମୋଟ ୧୩ ଜଣ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତୁରନ୍ତ ଦଳର କ୍ୱାରେଣ୍ଟାଇନ୍ ଅବଧିକୁ ବଢ଼ାଇ ଦିଆଯାଇଥିଲା। ହେଲେ ଆଜି ହୋଇଥିବା ଟେଷ୍ଟରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏହି ଖବର ଏବେ ସିଏସକେ ପ୍ରେମୀଙ୍କ ମନରେ ଖୁସିର ଲହର ଖେଳିଯାଇଛି।
ତେବେ ବର୍ତ୍ତମାନ ପାଇଁ ଦୀପକ ଚହର ଓ ଋୁତୁରାଜ ଗାଏକ୍ୱାଡ଼ ଦଳ ସହିତ ଯୋଗ ଦେବେନି ବୋଲି ସୂଚନା ମିଳିଛି। ସେମାନେ ନିଜର କ୍ୱାରେଣ୍ଟାଇନ୍ ଅବଧି ଶେଷ କରିବା ପରେ ଦଳରେ ସାମିଲ ହେବେ ବୋଲି କୁହାଯାଇଛି।
ସେପ୍ଟେମ୍ବର ୩ ତାରିଖରେ ଦଳର ଖେଳାଳିମାନଙ୍କର ପୁଣିଥରେ କରୋନା ନମୁନା ପରୀକ୍ଷା ହେବ। ଯଦି ସେମାନେ ନେଗେଟିଭ୍ ଥାଆନ୍ତି ତେବେ ସେପ୍ଟେମ୍ବର ୫ରୁ ଦଳ ଅଭ୍ୟାସ କରିବାକୁ ପଡ଼ିଆକୁ ଓହ୍ଲାଇବ ବୋଲି ସୂଚନା ମିଳିଛି।


















