ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ୍ ଅଧିକାରୀ। ଜଣେ କଲେଜ ପଢୁଆ ଜଣେ ଯୁବକ ନାମରେ ଥିବା ମାମଲାର ରଫାଦଫା କରିବା ପାଇଁ ପୋଲିସ ବାବୁ ଜଣକ ତା’ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ବର୍ତ୍ତମାନ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗୋକର୍ଣ୍ଣେଶ୍ୱର ଗାଁରେ ଗତ ଜୁନ୍ ମାସରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା। ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ହୋଇଥିଲା। ମାମଲାରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ଚରଣ ବେହେରା ତଦନ୍ତକାରୀ ଅଫିସର ନିଯୁକ୍ତ ହୋଇଛନ୍ତି। ଗୋଟିଏ ପକ୍ଷର ମାମଲାରେ ଅଭିଯୁକ୍ତମାନେ ଜାମିନ ହୋଇସାରିଥିବା ବେଳେ, ଅନ୍ୟ ପକ୍ଷରୁ ଜଣକୁ ପୋଲିସ୍ ବାନ୍ଧି କୋର୍ଟ ଚାଲାଣ କରିଛି। କଠୋର ଅଭିଯୋଗରେ ଗିରଫ ଏହି ଅଭିଯୁକ୍ତଙ୍କୁ ଜାମିନ୍ ମିଳୁନି।

ଏହି ପକ୍ଷର ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ ସେଠି ନାମକ ଜଣେ କଲେଜରେ ପାଠ ପଢୁଥିବା ଯୁବକ ଅଛନ୍ତି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଦେଲେ ଛାତ୍ର ଜଣଙ୍କର ଭବିଷ୍ୟତ ଅନ୍ଧାର ହୋଇଯିବ କହି ଏହି ପକ୍ଷର ଲୋକମାନଙ୍କୁ ପୋଲିସଙ୍କୁ ଅନୁରୋଧ କରିଥିଲେ। ଏହାପରେ ରତିକାନ୍ତଙ୍କ ନାମକୁ ମାମଲାରୁ ବାଦ ଦେବାକୁ ଥାନା ଅଧିକାରୀ ୫୦୦୦ ଟଙ୍କା ଦାବି କରିଥିଲେ। ପୋଲିସର ଏହି ଲାଞ୍ଚ ଜୁଲମ୍ ସମ୍ପର୍କରେ ଅଭିଯୋଗ କରି ରତିକାନ୍ତଙ୍କ ଦାଦା ଦିବାକର ସେଠି ଭିଜଲାନ୍ସ ନିକଟରେ ଫେରାଦ ହୋଇଥିଲେ। ଏହି ଅଭିଯୋଗରେ ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା।BGUପୂର୍ବ ଯୋଜନା ମୁତାବକ ଗୁରୁବାର ରାଜକନିକା ଥାନା ଏଏସ୍ଆଇ ଥାନା ପରିସରରେ ଦିବାକର ସେଠିଙ୍କ ଠାରୁ ୫୦୦୦  ଟଙ୍କା ଲାଞ୍ଚ ନେବାବେଳେ ଭିଜଲାନ୍ସ ଦଳ ବୈଷ୍ଣବଙ୍କୁ ଧରିଥିଲା। ତାଙ୍କ ପକେଟରୁ କେମିକାଲ୍ ବୋଳା ଟଙ୍କା ଜବତ କରାଯାଇଥିଲା। ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରାପଡା ଭିଜିଲାନ୍ସ  ଡିଏସପି ସୁରେନ୍ଦ୍ର ନାରାୟଣ ରାୟଗୁରଙ୍କ ନେତୃତ୍ୱରେ ଏକ ଟିମ୍ ବୈଷ୍ଣବଙ୍କୁ ଗିରଫ କରିଛନ୍ତି।

Comment