ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଦ୍ଵାରା ଗିରଫ ହୋଇ ଜେଲ ଯାଇଥିବା ରାୟଗଡ଼ା ଡିଏଫଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇ ଜେଲ ଯାଇଥିବା ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି।

ଗତ ଅଗଷ୍ଟ ମାସ ୨୪ ତାରିଖରେ ବିଜୟ କୁମାର ପରିଡ଼ାଙ୍କର ବାସଗୃହ ଏବଂ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଚଢ଼ାଉ ସମୟରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିଲା। କଟକ ଶ୍ରୀକୋରୁଆଠାରେ ୪ ମହଲା ବିଶିଷ୍ଟ ଅଟ୍ଟାଳିକା, ଯାହାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।

ସେହିପରି ଭୁବନେଶ୍ଵରର ପଳାଶୁଣିଠାରେ ତିନି ମହଲା ବିଶିଷ୍ଟ କୋଠା, କଳାରାହାଙ୍ଗର ଆଶୀର୍ବାଦ ପ୍ଲାଜାରେ ଫ୍ଲାଟ, କଟକ, ପୁରୀ ଏବଂ ଯାଜପୁରରେ ପ୍ରାୟ ୧୬ଟି ମୂଲ୍ୟବାନ ଜମି ଠାବ ହୋଇଥିଲା।

ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ନିକଟରେ ଆୟଠାରୁ ୨୦୭ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଚଢ଼ଉ ସମୟରେ ଜଣାପଡ଼ିଥିଲା। ଚଢ଼ାଉ ବେଳେ ନଗଦ ୧ କୋଟି ୨୪ ଲକ୍ଷ ଟଙ୍କା, ୬୫୦ ଗ୍ରାମର ସୁନା ଅଳଙ୍କାର ଗୋଟିଏ କାର, ଦୁଇଟି ବାଇକ ଜବତ କରାଯାଇଥିଲା। ଏହା ବ୍ୟତୀତ ବ୍ୟାଙ୍କ ଜମାଖାତା ଏବଂ ବୀମା କମ୍ପାନିରେ ସେ ଅର୍ଥ ଜମା କରିଥିବା ଜଣାପଡ଼ିଥିଲା।

ଗତ ଅଗଷ୍ଟ ୨୫ ତାରିଖରେ ବିଜୟ କୁମାର ପରିଡ଼ାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା।

ଅଭିଯୁକ୍ତ ବିଜୟ କୁମାର ପରିଡ଼ାଙ୍କୁ କୋରାପୁଟ ସ୍ଥିତ ଆରସିସିଏଫଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବାକୁ କୁହାଯିବା ସହ ନିଲମ୍ବନ ଆଦେଶ ନଉଠିବା ଯାଏଁ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦେଶ ଦିଆଯାଇଛି।

Tags: #vigilanceraid #rayagadaDFOarrested #vigilancetrap #vijaykumarparida #susspence

Comment