ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

bihar politics

ବିହାର ନିର୍ବାଚନ ପାଇଁ ସମସ୍ତେ ଘରୁ ଗୋଡ଼ ବାହାର କରିସାରିଲଣି। ହେଲେ ଏନଡିଏ ଘର ଭିତରେ ଏବେ ସହଯୋଗୀମାନେ ମୁହାଁମୁହିଁ ସ୍ଥିତିରେ। ଏନଡିଏ ମେଣ୍ଟରେ ସାମିଲ ହୋଇଥିବା ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝି ଏଲଜେପି ସହ ଥିବା ବିବାଦକୁ ତେଜିଦେଇଛନ୍ତି। ପୁରୁଣା ନିଆଁରେ ତେଲ ଢାଳିଦେଇଛନ୍ତି। ବିଜେପି-ଜେଡିୟୁ ମେଣ୍ଟକୁ ଜୀତନରାମ ମାଞ୍ଝୀ ଫେରିବାକୁ ଏଲଜେପି ବା ଲୋକ ଜନଶକ୍ତି ପାର୍ଟି ଗ୍ରହଣ କରିପାରୁନାହିଁ। ଏ ପରିସ୍ଥିତିରେ ଜୀତନରାମ ମାଞ୍ଝିଙ୍କ ଆକ୍ରମଣ ମେଣ୍ଟ ସମ୍ମୀକରଣକୁ ଗଡ଼ବଡ଼ କରିଦେଇଛି।

ରାମବିଳାଶ ପାଶୱାନଙ୍କ ଏଲଜେପି କେନ୍ଦ୍ରରେ ଏନଡିଏର ସହଯୋଗୀ। କିନ୍ତୁ ରାଜ୍ୟରେ ବିଜେପି ଜେଡିୟୁ ମେଣ୍ଟରେ ନାହିଁ। ଏ ପରିସ୍ଥିତିରେ ଜେଡିୟୁ ବିରୋଧରେ ଏଲଜେପି ପ୍ରାର୍ଥୀ ଦେବାର ଆଶଙ୍କା କରି ଜୀତନରାମ ମାଞ୍ଝୀ କହିଛନ୍ତି ଯେ, ଯଦି ଜେଡିୟୁ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଏଲଜେପି ପ୍ରାର୍ଥୀ ଦିଏ, ତେବେ ଏଲଜେପିର ସମସ୍ତ ପ୍ରାର୍ଥୀଙ୍କ ବିରୋଧରେ ଜୀତନ ପ୍ରାର୍ଥୀ ଠିଆ କରିବେ। ରାଜ୍ୟରେ ୧୬ ପ୍ରତିଶତ ଦଳିତ ଭୋଟ ଉପରେ ଏଲଜେପି ଓ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର କର୍ତ୍ତୃତ୍ୱ ରହିଛି। ତେଣୁ ଏମାନଙ୍କ ମଧ୍ୟରେ ଏ ଲଢ଼େଇ ବିଜେପି-ଜେଡିୟୁ ମେଣ୍ଟକୁ କ୍ଷତିଗ୍ରସ୍ତ କରିପାରେ ବୋଲି ଆଶଙ୍କା କରାଯାଉଛି।

BGU

ଏମିତି ବି ବିହାର ରାଜନୀତିରେ ଏଲଜେପି ଓ ଜେଡିୟୁ ମିତ୍ର ନୁହନ୍ତି। ତେଣୁ ରାମବିଳାସ ପାଶୱାନଙ୍କ ପୁଅ ନୀତିଶ ସରକାରଙ୍କର ଦୃଢ଼ ସମାଲୋଚକ। ବିଭିନ୍ନ ସମୟରେ ଦୁର୍ନୀତି ପ୍ରସଙ୍ଗରେ ନୀତିଶ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି। ଜୀତନରାମ ମାଞ୍ଝୀ ଏନଡିଏକୁ ଫେରିବା ପରେ ଚିରାଗ ପାଶୱାନ ଆହୁରି ଅସନ୍ତୁଷ୍ଟ ଅଛନ୍ତି। ତେବେ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମୁଖପାତ୍ର ଡାନିସ ରିଜୱାନ କହିଛନ୍ତି ଯେ, ଆମେ ଏନଡିଏକୁ ଫେରିବାରେ କିଏ ଖୁସି କିଏ ଦୁଃଖୀ ଆମର କରିଛି କରିବାର ନାହିଁ। ତେବେ ଚିରାଗ ପାଶୱାନ ଯଦି ଜେଡିୟୁ ପାର୍ଥୀମାନଙ୍କୁ ଅଡୁଆରେ ପକାନ୍ତି, ତେବେ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ସବୁଯାଗାରେ ଏଲଜେପି ବିରୋଧରେ ପ୍ରାର୍ଥୀ ଦେବ। ଆସନ୍ତା ୭ ତାରିଖରେ ଏଲଜେପିର ସଂସଦୀୟ ବୋର୍ଡ ବୈଠକ ବସୁଥିବା ବେଳେ, ଏହି ବୈଠକରେ ଜେଡିୟୁ ସହ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ନେଇ ଆଲୋଚନାର ସମ୍ଭାବନା ରହିଛି। ଚିରାଗ ବିଜେପି ମେଣ୍ଟରେ ଥିଲେ ମଧ୍ୟ, ବିହାରର ଶାସକ ମେଣ୍ଟରେ ନ ଥିବାରୁ ସବୁବେଳେ ନୀତିଶଙ୍କୁ ସମାଲୋଚନା କରିଆସୁଛନ୍ତି। ଏ ପରିସ୍ଥିତିରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ କେମିତି ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିହାର ନିର୍ବାଚନ (୧) – ଆସନ ବୁଝାମଣା ଉପରେ ନଜର

Comment