ଓଡ଼ିଶାଲାଇଭ୍‌ ବ୍ୟୁରୋ

ରହସ୍ୟବାଦୀ ଚେତନାର କବି ଭାବେ ବୈକୁଣ୍ଠନାଥ ପଟ୍ଟନାୟକ ଓଡ଼ିଆ କାବ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ତାଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।

କବି ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଗୋଷ୍ଠୀର ଜଣେ କବି ଥିଲେ। ୧୯୦୪ ମସିହାରେ ଅବିଭକ୍ତ କଟକ ଜିଲ୍ଲା ବଡ଼ମ୍ବା ଗଡ଼ରେ ଜନ୍ମ ହୋଇଥିଲେ କବି ବୈକୁଣ୍ଠନାଥ ପଟ୍ଟନାୟକ। ତାଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

‘‘ବୈକୁଣ୍ଠନାଥ ପଟ୍ଟନାୟକ ତାଙ୍କ କବିତାରେ ଏକ ନୂତନତାର ବାର୍ତ୍ତା ଦେଉଥିଲେ। ଜଣେ ରହସ୍ୟବାଦୀ କବି ଭାବେ ଓଡ଼ିଆ କବିତାରେ ଓଡ଼ିଆ ଐତିହ୍ୟ ଓ ଆଧ୍ୟତ୍ମିକ ଚିନ୍ତନ ସହିତ ସମସାମୟିକ ଜୀବନକୁ ନିରୀକ୍ଷଣ କରିଥିଲେ କବି ବୈକୁଣ୍ଠନାଥ ପଟ୍ଟନାୟକ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

ବଡ଼ମ୍ବାରେ ନବସ୍ଥାପିତ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାଗ୍ରହଣ କଲାପରେ ସେ କଟକ କଲେଜିଏଟ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ବୈକୁଣ୍ଠନାଥ। ସେ ସମୟର ସ୍ୱାଧିନତା ଆନ୍ଦୋଳନ ଡ଼ାକରାରେ ସେ କଲେଜିଏଟ ସ୍କୁଲ ପରିତ୍ୟାଗ କରି ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗଦାନ କରିଥିଲେ। ଏଠାରେ ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ଗୋଦାବରୀଶଙ୍କ ସାହଚର୍ଯ୍ୟ ଓ ବଳିଷ୍ଠ ଶିକ୍ଷାଦାନର ଲାଭ ପାଇଥିଲେ।

ଏଠାକାର ଜଳବାୟୁ ତାଙ୍କ ଦେହସୁହା ନ ହେବାରୁ ସେ ଢେଙ୍କାନାଳ ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଲେ। ସେଠାରୁ ଶିକ୍ଷା ସମାପନ କରି ସେ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଲେ। ସେଠାରେ ଅଧ୍ୟୟନ କାଳରେ ସେ ସହପାଠୀ ଅନ୍ନଦା ଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ହରିହର ଓ ଶରତଚନ୍ଦ୍ରଙ୍କ ସହିତ ମିଶି ସେ ‘ନନସେନ୍ସ କ୍ଲବ’ ନାମକ ସବୁଜ ସାହିତ୍ୟ ସମିତି ଗଠନ କରିଥିଲେ।BGU

‘‘ଓଡ଼ିଆ ସାହିତ୍ୟର ସବୁଜ ଯୁଗର ଅନ୍ୟ ଜଣେ ପ୍ରବକ୍ତା ହେଉଛନ୍ତି କବି ବୈକୁଣ୍ଠନାଥ ପଟ୍ଟନାୟକ। ସେ ଏକାଧାରରେ ଜଣେ ଶିକ୍ଷକ, ସାହିତ୍ୟିକ ଓ କବି। ତାଙ୍କ ସାହିତ୍ୟ କୃତିରେ ପ୍ରେମ ପ୍ରଣୟ, ପ୍ରକୃତି ପ୍ରୀତି, ସ୍ୱଦେଶ ପ୍ରୀତି, ବିଷାଦବାଦ, ରୋମାଣ୍ଟିକ ଅନୁଭୂତି ରହିଥିଲା’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘ବୈକୁଣ୍ଠନାଥ ପଟ୍ଟନାୟକଙ୍କ କାବ୍ୟ ଜ୍ଞାନର ଗଭୀରତା ଓ ବୈଚିତ୍ର୍ୟ ତାଙ୍କୁ ବିଂଶ ଶତାବ୍ଦୀର ଶ୍ରେଷ୍ଠ କବି ଭାବେ ଗଢି ତୋଳିଥିଲା। ତାଙ୍କର କାବ୍ୟିକ ଉତ୍କର୍ଷ ତାଙ୍କୁ ଯୁଗ ଯୁଗାନ୍ତରର କବିର ଆସନରେ ଅବତ୍ତୀର୍ଣ୍ଣ କରାଏ। ବୈକୁଣ୍ଠନାଥ ପଟ୍ଟନାୟକ ତାଙ୍କ କବିତାରେ ବାସ୍ତବବାଦୀ ଚେତନା ଆଣିଥିଲେ। ୧୯୨୯ରୁ ୧୯୪୩ ମସିହା ମଧ୍ୟରେ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର କବିତାର ବ୍ୟାପ୍ତି ହୋଇଥିଲା’’, ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମହାନ୍ତି।

‘‘କବି ଜଗତରେ ଆମେ ୨ ପ୍ରକାର କବିଙ୍କୁ ଦେଖିବାକୁ ପାଉ। ଗୋଟିଏ ପ୍ରକାର ହେଲା ଅନ୍ୟଙ୍କୁ ଦେଖି ଯେଉଁମାନେ କବିତା ଲେଖନ୍ତି। ଅନ୍ୟ ଗୋଟିଏ ପ୍ରକାର ହେଲା ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଯେମିତି ସେମିତି କବିତା ଲେଖନ୍ତି। ଏହି ଦ୍ୱିତୀୟ ପ୍ରକାରର କବି ହେଲେ ବୈକୁଣ୍ଠନାଥ ପଟ୍ଟାନାୟକ। କବିତାକୁ ସାଧାରଣ ସ୍ତରରୁ ନେଇ ଅସାଧାରଣ ସ୍ତରକୁ ନେଇ ଯିବାର ଦକ୍ଷତା ତାଙ୍କର ଥିଲା’’, କହିଛନ୍ତି ବିଶିଷ୍ଟ ଅମରେଶ ପଟ୍ଟନାୟକ।

‘‘ସବୁଜ ସାରସ୍ୱତ ସାଧକମାନଙ୍କ ଭିତରେ ଅନ୍ୟତମ ବୈକୁଣ୍ଠନାଥ ପଟ୍ଟନାୟକ।  କବିତା ଜଗତକୁ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ୧୯୨୩ ମସିହାରୁ ସେ ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ୧୯୭୮ ମସିହାରେ ଏହାର ପରିସମାପ୍ତି ହୋଇଥିଲା। ଦୀର୍ଘ ୫୬ ବର୍ଷ କାଳ ବୈକୁଣ୍ଠନାଥ ପଟ୍ଟନାୟକ ଲେଖନୀ ଚାଳନ କରି ଓଡ଼ିଆ ସାହିତ୍ୟକୁ ବେଶ ସମୃଦ୍ଧ କରିଛନ୍ତି’’, କହିଛନ୍ତି ବିଶିଷ୍ଟ ଗବେଷକ ରଞ୍ଜିତ କୁମାର ପରିଡ଼ା।

ଶିକ୍ଷକ ଭାବରେ ସେ ଟିଉସନ ପ୍ରଥାକୁ ବିରୋଧ କରୁଥିଲେ ବୈକୁଣ୍ଠନାଥ। ବ୍ୟବସ୍ଥାସହ ସାଲିସ କରୁନଥିବାରୁ ବଡ ହାକିମଙ୍କ ଦାଉ ସହିବାକୁ ପଡିଥିଲା। ଅବସରକାଳୀନ ଭତ୍ତା ଅଟକି ଯିବାରୁ, ଶେଷଜୀବନରେ ଆର୍ଥିକ ସ୍ଥିତି ଶୋଚନୀୟ ଥିଲା। ଏହାରି ମଧ୍ୟରେ ତାଙ୍କୁ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ବାବଦକୁ ୫ ହଜାର ଟଙ୍କା  ମିଳିଥିଲା। ସେ କିନ୍ତୁ ସେହ ଟଙ୍କାକୁ ନିଜ ପାଇଁ ନରଖି ବଡ଼ମ୍ବା କଲେଜକୁ ଦେଇଥିଲେ।

ଉତ୍ତରାୟଣ , ବିଲ୍ୱମଙ୍ଗଲ , କାବ୍ୟସଞ୍ଚୟନ, ଉପେକ୍ଷିତା, ମୁକ୍ତିପଥେ, ଅରୁଣଶ୍ରୀ, ମୃତ୍ତିକା ଦର୍ଶନ ଆଦି ବୈକୁଣ୍ଠ ପଟ୍ଟନାୟକଙ୍କ କାଳଜୟୀ ସୃଷ୍ଟି।

LEAVE A REPLY

Please enter your comment!
Please enter your name here