ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନରେ ତାଙ୍କର ସଫଳତା ଓ ଉପଲବ୍ଧିକୁ ନେଇ ଗୁରୁବାର ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ତାଙ୍କୁ ଏକ ଝଟ୍‌କା ଲାଗିଛି। ମୋଦୀଙ୍କ କ୍ୟାବିନେଟ୍‌ରୁ ଗୁରୁବାର ଇସ୍ତଫା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ। ସେ ହେଉଛନ୍ତି ଭାଜପାର ସହଯୋଗୀ ଶିରୋମଣି ଅକାଳି ଦଳର ସାଂସଦ ତଥା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟର କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ। କୃଷି ସମ୍ପର୍କିତ ନୂତନ ବିଲ୍‌କୁ ବିରୋଧ କରି ଇସ୍ତଫା ଦେଇଥିବା ସେ ନିଜ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

ଚାଷୀଙ୍କ ସହ ସେମାନଙ୍କ ଝିଅ ତଥା ଭଉଣୀ ଭଳି ଛିଡ଼ାହେବି: କୌର

କେନ୍ଦ୍ର କୃଷି ସମ୍ପର୍କିତ ବିଲ୍‌କୁ ନେଇ ପଞ୍ଜାବର ଚାଷୀମାନେ ବିରୋଧ କରିବା ପରେ ଅକାଳି ଦଳ ଚାଷୀଙ୍କୁ ଅସନ୍ତୁଷ୍ଟ କରିବା ପାଇଁ ଚାହୁଁ ନାହିଁ। ହରସିମରତ କୌରଙ୍କ ସ୍ୱାମୀ ତଥା ଅକାଳି ଦଳର ମୁଖ୍ୟ ସୁଖବୀର ସିଂ ବାଦଲ କହିଛନ୍ତି, ଦଳ କେନ୍ଦ୍ର ସରକାର ଓ ବିଜେପି ସମର୍ଥନରେ ରହିଛି। କିନ୍ତୁ ଚାଷୀ ବିରୋଧୀ ରାଜନୀତିକୁ ଦଳ ନିନ୍ଦା କରୁଛି। ଲୋକସଭାରେ ଏହି ବିଲ୍‌କୁ ନେଇ ଭୋଟିଂ ହେବା ପୂର୍ବରୁ ସିମରତ କୌର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ସହ କହିଛନ୍ତି ଯେ  ଚାଷୀମାନଙ୍କ ସହ ସେମାନଙ୍କ ଝିଅ ତଥା ଭଉଣୀ ଭଳି ଛିଡ଼ାହୋଇ ସେ ଗର୍ବିତ।

କୃଷି ବିଲ୍‌କୁ କାହିଁକି ବିରୋଧ

ବିଜେପିର କହିବା କଥା ହେଲା କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଏହି ବିଲ୍‌ ହେଉଛି ଏକ ବଡ଼ ଟିକେଟ୍‌। କେନ୍ଦ୍ର ସରକାର କହିଛନ୍ତି ଯେ ଜୁନ୍‌ରେ ଯେଉଁ ୩ଟି ଅଧ୍ୟାଦେଶ ଜାରି କରାଯାଇଥିଲା, ତାହା ସ୍ଥାନରେ ଏହି ବିଲ୍ ଅଣାଯିବ। ଦେଶର ଚାଷୀମାନେ ନିଜ ଉତ୍ପାଦିତ ଶସ୍ୟ ପାଇଁ ଭଲ ବଜାର ଓ ଭଲ ଦାମ୍ ପାଇବାରେ ଏହି ବିଲ୍‌ ସହାୟକ ହେବ।

ଅକାଲି ଦଳ ଏହି ବିଲ୍‌କୁ ପ୍ରଥମେ ସମର୍ଥନ ଦେଇଥିଲେ ମଧ୍ୟ ପରେ ଏଥିରୁ ଓହରିଯାଇଛି। ଏହି ବିଲ୍‌କୁ ବିରୋଧ କରି ପଞ୍ଜାବ ଓ ହରିୟାଣାର ଚାଷୀମାନେ ଗତ ଏକ ସପ୍ତାହ ଧରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ମଙ୍ଗଳବାର ସିମରତ କୌରଙ୍କ ସ୍ୱାମୀ ତଥା ସାଂସଦ ସୁଖବୀର ସିଂ ବାଦଲ ମଧ୍ୟ ଲୋକସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‌ ବିପକ୍ଷରେ ଭୋଟ୍‌ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here