ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦୀ ସରକାରଙ୍କ କୃଷି ବିଲକୁ ବିରୋଧ କରି ବିଷ ପିଇଲେ ଚାଷୀ। ପଞ୍ଜାବର ମୁକ୍ତସର ଜିଲ୍ଲା ବାଦଲ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲକୁ ପଞ୍ଜାବ ଓ ହରିୟାଣାର ଚାଷୀମାନେ ଘୋର ବିରୋଧ କରୁଛନ୍ତି। ଏପରିକି ଚାଷୀମାନେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇ ଆସିଛନ୍ତି। ଶୁକ୍ରବାର ଏହି ବିଲକୁ ବିରୋଧ କରୁଥିବା ପ୍ରୀତମ ସିଂହ ନାମକ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।

ଚାଷୀଜଣକ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ଘର ବାହାରେ ଧାରଣା ଦେଉଥିଲେ। ଶେଷରେ ସେ ଆଜି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ବିଷ ପିଇବା ପରେ ତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି।ଗତକାଲି ମଧ୍ୟ ଏହି ବିଲକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। କୃଷି ସମ୍ପର୍କିତ ନୂତନ ବିଲ୍‌କୁ ବିରୋଧ କରି ସେ ଇସ୍ତଫା ଦେଇଥିବା ନିଜ ଟୁଇଟ୍‌ରେ ଉଲ୍ଲେଖ କରିଥିଲେ।

କୃଷି ବିଲ୍‌କୁ କାହିଁକି ହେଉଛି ବିରୋଧ

ବିଜେପିର କହିବା କଥା ହେଲା କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଏହି ବିଲ୍‌ ହେଉଛି ଏକ ବଡ଼ ଟିକେଟ୍‌। କେନ୍ଦ୍ର ସରକାର କହିଛନ୍ତି ଯେ ଜୁନ୍‌ରେ ଯେଉଁ ୩ଟି ଅଧ୍ୟାଦେଶ ଜାରି କରାଯାଇଥିଲା, ତାହା ସ୍ଥାନରେ ଏହି ବିଲ୍ ଅଣାଯିବ। ଦେଶର ଚାଷୀମାନେ ନିଜ ଉତ୍ପାଦିତ ଶସ୍ୟ ପାଇଁ ଭଲ ବଜାର ଓ ଭଲ ଦାମ୍ ପାଇବାରେ ଏହି ବିଲ୍‌ ସହାୟକ ହେବ।

ଅକାଲି ଦଳ ଏହି ବିଲ୍‌କୁ ପ୍ରଥମେ ସମର୍ଥନ ଦେଇଥିଲେ ମଧ୍ୟ ପରେ ଏଥିରୁ ଓହରିଯାଇଛି। ଏହି ବିଲ୍‌କୁ ବିରୋଧ କରି ପଞ୍ଜାବ ଓ ହରିୟାଣାର ଚାଷୀମାନେ ଗତ ଏକ ସପ୍ତାହ ଧରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ମଙ୍ଗଳବାର ସିମରତ କୌରଙ୍କ ସ୍ୱାମୀ ତଥା ସାଂସଦ ସୁଖବୀର ସିଂ ବାଦଲ ମଧ୍ୟ ଲୋକସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‌ ବିପକ୍ଷରେ ଭୋଟ୍‌ ଦେଇଥିଲେ।

Comment