ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷାଦାନରେ ଆଗ୍ରହୀ ଥିବା ସରକାରୀ ଅଧିକାରୀ ମେଡିକାଲ, ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ କୋଚିଂ ଦେବେ।

ରାଜ୍ୟର ବ୍ଲକ ଅଞ୍ଚଳର ମେଧାବୀ ପିଲାଙ୍କୁ ସିବିଏସ୍‌ଇ ସ୍କୁଲ ଢାଞ୍ଚାରେ ଇଂରାଜୀ ମାଧ୍ୟମ ଶିକ୍ଷା ଦେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। କିନ୍ତୁ ସେଠାରୁ ପାସ୍‌ ହେବା ପରେ କ୍ୟାରିୟର ପାଇଁ ପିଲାଙ୍କୁ ଉପଯୁକ୍ତ ଦିଗଦର୍ଶନ ମିଳିପାରୁ ନାହିଁ। ଏଥିପାଇଁ ଅଭିନବ ଯୋଜନା ଆରମ୍ଭ କରିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ। ଏଣିକି ସରକାରୀ ଅଧିକାରୀ, କର୍ମଚାରୀ ଯେଉଁମାନେ ଶିକ୍ଷାଦାନରେ ଆଗ୍ରହୀ, ସେମାନେ ଏହି ପିଲାମାନଙ୍କୁ ମେଡିକାଲ, ଇଞ୍ଜିନିୟରିଂ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ କରେଇବେ। ଫଳରେ ସେମାନେ ଭବିଷ୍ୟତରେ ଭଲ ନିଯୁକ୍ତି ପାଇପାରିବେ।

ରାଜ୍ୟରେ ରହିଛି ୩୧୪ ଆଦର୍ଶ ବିଦ୍ୟାଳୟ

ରାଜ୍ୟର ପ୍ରତି ବ୍ଲକରେ ଗ୍ରାମାଞ୍ଚଳ ପିଲାଙ୍କୁ ସିବିଏସ୍‌ଇ ସ୍କୁଲ ଭଳି ଇଂରାଜୀ ମାଧ୍ୟମ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ଏଭ ପ୍ରଭାବୀ ଯୋଜନା ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଏହି ଯୋଜନାର ପରିଚାଳନାଗତ ଦାୟିତ୍ୱରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଅଧୀନରେ ରହିଛି ୩୧୪ଟି ଆଦର୍ଶ ବିଦ୍ୟାଳୟ।

ଚଳିତ ଓ ଗତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୩୫୦ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଏହି ମେଧାବୀ ପିଲାମାନେ ଭବିଷ୍ୟତରେ ମେଡିକାଲ, ଇଞ୍ଜିନିୟରିଂ ଓ ଅନ୍ୟ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଇଛନ୍ତି। ଏଥିପାଇଁ ପ୍ରବେଶିକା ପରୀକ୍ଷା ବାଧ୍ୟତାମୂଳକ ରହିଛି। ତେଣୁ ସେମାନଙ୍କୁ ଏ ଦିଗରେ ସଫଳ ହେବା ପାଇଁ ସ୍ୱତନ୍ତ୍ର କ୍ଲାସ୍‌ ଓ କୋଚିଂ ସୁବିଧାର ଆବଶ୍ୟକତା ରହିଛି।

ପାଠ ପଢ଼ାଇବେ ସରକାରୀ ଅଧିକାରୀ

ସରକାରଙ୍କ ସହ କାମ କରୁଥିବା ଅନେକ ଅଧିକାରୀ ତଥା କର୍ମଚାରୀ ଶିକ୍ଷାଦାନ ଓ ମେଧାବୀ ପିଲାଙ୍କୁ ଆଗକୁ ନେବା ପାଇଁ ଉତ୍ସାହୀ ଅଛନ୍ତି। ସେମାନେ କ୍ୟାରିୟର ଆଶାୟୀ ମେଧାବୀ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ କରିପାରିବେ। ପିଲାଙ୍କ ସଫଳତାରେ ସେମାନଙ୍କୁ ପ୍ରଚୁର ଆନନ୍ଦ ଓ ଆତ୍ମସନ୍ତୋଷ ମିଳିବ। ଯେହେତୁ ସେମାନଙ୍କର ଏ ଦିଗରେ ଆଗ୍ରହ ରହିଛି ଓ ସେମାନେ ସରକାରୀ ଚାକିରି ପାଇବା ପରେ ମଧ୍ୟ ନିଜ ପାଠ୍ୟ ବିଷୟ ସହ ଜଡ଼ିତ ରହିଛନ୍ତି, ତେଣୁ ସେମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ଗଣିତ, ଇଂରାଜୀ ଓ ସାମାଜିକ ବିଜ୍ଞାନ ଭଳି ବିଷୟ ପଢ଼ାଇପାରିବେ। ଏଥିପାଇଁ ଅନ୍‌ଲାଇନ କିମ୍ବା ଅଫ୍‌ଲାଇନ ମାଧ୍ୟମରେ କ୍ଲାସ୍‌ ହେବ।

ଶିକ୍ଷାଦାନରେ ଆଗ୍ରହୀ ଅଧିକାରୀ କରିବେ ଆବେଦନ

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ସଂସ୍ଥାରେ କାମ କରୁଥିବା ଅଧିକାରୀମାନଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଛି। ଯେଉଁମାନେ ଶିକ୍ଷାଦାନ ପାଇଁ ଇଚ୍ଛୁକ ଓ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରାଇପାରିବେ, ସେମାନେ ଆଗକୁ ଆସିବା ପାଇଁ ଆହ୍ୱାନ ଦିଆଯାଇଛି। ଆଗ୍ରହୀ ସରକାରୀ ଅଧିକାରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଆବେଦନ କରିବେ। ସେମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଡେପୁଟେଶନ କିମ୍ବା ଅତିରିକ୍ତ ଦାୟିତ୍ୱରେ ରଖାଯିବ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ବିଜ୍ଞପ୍ତି ଜାରି କରିଛନ୍ତି।

Comment