ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରାଳୟର ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ବା ସିଡିଏସ ନିଯୁକ୍ତିକୁ ନେଇ ସର୍ଭିସ ଆକ୍ଟରେ ପରିବର୍ତ୍ତନ କରାଯାଇଛି। ଏନେଇ ଗ୍ୟାଜେଟ ନୋଟିଫିକେସନ ମଧ୍ୟ ଜାରି ହୋଇଛି। ଏବେ ଲେଫ୍ଟନାଣ୍ଟ ଜେନେରାଲଙ୍କ ସମକକ୍ଷ ବା ସେହି ରାଙ୍କର ଅଧିକାରୀଙ୍କୁ ସିଡିଏସ ଭାବେ ନିଯୁକ୍ତି କରିବାକୁ ସରକାର ନିଷ୍ପତ୍ତି ନେଇପାରିବେ।

ଲେଫ୍ଟନାଣ୍ଟ ଜେନେରାଲ କିମ୍ବା ଜେନେରାଲ ପଦବୀରୁ ଅବସରର ଗ୍ରହଣ କରିଥିବା ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିପାରିବ। କିନ୍ତୁ ତାଙ୍କ ବୟସ ସୀମା ୬୨ ବର୍ଷରୁ ଅଧିକ ହୋଇନଥିବ। କେନ୍ଦ୍ର ସରକାର ଚାହିଁଲେ ଲେଫ୍ଟନାଣ୍ଟ ଜେନେରାଲ କମ୍ବା ଜେନେରାଲ ରାଙ୍କର ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ) ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇପାରିବେ।

ସିଡିଏସ ନିଯୁକ୍ତି ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ଥଳସେନା, ବାୟୁ ସେନା ଏବଂ ନୌସେନାର ସର୍ଭିସ ଆକ୍ଟରେ ପରିବର୍ତ୍ତନ କରିଛନ୍ତି। ଏ ନେଇ ଗ୍ୟାଜେଟ ନୋଟିଫିକେସନ ମଧ୍ୟ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଲେପ୍ଟନାଣ୍ଟ ଜେନେରାଲ ବା ଜେନେରାଲ ରାଙ୍କର ଅବସରପ୍ରାପ୍ତ ଅଧିକାରୀ କିମ୍ବା ସେହି ପଦବୀରେ ରହିଥିବା ଅଧିକାରୀଙ୍କୁ ସିଡିଏସ ନିଯୁକ୍ତ କରାଯାଇପାରିବ। କିନ୍ତୁ ସେହି ଅଧିକାରୀଙ୍କ ବୟସ ୬୨ ବର୍ଷରୁ କମ୍ ହୋଇଥିବ। ୬୨ ବର୍ଷ ବୟସ ଅତିକ୍ରମ କରିଥିବାରୁ ବର୍ତ୍ତମାନ ଆର୍ମି, ନେଭି ଏବଂ ଏଆରଫୋର୍ସରୁ ଅବସରଗ୍ରହଣ କରିଥିବା ଅଧିକାରୀ ସିଡିଏସ ଦୌଡରୁ ବଞ୍ଚିତ ହୋଇଛନ୍ତି। କାରଣ ତିନି ସେନାର ମୁଖ୍ୟଙ୍କର ଅବସର ବୟସ ସୀମା ୬୨ ବର୍ଷ ରହିଛି।

ତିନି ତାରକା ଯୁକ୍ତ ଜେନେରାଲ ଅର୍ଥାତ ଲେଫ୍ଟନାଣ୍ଟ ଜେନେରାଲ, ଇଣ୍ଡିଆନ ଏୟାରଫୋର୍ସର ଏୟାର ମାର୍ଶଲ ଏବଂ ନୌସେନାର ଭାଇସ ଏଡମିରଲ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି। ଅବସର ଗ୍ରହଣ କରିଥିବା ଅଧିକାରୀଙ୍କ ବୟସ ୬୨ ବର୍ଷରୁ କମ ହେବା ସହ ସିଡିଏସ ଭାବେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେଉଥିଲେ ସେ ଏହି ପଦବୀ ପାଇପାରିବେ। ଗତ ବର୍ଷ ଡିସେମ୍ବର ମାସରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାବତଙ୍କର ବିୟୋଗ ଘଟିଥିଲା। ସେବେଠାରୁ ସିଡିଏସ ପଦବୀ ଖାଲି ପଡ଼ିଛି।

Tags: #Defence #MinistryOfDefence #CDSAppointment #GazetteNotification #Officers

Comment