ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାର ଅବଦୁଲ କଲାମ ଦ୍ୱିପରୁ ଗୁରୁବାର ‘ଅଗ୍ନି-୫’ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। କଲାମ ଦ୍ୱିପର ୪ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଅପରାହ୍ନ ୫ଟା ୫୦ମିନିଟରେ ଏହି ମିସାଇଲ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୫୫୦୦ କିଲୋମିଟର ରହିଛି। ଏହି ପରୀକ୍ଷଣର କିଛି ଦିନ ପୂର୍ବରୁ ଡିଆରଡିଓ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା।

ଏହି ଅଗ୍ନି-୫ ମିସାଇଲର ଲମ୍ବ ୧୭ ମିଟର, ଗୋଲେଇ ୨ ମିଟର, ଓଜନ ୫୦ ଟନ୍‌। ଅଗ୍ନି-୫ ହେଉଛି ଭାରତର ଏକମାତ୍ର ବାଲିଷ୍ଟିକ୍‌ ମିସାଇଲ ଯାହାକି ଚୀନ ଏବଂ ମଧ୍ୟପ୍ରାଚ୍ୟ ସମେତ ୟୁରୋପର କିଛି ଦେଶକୁ ପହଞ୍ଚିବାର କ୍ଷମତା ବହନ କରୁଛି। ଏହି କ୍ଷେପଣାସ୍ତ୍ରରେ ପ୍ରାୟ ୧୫୦୦ କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହି ମିସାଇଲ ନିଜ ଶେଷ ପର୍ଯ୍ୟାୟରେ ୨୪ ମ୍ୟାକ(ଶବ୍ଦ ଗତି ଠାରୁ ୨୪ ଗୁଣା ଅଧିକ) ବେଗରେ ଗତି କରି ଲକ୍ଷ୍ୟସ୍ଥଳରେ ୨୦ ମିମିଟ୍ ମଧ୍ୟରେ ପହଞ୍ଚିବାର କ୍ଷମତା ବହନ କରୁଛି।

୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ‘ଅଗ୍ନି-୫’ର ପ୍ରଥମ ପରୀକ୍ଷା କରାଯାଇଥିଲା। ଆଜିକୁ ମିଶାଇ ଏହି କ୍ଷେପଣାସ୍ତ୍ରର ମୋଟ ୭ଥର ପରୀକ୍ଷଣ କରାଯାଇଛି। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଡିଆରଡିଓ ଅଧ୍ୟକ୍ଷ ଡ.ବି.ସତୀଶ ରେଡ୍ଡି ‘ଅଗ୍ନି-୫’ ମିସନରେ ସାମିଲ ଥିବା ସମସ୍ତ ବୈଜ୍ଞାନିକ ଓ ଟେକ୍ନିକାଲ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

Tags: #AGNI-5 #Successfulltest #DRDO #AbdulkalamIsland #Chandipur #MinistryofDefence #India #odisha

Comment