ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ବାହିନୀରେ ସାମିଲ ହେବ ଅଧିକ ତେଜସ ବିମାନ ଓ ଲାଇଟ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’। ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର (ଡିଏସି) ବୈଠକରେ ଦେଶ ପାଇଁ ୯୭ଟି ‘ତେଜସ୍ ମାର୍କ-୧ଏ’ ବିମାନ ଓ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦିଆଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ତେଜସ୍ ବିମାନଗୁଡ଼ିକ ଭାରତୀୟ ବାୟୁସେନାରେ ସାମିଲ ହେବ। ସେହିପରି ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର ମଧ୍ୟରୁ ୬୬ଟି ବାୟୁସେନା ଓ ୯୦ଟି ସ୍ଥଳସେନା ପାଇଁ କିଣାଯିବ। ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ହେବ।

ଉଭୟ ‘ତେଜସ୍’ ବିମାନ ଓ ‘ପ୍ରଚଣ୍ଡ’ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ ପକ୍ଷରୁ ନିର୍ମାଣ କରାଯାଉଛି। ଏହି ଡିଲ୍ ସଂପୂର୍ଣ୍ଣ ହେଲେ ଏହା ଭାରତର ଇତିହାସରେ ସ୍ୱଦେଶୀ ନିର୍ମାତାମାନଙ୍କୁ ମିଳିଥିବା ସବୁଠାରୁ ବଡ଼ ଅର୍ଡର ହେବ।

ଏବେ ଅନୁମୋଦନ ମିଳିବା ପରେ ଏସବୁର ନିର୍ମାତାମାନଙ୍କ ସହ ଦର ସଂପର୍କିତ ଆଲୋଚନା ହୋଇ ଚୁକ୍ତି ସ୍ଵାକ୍ଷରିତ ହେବ, ଏଥିପାଇଁ କିଛି ସମୟ ଲାଗିବ। ଚୂଡ଼ାନ୍ତ ମୂଲ୍ୟ ଉପରେ ଆଲୋଚନା ହେବାପରେ ସୁରକ୍ଷା ସଙ୍କ୍ରାନ୍ତୀୟ କ୍ୟାବିନେଟ୍ କମିଟି ଏହି ଚୁକ୍ତି ଉପରେ ଚୂଡ଼ାନ୍ତ ଦସ୍ତଖତ କରିବ।

ଅନ୍ୟପଟେ ଗୁରୁବାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦେଶର ସାମରିକ ବାହିନୀ ପାଇଁ ଅନ୍ୟ କେତେକ ଚୁକ୍ତିକୁ ଅନୁମୋଦନ କରିଛି। ସବୁର ମୂଲ୍ୟ ପ୍ରାୟ ୨ ଲକ୍ଷ ୨୦ ହଜାର କୋଟି ଟଙ୍କା ରହିଛି। ଏଥିରେ ବର୍ତ୍ତମାନ ବାୟୁସେନାରେ ସାମିଲ ଥିବା ସୁଖୋଇ-୩୦ ବିମାନର ଅପଗ୍ରେଡ ମଧ୍ୟ ସାମିଲ ଅଛି।

ଏହାପୂର୍ବରୁ ୨୦୨୧ ମସିହାରେ ଭାରତୀୟ ବାୟୁସେନା ପାଇଁ ୮୩ଟି ‘ତେଜସ୍ ମାର୍କ-୧ଏ’ କିଣିବା ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା। ଏହାର ମୂଲ୍ୟ ୪୮ ହଜାର କୋଟି ଟଙ୍କା ଥିଲା। ଚୁକ୍ତି ଅନୁସାରେ ୨୦୨୪ ମସିହାରୁ ବାୟୁସେନାକୁ ଏହି ଲଢ଼ୁଆ ବିମାନ ମିଳିବା ଆରମ୍ଭ ହେବ।

Tags: #TejasMk1-A #LCHPrachand #AirPower #Defence #India

Comment