ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରରେ କିଏ ପାଇବ ବିଜେଡି ଟିକେଟ୍?
ବାଲେଶ୍ୱର ଉପ ନିର୍ବାଚନ ପାଇଁ କୌଣସି ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀତ୍ୱକୁ ନେଇ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିପାରନାହାନ୍ତି। ବିଜେପିକୁ ନେଇ ଭୋଟରଙ୍କ ଯେତିକି ଦ୍ୱନ୍ଦ୍ୱ ନାହିଁ,ସବୁଠାରୁ ଅଧିକ ବିଜେଡି ପାଇଁ।
ଗତ ନିର୍ବାଚନରେ ଏ ଆସନ ହରାଇଥିବା ବିଜେଡି ପାଇଁ ଏ ଆସନ ବେଶ ଗୁରୁତ୍ୱପୂର୍ଣ୍ଣ। ବିଜେପି ଅନୁକମ୍ପା ଭୋଟରୁ ଲାଭ ଉଠାଇବା ଯୋଜନାରେ ଥିବା ବେଳେ, ବିଜେଡି ଗତଥରର ମାଇନସ ଭୋଟ ଓ ଅନୁକମ୍ପା ଲହରକୁ କାଟି ଜିତିବା ଲକ୍ଷ୍ୟରେ ଅଛି।ରବୀନ୍ଦ୍ର ଜେନା ନିଜେ ନିଜକୁ ଟିକଟ ରେସରୁ ଆଉଟ୍ କରିସାରିବା ପରେ, ଜୀବନ ପ୍ରଦୀପ ଦାଶଙ୍କ ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ସହମତି ହୋଇପାରିନି। କିଛି ବିଧାୟକ ଜୀବନଙ୍କ ସପକ୍ଷରେ ଥିବା ବେଳେ ଆଉ କିଛି ବରିଷ୍ଠ ସଂଗଠନସ୍ତରୀୟ ନେତା ଜୀବନଙ୍କୁ ନେଇ ସହମତ ହୋଇପାରୁ ନ ଥିବା ଚର୍ଚ୍ଚା ହେଉଛି। ଆଉ ଏହା ଭିତରେ ଅନେକ ନାଁ ପୁଣି ଟିକଟ ରେସ ଭିତରକୁ ପଶିଆସିଛି। ହଠାତ ବାଲେଶ୍ୱର ସହରରେ ସେହି ନାଁ ଗୁଡ଼ିକୁ ନେଇ ଜୋରରେ ଚର୍ଚ୍ଚା ହେଉଛି।
ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁ। ଗତ ପୌର ନିର୍ବାଚନରେ ବିଜେଡି ପରିଷଦ ଗଠନ କରିବାକୁ ଆବଶ୍ୟକ ଆସନ ହାସଲ କରିସାରିବା ପରେ, ଆଲୋକ ସାହୁଙ୍କ ନାଁକୁ ନେଇ ଆଦୌ ଚର୍ଚ୍ଚା ନ ଥିଲା। ସେତେବେଳେ ବି ହଠାତ୍ ପ୍ରବେଶ କରିଥିଲେ ଆଲୋକ ସାହୁ। ସିଧା ନବୀନ ନିବାସରୁ ତାଙ୍କ ନାଁ ଲିଖିତ ଚିଠି ବନ୍ଦ ଲଫାପାରେ ବାଲେଶ୍ୱରରେ ପହଞ୍ଚିଥିଲା। ଯେହେତୁ ବାଲେଶ୍ୱର ମ୍ୟୁନିସିପାଲିଟି ପରିଚାଳନା କରିବାରେ ତାଙ୍କର ଦକ୍ଷତା ଓ ସାଂଗଠନିକ ଶକ୍ତି ଅଛି, ଆଉ କ୍ଷମତା ରାଜନୀତିରେ ପ୍ରବେଶ କରିବାର କ୍ଷମତା ପୂର୍ବରୁ ଦେଖାଇ ସାରିଛନ୍ତି, ତେଣୁ ସ୍ୱାଭାବିକ ଭାବେ ତାଙ୍କ ନାଁ ଏ ରେସକୁ ପଶିଆସିଛି।
ଟିକଟ ରେସରୁ ରବୀନ୍ଦ୍ର ଜେନା ବାହାରିଯିବା ପରେ ମଧ୍ୟ ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନାଁ ଏବେ ବି ଚର୍ଚ୍ଚାରେ ରହିଛି। ପତ୍ନୀଙ୍କ ପାଇଁ ଟିକଟ ନେବା ଆଶା କିନ୍ତୁ ରବୀନ୍ଦ୍ର ଛାଡ଼ି ନ ଥିବା ତାଙ୍କ ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛି। ଯେହେତୁ ତିର୍ତ୍ତୋଲରେ ବିଜେଡି ମହିଳାଙ୍କୁ ଟିକଟ ଦେବାର ସମ୍ଭାବନା ରହିଛି, ତେଣୁ ବାଲେଶ୍ୱରରୁ ଦେବ କି ନାହିଁ ତାହା କେବଳ ସୁପ୍ରିମୋ ହିଁ କହିପାରିବେ।
ତେବେ ସୁବାସିନୀ ଗତ କିଛି ବର୍ଷ ହେଲା ସମାଜସେବାରେ ସକ୍ରିୟ ଥିବା ବେଳେ ସ୍ୱାମୀଙ୍କ ସମର୍ଥନରେ ସେ କିଛି ମାତ୍ରାରେ ସଂଗଠନରେ ସକ୍ରିୟ ଅଛନ୍ତି। ଯଦି ନବୀନ ମହିଳା କାର୍ଡ ବ୍ୟବହାର କରିବାକୁ ଚାହିଁବେ ତେବେ ସୁବାସିନୀ ଜେନା ଏ ଦୃଷ୍ଟିରୁ ଏକ ନମ୍ବରରେ ରହିବାର ସମ୍ଭାବନା ରହିଛି। ବିଜେଡି ନେତା ଆଇନଜୀବୀ ରଘୁନାଥ ଲେଙ୍କାଙ୍କ ନାଁ ମଧ୍ୟ ବିଜେଡି ମହଲରେ ଚର୍ଚ୍ଚା ହେଉଛି। ସେ ମଧ୍ୟ ୨୦୧୯ ନିର୍ବାଚନରେ ଟିକଟ ପାଇଁ ଆଶାୟୀ ଥିଲେ। ତେବେ ସବୁଠାରୁ ଅଧିକ ଚର୍ଚ୍ଚା କେବଳ ୨ଟି ନାଁ। ଜୀବନପ୍ରଦୀପ ଦାଶ ଓ ସୁବାସିନୀ ଜେନା। ଅଧିକାଂଶ ବିଜେଡି ସମର୍ଥକଙ୍କ କହିବା କଥା, ସୁପ୍ରିମୋ ଏହି ୨ଟି ନାଁରୁ ବାଛି ପାରନ୍ତି। ହେଲେ ସବୁବେଳେ ଚମକାଇଦେଲା ଭଳି ନିଷ୍ପତ୍ତି ନିଅନ୍ତି ନବୀନ। ଦଳୀୟ କନ୍ଦଳକୁ ଦୃଷ୍ଟିରେ ରଖି ତୃତୀୟ ଲୋକକୁ ବି ସୁଯୋଗ ଦେବାର ସମ୍ଭାବନା ରହିଛି।