ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର କୋଟପାଡ଼ ସହରର କୁସୁମୀ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ସହ ଗୋଟିଏ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗତକାଲି ମାଲ୍ ବୋଝେଇ ଟ୍ରକଟି ଛତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଗାଙ୍ଗୁ ପଣ୍ଡା ନାମକ ଜଣେ ବ୍ୟକ୍ତି ବାଇକ୍‌ରେ ଆସୁଥିଲେ। ଏହି ରାସ୍ତାରେ ଛିଡ଼ା ହୋଇଥିବା ଏକ କାର୍‌ର ଡୋର୍‌କୁ ଏହାର ଡ୍ରାଇଭର ଖୋଲି ଦେଇଥିଲେ। ଫଳରେ ବାଇକ୍‌ଟି କାର୍ ଡୋର୍‌ରେ ପ୍ରଥମେ ଧକ୍କା ହୋଇଥିଲା। ଏହାପରେ ଗାଙ୍ଗୁ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣା ସ୍ଥଳରେ ଗାଙ୍ଗୁ ପଣ୍ଡାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଏହି ଖବର ପ୍ରଚାରିତ ହେବା ପରେ କୋଟପାଡ଼ର ହଜାର ହଜାର ଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇ କାର ଚାଳକଙ୍କୁ ଧରିବାକୁ ଗୋଡ଼ାଇଥଲେ। କିଛି ସମୟ ଧରି ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ କୋଟପାଡ଼ ପୋଲିସ ଘଟଣସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ମୃତ ଗାଙ୍ଗୁ ପଣ୍ଡା ଜଣେ ଜଣାଶୁଣା ଯୁବକ ଥିଲେ। ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ସେ ଜଣେ ସମାଜ ସେବୀ, ପରୋପକାରୀ ଏବଂ ଶିବ ମନ୍ଦିରର ପୂଜକ ଥିଲେ।ଏହି ଖବର ଶୁଣି ଓଡ଼ିଶା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ସାଂସଦ ରମେଶ ଚନ୍ଦ୍ର ମାଝି, ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝି, ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝି, ଓକିଲ ସଂଘର ସଭାପତି ମନି ପ୍ରସାଦ ପଟ୍ଟନାୟକ, ପ୍ରେସ୍ କ୍ଲବର ସଭାପତି ପଙ୍କଜ କୁମାର ପାତ୍ର, ଚମ୍ବର୍ ଓଏଫ୍ କମର୍ସ ସଭାପତି ଗଣେଶ ଚନ୍ଦ୍ର ପଣ୍ଡାଙ୍କ ସମେତ କୋଟପାଡ଼ର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି।

Comment