କମଳାକାନ୍ତ ପତି

ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଗିଲଗିଟ୍-ବଲ୍‌ଟିସ୍ତାନକୁ ପଞ୍ଚମ ପ୍ରଦେଶ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଚୀନ‌କୁ ସନ୍ତୁଷ୍ଟ କରିବା ସକାଶେ ଇମ୍ରାନ ଏହି ପଦକ୍ଷେପ ନେଉଛନ୍ତି। ଆପତ୍ତି ଉଠାଇଛି ଭାରତ।

ଅଧିକୃତ ବିବାଦୀୟ ଅଞ୍ଚଳରେ ଦାଦାଗିରି

ଦୀର୍ଘ ସାତଦଶନ୍ଧି ଧରି ପାକ୍ ଅଧିକୃତ କଶ୍ମୀରରେ ରହି ଆସିଥିବା ଗିଲଗିଟ୍-ବଲ୍‌ଟିସ୍ତାନ ଅଞ୍ଚଳକୁ ପାକିସ୍ତାନ ଏବେ ଦେଶର ୫ମ ପ୍ରଦେଶ କରିବା ସକାଶେ ଅଣ୍ଟା ଭିଡ଼ିଛି। ବୃହତ୍ କଶ୍ମୀର ଅଞ୍ଚଳରେ ଅଦ୍ୟାବଧି ବିବାଦୀୟ ହୋଇ ରହି ଆସିଥିବା ଗିଲଗିଟ୍-ବଲ୍‌ଟିସ୍ତାନରେ ଏକ ସ୍ଵତନ୍ତ୍ର ବିଧାନସଭା ରହିଥିଲେ ମଧ୍ୟ ଭାରତ ସହ ବିବାଦ ରହିଥିବାରୁ ପାକିସ୍ତାନ ଏହାକୁ ନିଜସ୍ଵ ଶାସନ ଅଧୀନକୁ ନେଇ ପାରିନାହିଁ। ବରଂ ଉକ୍ତ ଅଞ୍ଚଳ ଏକ ପ୍ରଶାସନିକ ପରିଷଦ ଦ୍ଵାରା ପୃଥକ ଭାବେ ଶାସିତ ହୋଇଆସୁଛି।

ଗତବର୍ଷ କଶ୍ମୀରକୁ ନେଇ କେନ୍ଦ୍ର ସରକାର ଦୁଇଟି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ଏହି ରାଜ୍ୟକୁ ବିଭାଜିତ କରି ଦୁଇଟି ପୃଥକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଗଲା। ଏହାକୁ ନେଇ ପାକିସ୍ତାନ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଥିଲା। ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନର ଦାବି ଉଠାଇ ଏହି ରାଜ୍ୟକୁ ବିଭାଜନ ଓ ୩୭୦ ଧାରାର ଉଚ୍ଛେଦକୁ ରୋକିବା ସକାଶେ ପାକିସ୍ତାନ ଜାତିସଂଘରେ କଥା ଉଠାଇଥିଲା।

କିନ୍ତୁ କୌଣସି ସୁଫଳ ପାଇପାରିନଥିଲେ ଇମ୍ରାନ। ବରଂ ତୁରନ୍ତ ବେଆଇନ ଅଧିକୃତ ଅଞ୍ଚଳ ଛାଡ଼ି ଦେବାକୁ ଭାରତ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଥିଲା। ପାକିସ୍ତାନ ଏହି ଧମକ ପ୍ରତି କର୍ଣ୍ଣପାତ କରିବା ପରିବର୍ତ୍ତେ ଗିଲଗିଟ୍-ବଲ୍‌ଟିସ୍ତାନକୁ ଏକ ପ୍ରଦେଶରେ ପରିଣତ କରିବାର ଉଦ୍ୟମ ଆରମ୍ଭ କଲାଣି।ଚୀନ୍ ଚାପରେ ଇମ୍ରାନଙ୍କ ତତ୍ପରତା

ପାକିସ୍ତାନର ପ୍ରଶାସନିକ ଢାଞ୍ଚା ଏବେ ଚାରିଗୋଟି ପ୍ରଦେଶରେ ସୀମିତ। ତନ୍ମଧ୍ୟରେ ରହିଛି ବାଲୁଚିସ୍ତାନ, ଖୈବର ପାଖ୍‌ତୁନ୍‌ଓ୍ଵା, ପଞ୍ଜାବ ଏବଂ ସିନ୍ଧ୍। ଏଥିସହିତ ଦେଶର ରାଜଧାନୀ ଇସ୍‌ଲାମାବାଦ। ପାକ୍ ଅଧିକୃତ କଶ୍ମୀର ପାକିସ୍ତାନ ପ୍ରଶାସନିକ ଢାଞ୍ଚାରେ ସାମିଲ୍ ହୋଇଥିଲେ ମଧ୍ୟ ଏହା ବିବାଦୀୟ ଅଞ୍ଚଳ ହୋଇଥିବାରୁ ପାକିସ୍ତାନର ସଂଘୀୟ ବ୍ୟବସ୍ଥାର ଅଙ୍ଗ ହୋଇ ପାରିନାହିଁ।

ଏବେ ପିଓକେରେ ଥିବା ଗିଲଗିଟ୍-ବଲ୍‌ଟିସ୍ତାନକୁ ନୂଆ ପ୍ରଦେଶରେ ପରିଣତ କରି ସଂଘୀୟ ବ୍ୟବସ୍ଥା ମଧ୍ୟକୁ ନେଇ ଯିବା ପାଇଁ ପାକିସ୍ତାନ ସିଦ୍ଧାନ୍ତ ପଛରେ ଦେଶର ସେନାବାହିନୀ ଏବଂ ଇମ୍ରାନଙ୍କ ଅଭିଭାବକ ସାଜିଥିବା ଚୀନର ହାତ ରହିଛି। ସେହି ବଳରେ ଇମ୍ରାନ ସରକାର ପିଓକେର ଏହି ଅଞ୍ଚଳକୁ ନିଜର ସାମ୍ବିଧାନିକ ସମ୍ମତ ଭୂଖଣ୍ଡ କରି ଏହାର ଚରିତ୍ର ବଦଳାଇ ଦେବାକୁ ଚାହୁଁଛି।ସ୍ଵାର୍ଥ ପାଇଁ ଚୀନର ଚାପ

ଗିଲଗିଟ୍-ବଲ୍‌ଟିସ୍ତାନକୁ ପାକିସ୍ତାନ ତା’ର ପଞ୍ଚମ ପ୍ରଦେଶର ମର୍ଯ୍ୟାଦା ଦେଉ ବୋଲି ଚାହିଁବା ପଛରେ ଚୀନର ବୃହତ ସ୍ଵାର୍ଥ ନିହିତ। ତେଣୁ ଚୀନ୍ ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ୍ ଇମ୍ରାନଙ୍କ ଉପରେ ଚାପ ସୃଷ୍ଟି କରି ଚାଲିଛନ୍ତି। ଏହି ଅଞ୍ଚଳରେ ବିକ୍ଷୋଭ, ଆନ୍ଦୋଳନ ଓ ରାଜନୈତିକ ଅସ୍ଥିରତା ଚାହୁଁନାହିଁ ଚୀନ। କାରଣ ପିଓକେର ଏହି ଅଞ୍ଚଳରେ କେତେକ ଖଣିର ପରିଚାଳନା କରୁଛନ୍ତି ଚୀନର ସଂସ୍ଥା।

ରାଜନୈତିକ ଅସ୍ଥିରତା ଓ ଆନ୍ଦୋଳନ ଏଥିରେ ବାଧା ସୃଷ୍ଟି କରୁଛି। ସବୁଠାରୁ ବଡ଼ କଥା ହେଉଛି ଚୀନ ଦ୍ଵାରା ନିର୍ମାଣ କରାଯାଉଥିବା ଚୀନ୍-ପାକିସ୍ତାନ ଇକନମିକ୍ କରିଡର୍। ଚୀନ୍ ତା’ର ବାଣିଜ୍ୟ ବ୍ୟବସାୟ ସକାଶେ ଏହି ରାସ୍ତା ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛି। ଦୁଇ ଦେଶ ମଧ୍ୟରେ ଏକମାତ୍ର ଯୋଗାଯୋଗକାରୀ ଏହି କାରାକୋରମ୍ ସଡ଼କ ପଥଟି ଗିଲଗିଟ୍-ବଲଟିସ୍ତାନ ଅଞ୍ଚଳ ମଧ୍ୟଦେଇ ଯାଉଛି।

ଯେହେତୁ ଏହି ସଡ଼କ ନେଇ ଭାରତର ବିରୋଧ ରହିଛି ଏବଂ ଉକ୍ତ ଅଞ୍ଚଳ ତୁରନ୍ତ ଛାଡ଼ିଦେବାକୁ ନୂଆଦିଲ୍ଲୀ ଇସ୍‌ଲାମାବାଦକୁ ଚେତାବନୀ ଦେଇଛି ତାହା ଚୀନର ଚିନ୍ତାର କାରଣ ହୋଇଛି। ଭାରତ ଯଦି ସତରେ ଗିଲଗିଟ୍ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇଯାଏ ତେବେ ସବୁ ଚେଷ୍ଟା ବିଫଳ ହେବ। ତେଣୁ ଚୀନ ତୁରନ୍ତ ଗିଲଗିଟ୍-ବଲଟିସ୍ତାନକୁ ପଞ୍ଚମ ପ୍ରଦେଶର ମାନ୍ୟତା ଦେବାକୁ ପାକିସ୍ତାନ ଉପରେ ଚାପ ପକାଉଛି।

ପ୍ରକାଶ ଯେ, ଚୀନ-ପାକିସ୍ତାନ ଇକନମିକ୍ କରିଡର୍ ନିର୍ମାଣ ହୋଇଗଲେ ବେଜିଂର ବାଣିଜ୍ୟ କାରବାର ପାକିସ୍ତାନର ଗଦର ବନ୍ଦର ଦେଇ ସହଜ ଓ ଖର୍ଚ୍ଚ ସାପେକ୍ଷ ହେବ।ପାକିସ୍ତାନ ସେନାବାହିନୀର ଆଗ୍ରହ

ଚୀନ ଇଙ୍ଗିତରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ସେନା ଗିଲଗିଟ୍-ବଲ୍‌ଟିସ୍ତାନକୁ ନୂଆ ପ୍ରଦେଶରେ ପରିଣତ କରିବା ସକାଶେ ପ୍ରବଳ ଆଗ୍ରହୀ। ଇମ୍ରାନ ସରକାର ଜରିଆରେ ଏହି କାର୍ଯ୍ୟ ସମ୍ପାଦନ କରି ଶ୍ରେୟ ନେବାକୁ ଚାହୁଁଛନ୍ତି ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ୍ କମର ଜାଭେଦ ବାଜଓ୍ଵା। ଏଥିପାଇଁ ଇତିମଧ୍ୟରେ ସେନା ମୁଖ୍ୟାଳୟରେ ବାଜଓ୍ଵା ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଏକ ନୈଶ ଭୋଜିକୁ ଡାକି ବୁଝାଇଥିବା ଖବର ମିଳିଛି।

ଏହି ଭୋଜି ସଭାରେ ଜେନେରାଲ୍ ବାଜଓ୍ଵା ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଗିଲଗିଟ୍-ବଲ୍‌ଟିସ୍ତାନକୁ ନୂଆ ପ୍ରଦେଶ ଭାବେ ଦେଖିବାକୁ ଚାହାଁନ୍ତି। ଏହା ହେଲେ ସେଠାରେ ରାଜନୈତିକ ସ୍ଥିତାବସ୍ଥା ଆସିବ। ସେହି ଅଞ୍ଚଳର ଲୋକମାନେ ମଧ୍ୟ ପାକିସ୍ତାନର ନାଗରିକ ଭାବେ ପରିଗଣିତ ହେବେ। ତେବେ ସେନାର ଏହି ରାଜନୈତିକ ହସ୍ତକ୍ଷେପକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ଶରିଫଙ୍କ ଝିଅ ମରିୟମ ନଓ୍ଵାଜ ଓ ଅନ୍ୟ କେତେକ ରାଜନୈତିକ ଦଳ ବିରୋଧ କରୁଛନ୍ତି। ମାତ୍ର ସେନା ନିଜ ଜିଦିରେ ଅଟଳ।

ଗିଲଗିଟ୍ ବାସିନ୍ଦାଙ୍କ ବିରୋଧ

ଗିଲଗିଟ୍-ବଲ୍‌ଟିସ୍ତାନ ବାସିନ୍ଦାଙ୍କୁ ଏପର୍ଯ୍ୟନ୍ତ ସାବତ ପୁଅ ଭଳି ବ୍ୟବହାର କରି ଆସିଛନ୍ତି ସ୍ଵାଧୀନତା ପରବର୍ତ୍ତୀ ପାକିସ୍ତାନର ଶାସକଗୋଷ୍ଠୀ। ସେଠାରେ ବସବାସ କରୁଥିବା ଜନଜାତିର ଲୋକମାନଙ୍କୁ ବାସଚ୍ୟୁତ କରି ସୁନ୍ନି ପାଖତୁନମାନଙ୍କୁ ଥଇଥାନର ଚେଷ୍ଟା କରାଯାଇଛି। ଯେଉଁଥିପାଇଁ କି ଗିଲଗିଟ୍ ସବୁବେଳେ ଅଶାନ୍ତ ହୋଇ ରହିଆସିଛି।

ଏବେ ଇମ୍ରାନ ସରକାର ସେଠାରେ ନିର୍ବାଚନ କରି ନୂଆ ସରକାର ଗଢ଼ିବା ସହ ନୂଆ ପ୍ରଦେଶର ମାନ୍ୟତା ଦେବାକୁ ଆଗଭର ହୋଇଥିବାରୁ ଗିଲଗିଟ୍ ବାସିନ୍ଦା ଆଶ୍ଚର୍ଯ୍ୟ ବ୍ୟକ୍ତ କରୁଛନ୍ତି। ଏଭଳି ହେଲେ ଗିଲଗିଟ୍-ବଲ୍‌ଟିସ୍ତାନରେ ଶିଆ-ସୁନ୍ନି ଗଣ୍ଡଗୋଳ ଆହୁରି ତୀବ୍ର ହେବ।ଭାରତ କ୍ଷୁବ୍ଧ: କହିଲା ପଦକ୍ଷେପ ବେଆଇନ

ପାକ୍ ଅଧିକୃତ କଶ୍ମୀର ଏବେ ମଧ୍ୟ ବିବାଦୀୟ ହୋଇ ରହିଛି। ପାକିସ୍ତାନ ଏହାକୁ ନିଜର ସମ୍ବିଧାନ ସମ୍ମତ ଭୂଖଣ୍ଡରେ ପରିଣତ କରିବା ପାଇଁ ଉଦ୍ୟମ ଚଳାଇଛି ବୋଲି ଜାଣିବା ପରେ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି। ପାକିସ୍ତାନର ଗିଲଗିଟ୍-ବଲ୍‌ଟିସ୍ତାନ ବିଷୟକୁ ନେଇ ମନ୍ତ୍ରୀ ଅଲ୍ଲୀ ଅହମ୍ମଦ ଗନ୍ଦାପୁର ଇତିମଧ୍ୟରେ କହିଛନ୍ତି ଯେ, ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ଇମ୍ରାନ ଉକ୍ତ ଅଞ୍ଚଳ ଗସ୍ତ କରିବେ।

ଭାରତ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ମାସରେ ତଥାକଥିତ ଗିଲଗିଟ୍-ବଲ୍‌ଟିସ୍ତାନ ବିଧାନସଭା ନିର୍ବାଚନ ପାଇଁ ପାକିସ୍ତାନ ଯେଉଁ ପଦକ୍ଷେପ ଗ୍ରହଣ କରୁଛି ତାହା ବେଆଇନ। କାରଣ ପାକିସ୍ତାନର ଉକ୍ତ ଅଞ୍ଚଳକୁ ବେଆଇନ ଭାବେ ଦଖଲ କରି ରଖିଛି। ଭାରତର ଏହି ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହିଁ ପାକିସ୍ତାନ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment