ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆ ଏଭଳି ଏକ ମାଧ୍ୟମ ଯାହା ଦ୍ୱାରା ଜଣେ ଲୋକର ଭବିଷ୍ୟତ ରାତାରାତି ବଦଳି ଯାଇପାରେ। ଏହା ଜରିଆରେ ପୂର୍ବରୁ ଅନେକ ଲୋକ ଅନେକ ସାହାଯ୍ୟ ପାଇଥିବା ଆପଣ ପୂର୍ବରୁ ଶୁଣିଥିବେ। ଏବେ ସେହିଭଳି ଏକ ଘଟଣା ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି।

ଗତକାଲି ଟୁଇଟରରେ ହଠାତ୍ ଟ୍ରେଣ୍ଡ କରିବାକୁ ଲାଗିଥିଲା ‘ବାବା କି ଢ଼ାବା’। ଏହାକୁ କ’ଣ ତାହା ଜାଣିବାକୁ ସମସ୍ତେ ଇଚ୍ଛା ଦେଖାଇଥିଲେ। ସେଥିରେ ରହିଥିବା ଭିଡିଓକୁ ଅନେକ ଲୋକ ସେଆର୍ କରିଥିଲେ। ଏହାପରେ ଏହି ଘଟଣାର ସତ୍ୟତା କଣ ତାହା ଜଣାପଡ଼ିଥିଲା।

 ଅସଲ କଥା ହେଉଛି, ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତି ‘ବାବା କି ଢାବା’ ନାମରେ ଏକ ଦୋକାନ ଖୋଲିଛନ୍ତି। ହେଲେ ବର୍ତ୍ତମାନ ସମୟରେ ତାଙ୍କର ବେପାର ଠିକ୍ ଭାବେ ନହେଉଥିବାରୁ ସେ ନିଜର ଗୁଜୁରାଣ ମେଣ୍ଟାଇ ପାରୁନାହାନ୍ତି। ଏହି କଥା କହୁ କହୁ ସେ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କର ଏହି ଭିଡିଓକୁ ଜଣେ ବ୍ୟକ୍ତି ସୁଟିଂ କରି ଏହାକୁ ସୋସିଆଲ୍ ମିଡିଆରେ ସେଆର୍ କରିଥିଲେ।‘ବାବା କି ଢ଼ାବା’ ନାମରେ ଏହି ଭିଡିଓ ଖୁବ ଭାଇରାଲ୍ ହୋଇଥିଲା। ଏପରିକି ବଲିଉଡ୍ ସେଲିବ୍ରିଟିଙ୍କଠୁ ଆରମ୍ଭ କରି କ୍ରିକେଟରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ସେଆର୍ କରିଥିଲେ। ଭାରତୀୟ ଅଫ୍ ସ୍ପିନର ଆର ଅଶ୍ୱିନୀ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

ସୋସିଆଲ୍ ମିଡିଆରେ ‘ବାବା କି ଢାବା’କୁ ନେଇ ଚର୍ଚ୍ଚା ହେବା ପରେ ଏବେ ସେଠାରେ ଲୋକଙ୍କ ଗହଳି ଲାଗିବାରେ ଲାଗିଛି। ଲୋକମାନେ ତାଙ୍କୁ ସହଯୋଗର ହାତ ବଢାଇବା ସହିତ ତାଙ୍କ ବ୍ୟବସାୟରେ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି।

Comment