ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଭିଡ୍ ଗାଇଡଲାଇନ୍ ଭିତରେ ସବୁ କାମ
  • ରଥ ନିର୍ମାଣ ଶେଷ ହୋଇଛି: ପ୍ରଶାସନ

ବିରଜା କ୍ଷେତ୍ର ଯାଜପୁରରେ ରଥଯାତ୍ରା ହେବ କି’ ନାହିଁ ସେ ନିଷ୍ପତ୍ତି ହାଇକୋର୍ଟ ଯାଜପୁର ଜିଲ୍ଲାପାଳଙ୍କ ଉପରେ ଛାଡିଛନ୍ତି। ତେବେ ଯଦି ଜିଲ୍ଲାପାଳ ରଥଯାତ୍ରା ପାଇଁ ପଦକ୍ଷେପ ନିଅନ୍ତି ତାହେଲେ କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଏହି ପ୍ରସଂଗରେ ସତ୍ୟପାଠ ଦାଖଲ କରାଯାଇଥିଲା। ଗୋଟିଏପଟେ ଧାର୍ମିକ ଅଧିକାରକୁ ସୁରକ୍ଷା ଦେଇ ଅନ୍ୟପଟେ କିପରି ସ୍ୱାସ୍ଥ୍ୟସେବାରେ ବାଧା ଉପୁଜିବ ନାହିଁ ତାହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଏହି ସତ୍ୟପାଠରେ ପ୍ରାର୍ଥନା କରାଯାଇଥିଲା।

ଏଥିସହ ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ଡ଼ଲାଇନର ସମସ୍ତ ନିୟମକୁ ଅନୁସରଣ କରାଯାଇ ଇତିମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜବାବକୁ ବିଚାରକୁ ନେଇ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମା’ ବିରଜାଙ୍କ ରଥଯାତ୍ରା ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଉନଥିବାରୁ ଏ ନେଇ ହାଇକୋର୍ଟରେ ଚାରୋଟି ମାମଲା ରୁଜୁ ହୋଇଥିଲା । ଯଦି ପ୍ରଶାସନ ରଥଯାତ୍ରା ପାଇଁ ଅନୁମତି ନଦିଏ ଶହଶହ ବର୍ଷର ପରମ୍ପରାରେ ବ୍ୟାଘାତ ସୃଷ୍ଟି ହେବ। କରୋନା କଟକଣା ଭିତରେ ମା’ଙ୍କର ଏହି ଶାରଦୀୟ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ଆବେଦନକାରୀମାନେ ପ୍ରାର୍ଥନା କରିଥିଲେ। ଯାଜପୁର ଜିଲ୍ଲା ଲୟର୍ସ ଆସୋସିଏସନର ଅନ୍ତରୀଣ କମିଟିର ଅଧ୍ୟକ୍ଷ ପ୍ରବୀର କୁମାର ରାୟ, ବିରଜା ମନ୍ଦିରର ମୁକ୍ତି ମଣ୍ଡପ ସେବାୟତ ପରିଷଦ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ବାନର ସେନା ପକ୍ଷରୁ ମାମଲା ରୁଜୁ ହୋଇଥିଲା। ଏ ସମସ୍ତ ମାମଲାର ଗୁରୁବାର ଏକତ୍ର ଶୁଣାଣି ହୋଇଥିଲା। ହାଇକୋର୍ଟ ଏ ସଂକ୍ରାନ୍ତରେ ଯାଜପୁର ଜିଲ୍ଲାପାଳଙ୍କୁ ଜବାବ ରଖିବାକୁ ପୂର୍ବରୁ ଆଦେଶ ଦେଇଥିଲେ ।କରୋନାକୁ ନେଇ ବର୍ତ୍ତମାନ ଯାଜପୁର ହଟସ୍ପଟ୍ ରହିଛି। ତେଣୁ ଯଦି ସାଧାରଣ ଲୋକେ ରଥଯାତ୍ରାରେ ଭାଗ ନିଅନ୍ତି ତାହେଲେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ଏଡାଇ ଦେଇହେବ ନାହିଁ। ପ୍ରଶାସନ ମା’ ବିରଜାଙ୍କ ପରମ୍ପରାରେ ବ୍ୟାଘାତ ପହଞ୍ଚାଇବାକୁ ଚାହୁଁନଥିବା ବେଳେ ଏପଟେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଏକ ବଡ ଚାଲେଞ୍ଜ ସୃଷ୍ଟି କରିଛି ବୋଲି ସତ୍ୟପାଠରେ କୁହାଯାଇଛି। ଗୋଟିଏପଟେ ଯେପରି ଧାର୍ମିକ ପରମ୍ପରା, ଅଧିକାର କ୍ଷୁର୍ଣ୍ଣ ନହୁଏ ଏବଂ ଅନ୍ୟପଟେ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଭାବିତ ନହୁଏ ଏହାକୁ ଦୃଷ୍ଟିରେ ରଖି ଅଦାଲତ ଆବଶ୍ୟକ ନିର୍ଦ୍ଦେଶ ନେବାକୁ ଯାଜପୁର ପ୍ରଶାସନ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା।ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତମତେ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀମାନଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ, ଅଶୋକ କୁମାର ବେହେରା, ସୁରେଶ କୁମାର ଜେନା, ଅକ୍ଷୟ କୁମାର ପାଣ୍ଡେ, ବିପ୍ଳବ କୁମାର ତ୍ରିପାଠୀ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

Comment