ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗ ପଛ ହୋଇ ୩ ପିଲାଙ୍କୁ ଅନାଥ କରି ଚାଲିଗଲେ ବାପା, ମା’। ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍।

ସେମାନଙ୍କ ମା’ ବାଳାବତୀ ନାୟକଙ୍କ ମୃତ୍ୟୁ ଅଗଷ୍ଟ ମାସରେ ହୋଇଥିବା ବେଳେ ଗତ ସେପ୍ଟେମ୍ବରରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ପରେ ଏହି ତିନି ଶିଶୁ ଅନାଥ ହୋଇପଡ଼ିଥିଲେ।

ଜନଜାତି ବର୍ଗର ଏହି ତିନି ଭାଇ ଭଉଣୀ ଦେବକୀ, ବର୍ଷାରାଣୀ ଓ କ୍ଷୀରୋଦଙ୍କ ଦୁଃଖ ଭରା କାହାଣୀ ଗଣମାଧ୍ୟମରେ ପ୍ରସାରଣ ହେବା ପରେ କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା। ନିଜ କର୍ମଚାରୀଙ୍କ ଜରିଆରେ ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ସଂପର୍କରେ ବୁଝିଥିଲେ।

ତାଙ୍କ ଅନୁରୋଧ କ୍ରମେ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ତୁରନ୍ତ ସେମାନଙ୍କ ଚଳିବା ପାଇଁ ମାସିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହା ସହ ଏହି ତିନି ପିଲାଙ୍କ ପାଠ ପଢ଼ାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି କିସ୍‍ ଫାଉଣ୍ଡେସନ୍‍ ଗୁରୁତ୍ୱ ପ୍ରଦାନ କରିଛି।

ସେମାନେ କିସ୍‍ରେ ପାଠ ପଢ଼ିବେ ବୋଲି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି। କରୋନା ଶେଷ ହେବା ପରେ କିସ୍‍ ଖୋଲିଲେ ନିୟମ ଅନୁସାରେ ସେମାନଙ୍କ ନାମ ଲେଖାଯିବ।

ସେମାନଙ୍କ ଏହି ଦୁଃଖ ସମୟରେ ସହାୟତାଯୋଗାଇ ଦେଇଥିବାରୁ କିସ୍‍ ଫାଉଣ୍ଡେସନ୍‍ ଓ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ତିନି ଭାଇ ଭଉଣୀ କୃତଜ୍ଞତା ଜଣାଇଛନ୍ତି।

Comment