ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ବିଶ୍ୱ କରୋନା ଟିକା ପାଇଁ ଆଗ୍ରହର ସହ ଚାହିଁ ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ‘ହୁ’ କହିଛି ଯେ ସୁସ୍ଥ ଓ ସବଳ ଯୁବକମାନଙ୍କୁ କରୋନା ଟିକା ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ‘ହୁ’ର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ ଯେଉଁମାନେ ସ୍ୱାସ୍ଥ୍ୟସେବା ଓ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି, ସେମାନେ ପ୍ରଥମେ ଟିକା ପାଇବେ। ତା’ପରେ ପାଇବେ ବୟସ୍କ ବ୍ୟକ୍ତି ଓ ଯେଉଁମାନଙ୍କଠାରେ ସ୍ୱାସ୍ଥ୍ୟଗତ ବିପଦ ରହିଛି।

ସ୍ୱାମୀନାଥନ କହିଲେ ଯେ ଆଗାମୀ ଦିନରେ ଏନେଇ ଗୁଡ଼ାଏ ନିର୍ଦ୍ଦେଶାବଳୀ ପଠାଯିବ। ତେବେ ଯୁବ ଗୋଷ୍ଠୀ ପ୍ରଥମ ପର୍ଯ୍ୟାୟରେ ଟିକା ପାଇବେ ନାହିଁ। ସେ କହିଛନ୍ତି ଯେ କିଏ ଟିକା ଆଗ ପାଇବା ଉଚିତ ସେ ନେଇ ବିଶ୍ୱ ତମାମ ଆଲୋଚନା ଚାଲିଛି।

ତାଙ୍କ ବ୍ୟକ୍ତିଗତ ମତ ହେଲା ୨୦୨୧ ସୁଦ୍ଧା ଅନ୍ତତଃ ଗୋଟିଏ ନିରାପଦ ଟିକା ବାହାରିବ। କିନ୍ତୁ ଏହା କମ ପରିମାଣରେ ଆସିବ। ଏଣୁ କିଏ ଆଗ ନେବେ କିଏ ନେବେ ନାହିଁ, ତାହା ସ୍ଥିର କରିବାକୁ ହେବ।

ସ୍ଵାମୀନାଥନ କହିଲେ ଯେ ଅନେକ ଲୋକ ଅପେକ୍ଷା କରିଛନ୍ତି ଅମୁକ ଦିନ କି ସମୁକ ତାରିଖରେ ଟିକା ବଜାରକୁ ଆସିଯିବ, ଆଉ ଟିକା ନେବା ପରେ ଯେ ଝା କାମକୁ ବାହାରିଯିବେ। ତେବେ ଘଟଣା ସେୟା ନୁହଁ ଓ ସେମିତି କଦାପି ଟିକା ବଣ୍ଟାଯିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦୁଇ ଦିନ ତଳେ କହିଥିଲେ ଯେ କିଏ ପ୍ରଥମେ ଟିକା ପାଇବେ, ତାହା ନିର୍ଦ୍ଧାରଣ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ାଯିବ। ସେ ବି ଏକା କଥା କହିଥିଲେ ଯେ କରୋନା ଯୋଦ୍ଧା ଓ ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମେ ଟିକା ଦିଆଯିବ।

Comment