ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଓ ଏରିୟଲ ସର୍ଭେର ସେଇ ୧୯ ମିନିଟ୍‌ର ତଥ୍ୟ ଆଉ ଭିଡିଓ ସିଏମ୍‌ଓ ଦେବେ କି! ଏଭଳି ପ୍ରଶ୍ନ ରଖିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଶନିବାର ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ଗସ୍ତ ଉପରେ ନାନା ପ୍ରଶ୍ନ ଉଠାଇଛନ୍ତି। ଗତ ଅଗଷ୍ଟ ୩୧ରେ ବନ୍ୟାଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ଓ ଏରିୟଲ ସର୍ଭେକୁ ନେଇ ମିଡିଆରେ ଚର୍ଚ୍ଚା ଜୋର୍ ଧରିଥିଲା। ଏହାକୁ ନେଇ ବିବାଦ ଥମୁନାହିଁ।

ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କୁ ଏନେଇ କୈଫିୟତ ଦେଇସାରିଛି। ମିଡିଆ ଓ ଆର୍‌ଟିଆଇ କର୍ମୀ ଟେକ୍‌ଅଫ୍ ଓ ଲ୍ୟାଣ୍ଡିଂ ସହିତ ଉଡ଼ାଣକୁ ୧୯ ମିନିଟ୍ ବୋଲି କହୁଥିବା ବେଳେ ଏୟାରପୋର୍ଟ ଅଥୋରିଟି କହିଛି ଯେ ସେଥିରେ କେବଳ ଉଡ଼ାଣର ଅବଧି ୧୯ ମିନିଟ୍। ତାହାକୁ ନେଇ ଦ୍ୱନ୍ଦ୍ୱ ବଢୁଛି। ଏବେ ଆର୍‌ଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଉ କିଛି ପ୍ରଶ୍ନ ଜନତାଙ୍କ ଆଗରେ ରଖିଛନ୍ତି।

ପ୍ରଦୀପ ପ୍ରଧାନ କହିଛନ୍ତି, ‘ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଏରିୟଲ ସର୍ଭେ ସାରି ଫେରିବା ପରେ ବନ୍ୟାଞ୍ଚଳ ଗସ୍ତ ଓ ସେ ଘୋଷଣା କରିଥିବା ପ୍ୟାକେଜ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାର କେଉଁ କେଉଁ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି, ତାହାର ତଥ୍ୟ ଦିଆଯାଉ।’

‘ସେ ଏକାକୀ ବନ୍ୟାଞ୍ଚଳ ଯାଇ ନ ଥିବେ। ଗସ୍ତ ବେଳେ ତାଙ୍କ ସହ କେଉଁ ଅଫିସର ଥିଲେ’ ପ୍ରଶ୍ନ କରିଛନ୍ତି ପ୍ରଧାନ।

‘ଜାରି ହୋଇଥିବା ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ପାର୍ଶ୍ୱକୁ ଦେଖାଯାଇଛି, ଯେଉଁଥିରେ ବିମାନର ଡୋର୍ ରହିଛି, କିନ୍ତୁ ଅଫିସରମାନେ ଥିବା ଭିଡିଓ ଜାରି କରନ୍ତୁ ସରକାର। ବୟସାଧିକ୍ୟ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ସହ ଡାକ୍ତରୀ ଟିମ୍ ରହିବା କଥା। ଗସ୍ତ ବେଳେ କେଉଁ ଡାକ୍ତର ଯାଇଥିଲେ, ଗସ୍ତର ବିବରଣୀ କାହିଁ।’ ସୂଚନା ଅଧିକାର କର୍ମୀ ପ୍ରଧାନ ପ୍ରେସ୍‌ମିଟ୍‌ରେ ଏଭଳି ସବୁ ପ୍ରଶ୍ନ ରଖିବା ସହ ସିଏମ୍‌ଓଠାରୁ ଏହାର ଉତ୍ତର ଚାହିଁଛନ୍ତି। ଉଡ଼ାଣର ସମ୍ପୂର୍ଣ୍ଣ ଭିଡିଓ ଜାରି କରିବା ପାଇଁ ସେ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here