ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ନିଷ୍ପତ୍ତି। ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଗଣଶିକ୍ଷା ବିଭାଗ ଓ ପ୍ରମୁଖ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ସମୟରେ ଛାତ୍ରଛାତ୍ରୀଙ୍କ ଜୀବନଙ୍କୁ ଗୁରୁତ୍ୱ ଦେଇ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପକ୍ଷରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ବିଶେଷଜ୍ଞମାନଙ୍କ ପରାମର୍ଶରେ ସିଏଚଏସଇ ନିର୍ଦ୍ଧାରିତ ମାପଦଣ୍ଡରେ ଏହି ମୂଲ୍ୟାୟନ କରାଯିବ। ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ କରୋନା ସ୍ଥିତି ସୁଧୁରିଲାପରେ ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ପରୀକ୍ଷା କେବେ ହେବ, ତାହା ସିଏଚଏସଇ କରୋନା ସ୍ଥିତି ସମୀକ୍ଷା କରି ନିର୍ଣ୍ଣୟ ନେବ।ଦୁଇ ଦିନ ତଳେ ସିବିଏସଇ ପକ୍ଷରୁ ଦ୍ୱାଦଶ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା। ପୂର୍ବରୁ ରାଜ୍ୟରେ ମାଟ୍ରିକ ବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ୍‌ କରାଯାଇଥିଲା।

ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ଜାରି ରହିଛି। କୋଭିଡ୍‌ରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା। କିନ୍ତୁ ପାଠପଢ଼ାଠାରୁ ଊର୍ଦ୍ଧ୍ୱରେ ଛାତ୍ରଛାତ୍ରୀଙ୍କ ଜୀବନ। ଏହାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏବେ ସୁରକ୍ଷିତ ରହିଲେ ଆଗକୁ ପୁଣିଥରେ ପରୀକ୍ଷା ଦେଇହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comment