ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତ ଋତୁର ଆରମ୍ଭ ସହିତ କରୋନାର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ହେବାର ସମ୍ଭାବନା ରହିଥିବା ବିଶେଷଜ୍ଞମାନେ ଆକଳନ କରିସାରିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ସମୟରେ ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲା ଆଗୁଆ ପଦକ୍ଷେପ ଗ୍ରହଣ କରିଛି। ଡିସେମ୍ଵର ପହିଲା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମନ୍ଦିରଗୁଡ଼ିକୁ ବନ୍ଦ ରଖିବା ସହ ପର୍ଯ୍ୟଟନ ସ୍ଥଳୀ ପାଇଁ କଟକଣାଯୁକ୍ତ ଗାଇଡଲାଇନ ଜାରି କରାଯାଇଛି। ସୋମବାର ଜିଲ୍ଲାରେ କରୋନା ସଂକ୍ରମଣ ଜନିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଗଞ୍ଜାମରେ ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଡିସେମ୍ଵର ପହିଲା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମନ୍ଦିରଗୁଡ଼ିକୁ ବନ୍ଦ ରଖିବାପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ପିକ୍‌ନିକ୍‌ ସ୍ପଟଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନ୍ ଅନୁଯାୟୀ ଜିଲ୍ଲାର କୌଣସି ପର୍ଯ୍ୟଟନ ସ୍ଥଳୀରେ ୩ମାସ ପର୍ଯ୍ୟନ୍ତ ବଣଭୋଜି ଏବଂ ଗୀତ ବଜାଇବା ଉପରେ କଟକଣା ଲଗାଯାଇଛି।

ସେହିପରି ସରକାରୀ ଅଧିକାରୀମାନେ ୫୦ ପ୍ରତିଶତ ଅଫିସ୍‌ରେ କାମକରି ବାକି ସମୟ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା ୩ମାସ ପର୍ଯ୍ୟନ୍ତ ପ୍ରତି ଗାଁରେ ‘ମୋ ଗାଁରେ ତହସିଲ’ ବ୍ୟବସ୍ଥା ଲାଗୁ କରାଯିବ। ଏହି ବ୍ୟବସ୍ଥା ଅନୁସାରେ ଏଣିକି ଲୋକେ ପ୍ରମାଣପତ୍ର, ରାଜସ୍ଵ ଭରଣା ଏବଂ ମ୍ୟୁଟେସନ୍ ଆଦିର ସୁବିଧା ଗାଁରେ ପାଇପାରିବେ।

Comment