ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ଭାଗଲପୁରର ଜଣେ ବ୍ୟକ୍ତି ନିଜ ଘର ଛାତ ଉପରେ ମହିନ୍ଦ୍ରା ସ୍କର୍ପିଓ କାର୍ ଡିଜାଇନରେ ପାଣିଟାଙ୍କି ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ତାଙ୍କୁ ଆଗ୍ରାରୁ ସ୍ୱତନ୍ତ୍ର କାରିଗରଙ୍କୁ ଡାକିବାକୁ ପଡ଼ିଥିଲା। ତେବେ ଏହି କାରିଗରି ଦେଖି ପ୍ରଶଂସା ନକରି ରହିପାରିନାହାନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା।
ସେ ଏହି ପାଣିଟାଙ୍କିର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି କାରିଗରଙ୍କୁ ସଲାମ କରିଛନ୍ତି। ଘର ଉପରେ ଏପରି ଡିଜାଇନରେ ପାଣିଟାଙ୍କି ତିଆରି କରିଥିବା ଇନ୍ତସାର ଆଲମଙ୍କ ସ୍କର୍ପିଓ ପ୍ରତି ଭଲ ପାଇବାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।
ଇନ୍ତସାରଙ୍କ ପ୍ରଥମ ଗାଡ଼ି ମହିନ୍ଦ୍ରା ସ୍କର୍ପିଓ ଥିବାରୁ ସେ ଅବିକଳ ସେହି ଡିଜାଇନରେ ପାଣିଟାଙ୍କି ତିଆରି କରିଛନ୍ତି। ଏମିତିକି ସେଥିରେ ନିଜ ଗାଡ଼ି ନମ୍ବର ବି ରଖିଛନ୍ତି। ଯାହାର ଫଟୋ ଦେଖିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ତେବେ ଏହି ଅନନ୍ୟ ଡିଜାଇନର ପାଣି ଟାଙ୍କି ତିଆରି କରିବାର କଳ୍ପନା ଇନ୍ତସାରଙ୍କ ପତ୍ନୀଙ୍କର ଥିଲା। ଏହି ଟାଙ୍କି ତିଆରି କରିବାକୁ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଇନ୍ତସାର।