ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଜି ପଡ଼ିବ ଭୋଟ୍। କୋଭିଡ୍ କଟକଣାକୁ ମାନି ଭୋଟରମାନେ ନିଜର ମତ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ।

କରୋନା କାଳରେ ଏହି ନିର୍ବାଚନ ହେଉଥିବାରୁ ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟରମାନେ ଭୋଟ୍ ଦେବାବେଳେ ଗ୍ଲୋବସ୍ ଓ ସାନିଟାଇଜର ଆଦିର ବ୍ୟବହାର କରିବେ ବୋଲି ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ସବା ଶେଷରେ କରୋନା ଆକ୍ରାନ୍ତମାନେ ମଧ୍ୟ ଭୋଟ୍ ଦେଇପାରିବେ ବୋଲି କୁହାଯାଇଛି।ଉପନିର୍ବାଚନରେ ବିଜୟୀ ହେବାକୁ ରାଜ୍ୟର ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭରପୂର ପ୍ରଚାର କରିଥିଲେ। ଷ୍ଟାର ପ୍ରଚାରକଙ୍କ କ୍ୟାମ୍ପେନିଂରେ ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଗହଳି ଲାଗି ରହିଥିଲା। ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଧ୍ୟ କରିଥିଲେ। ସେହିଭଳି ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସାଂସଦ ଓ ବିଧାୟକମାନେ ପ୍ରଚାର କରିଥିଲେ। ଶେଷରେ ଆଜି କିନ୍ତୁ ଭୋଟରମାନେ ନିଜର ବିଧାୟକ ବାଛିବେ।

ଅନ୍ୟପଟେ ଉପ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଦୁଇ ନିର୍ବାଚନ ମଣ୍ଡଳୀରେ ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ହେବା ସହ ୨୫୦  ଅଫିସରଙ୍କୁ ନିର୍ବାଚନ ଶାନ୍ତିଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି। ଏଥିସହିତ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ।

Comment