ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ଵାଇ ପୋଲିସର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବଜେ ଦୀର୍ଘଦିନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର କୌଣସି ଏନ୍‌କାଉଣ୍ଟର ପାଇଁ ନୁହେଁ ବରଂ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କ ଗିରଫଦାରୀ ଘଟଣା ପରେ ତାଙ୍କ ନାଁ ଗଣମାଧ୍ୟମକୁ ଆସିଛି। ଅର୍ଣ୍ଣବଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସ ଟିମ୍‌ର ନେତୃତ୍ଵ ନେଇଥିଲେ ଖୋଦ୍ ସଚିନ।

ମୁମ୍ଵାଇ ପୋଲିସର ବେଶ୍ ଚର୍ଚ୍ଚିତ ଚେହେରା ହେଉଛନ୍ତି ସଚିନ ବଜେ। ଅପରାଧୀମାନେ ତାଙ୍କ ନାଁ ଶୁଣିଲେ ଭୟ କରନ୍ତି। ତେଣୁ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଭାବେ ପୁରା ମୁମ୍ଵାଇରେ ତାଙ୍କର ପରିଚୟ ରହିଛି। ଦୀର୍ଘ ୧୩ ବର୍ଷ ପୋଲିସ ଚାକିରିଠାରୁ ଦୂରେଇ ରହି ୬ ଜୁନ ୨୦୨୦ରେ ପୁଣି ପୋଲିସକୁ ସେ ଫେରିଛନ୍ତି। ୨୦୦୭ରେ ମୁମ୍ଵାଇ ପୋଲିସରୁ ଇସ୍ତଫା ଦେଇଥିଲେ ସଚିନ।ସଚିନ ୧୯୯୦ ମସିହାରେ ବତୌରର ସବ୍‌ଇନିସପେକ୍ଟର ଭାବେ ମୁମ୍ଵାଇ ପୋଲିସରେ ଯୋଗ ଦେଇଥିଲେ। ଏପର୍ଯ୍ୟନ୍ତ ତାଙ୍କ ନାଁରେ ୬୩ଟି ଏନ୍‌କାଉଣ୍ଟର କରିବାର ରେକର୍ଡ ରହିଛି। ଏପରିକି ଛୋଟା ରାଜନ ଏବଂ ଦାଉଦ ଇବ୍ରାହିମ୍‌ର କେତେକ ଗ୍ୟାଙ୍ଗକୁ ନିପାତ କରିବାରେ ତାଙ୍କର ବିଶେଷ ଭୂମିକା ରହିଛି।

୨୦୦୪ରେ ସଚିନଙ୍କ ସମେତ ଅନ୍ୟ ୧୪ ପୋଲିସ କର୍ମଚାରୀ ନିଲମ୍ଵିତ ହୋଇଥିଲେ। ୨୦୦୨ ଘାଟକୋପର ବିସ୍ଫୋରଣର ଅଭିଯୁକ୍ତ ଖ୍ଵାଜା ୟୁନୁସର ହାଜତ ମୃତ୍ୟୁ ଅଭିଯୋଗରେ ସେମାନଙ୍କୁ ନିଲମ୍ଵନ କରାଯାଇଥିଲା। ଦୀର୍ଘ ସମୟଧରି ନିଲମ୍ଵନ ନ ଉଠିବାରୁ ୨୦୦୭ରେ ପୋଲିସରୁ ଇସ୍ତଫା ଦେଇଥିଲେ ସଚିନ।

ଏହାପରେ ୨୦୦୮ ରେ ସେ ଶିବସେନାରେ ଯୋଗ ଦେଇଥିଲେ। ଦୀର୍ଘ ୧୩ ବର୍ଷ ପୋଲିସ ଚାକିରିରୁ ଦୂରେଇ ରହିବା ପରେ ଚଳିତ ବର୍ଷ ମୁମ୍ଵାଇ ସହରରେ କରୋନା ମହାମାରୀ ସଂକ୍ରମଣର ପ୍ରାଦୁର୍ଭାବ ସମୟରେ ତାଙ୍କୁ ପୁନର୍ବାର ପୋଲିସକୁ ଫେରାଇ ଅଣାଗଲା। ପୋଲିସକୁ ଫେରିବା ପରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଗିରଫ କରି ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି ସଚିନ ବଜେ।

LEAVE A REPLY

Please enter your comment!
Please enter your name here