ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାଙ୍କଷ୍ଟରଙ୍କଠାରୁ ଧମକ୍ ମିଳିବା ପରେ ବଢ଼ିଲା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା। ଭାଇଜାନଙ୍କ ବାନ୍ଦ୍ରାସ୍ଥିତ ଘର ‘ଗ୍ୟାଲେକ୍ସି’ ଆଗରେ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାଡ ଏବଂ ରୋହିତ ବରାଡଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ।

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ମିଳିଛି ହତ୍ୟା ଧମକ୍। ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ଧମକ୍ ଦେବା ପରେ ବଢ଼ିଛି ସଲୁ ଭାଇଙ୍କ ସୁରକ୍ଷା ବ୍ୟବସ୍ଥା। ସଲମାନ ଖାନଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଛି ମୁମ୍ବାଇ ପୋଲିସ। ଧମକ ମିଳିବା ପରଠାରୁ ରାତିଦିନ ତାଙ୍କ ଘର ଆଗରେ ପହରା ଦେଉଛନ୍ତି ପୋଲିସ କର୍ମଚାରୀ।

ମାର୍ଚ୍ଚ ୧୮ ତାରିଖରେ ସଲମାନ ଖାନଙ୍କ ମ୍ୟାନେଜରଙ୍କ ନିକଟକୁ ଏକ ଇ-ମେଲ ଆସିଥିଲା। ଯେଉଁଥିରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ସଲମାନଙ୍କ ସହ ଦେଖା ହୋଇ କୌଣସି ଘଟଣା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଲେଖା ଯାଇଛି। ଏହା ସହ ମୁହାଁମୁହିଁ କଥା ହେବାକୁ କୁହାଯାଇଛି। ସମୟ ପୂର୍ବରୁ ସୂଚନା ଦିଆଯାଇଥିବା ଲେଖାଯାଇଛି। ସବୁଠାରୁ ବଡ଼କଥା ହେଲା ଆଗକୁ ଆଉ ସୂଚନା ନଦେଇ ଝଟକା ଦିଆଯିବ ବୋଲି ସ୍ପଷ୍ଟ ଭାବେ ଲେଖାଯାଇଛି।

ଏହି ମେଲ ଆସିବା ପରେ ସଲମାନ ଖାନଙ୍କ ମ୍ୟାନେଜର ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାଡ ଏବଂ ରୋହିତ ବରାଡଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସଲମାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି।

ସଲମାନଙ୍କୁ ଧମକ୍ ମିଳିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଗ୍ୟାଙ୍କଷ୍ଟର ଲରେନ୍ସ ବିଷ୍ଣୋଇ ମଧ୍ୟ ଜେଲରେ ଥାଇ ସଲମାନଙ୍କୁ ଧମକ୍ ଦେଇ ସାରିଛି। ଏପରିକି ସଲମାନଙ୍କୁ ହତ୍ୟା କରିବାକୁ ପୂର୍ବର ବହୁ ବାର ଯୋଜନା କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ପୁଣି ଥରେ ସଲମାନଙ୍କୁ ଧମକ୍ ମିଳିବା ପରେ ତାଙ୍କ ସୁରକ୍ଷାକୁ ନେଇ ମୁମ୍ବାଇ ପୋଲିସର ଚିନ୍ତା ବଢ଼ିଛି।

Tags: #SalmanKhan #BollywoodSuperstar #LifeThreaten #SecurityArrangement #MumbaiPolice

Comment