ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜ ଚ୍ୟାନେଲ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଜଣେ ଇଣ୍ଟେରିୟର ଡିଜାଇନର ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଅର୍ଣ୍ଣବ ମୁମ୍ବାଇ ପୋଲିସ ନାଁରେ ଅସଦାଚରଣ ଆରୋପ ଲଗାଇଛନ୍ତି। ପୋଲିସ ବିନା ନୋଟିସ୍‌ରେ ତାଙ୍କୁ ଘରୁ ଉଠାଇନେବା ସହ ତାଙ୍କ ଶାଶୁ-ଶ୍ଵଶୁର, ପତ୍ନୀ ଓ ପୁଅଙ୍କୁ ମାଡ଼ ମାରିଥିବା ଅର୍ଣ୍ଣବ ଅଭିଯୋଗ କରିଛନ୍ତି।

୨୦୧୮ ମସିହାର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ଅନ୍ଵୟ ନାଏକ ନାମକ ଜଣେ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନରଙ୍କୁ ଅର୍ଣ୍ଣବ ବକେୟା ରାଶି ଦେଇନଥିଲେ। ଏହି କାରଣରୁ ୨୦୧୮ ମସିହାରେ ଅନ୍ଵୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

କିନ୍ତୁ ଅର୍ଣ୍ଣବଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅନ୍ଵୟଙ୍କ ଝିଅ ଅଭିଯୋଗ କରିଥିଲେ। ଏହି କାରଣରୁ ଅନ୍ଵୟ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିବା ସେ କହିଥିଲେ। ଏହି ମାମଲାରେ ଅର୍ଣ୍ଣବଙ୍କ ସହିତ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା।arnab goswami republic bharatଅନ୍ଵୟ ଲେଖିଥିବା ସୁଇସାଇଡାଲ ନୋଟ୍‌ରେ ଆରୋପୀମାନେ ୫ କୋଟି ୪୦ ଲକ୍ଷ ଟଙ୍କା ବକେୟା ଦେଇନଥିବା ଉଲ୍ଲେଖ ଥିଲା। ନିଜର ପ୍ରାପ୍ୟ ନମିଳିବାରୁ ନିରାଶ ହୋଇ ଅନ୍ଵୟ ଓ ତାଙ୍କ ମା’ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ସୁଇସାଇଡାଲ ନୋଟ୍‌ରେ ଲେଖାଥିଲା। କିନ୍ତୁ ରିପବ୍ଲିକ୍ ଟିଭି ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।

ଅନ୍ଵୟଙ୍କ ଆତ୍ମହତ୍ୟା ଘଟଣାରେ ପୂର୍ବରୁ ଆରୋପୀମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା। ତେଣୁ ମାମଲାକୁ ବନ୍ଦ କରିଦିଆଯାଇଥିଲା। ତେବେ ଚଳିତବର୍ଷ ମେ ମାସରେ ଅନ୍ଵୟଙ୍କ ପତ୍ନୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଗୁହାରି କରିଥିଲେ। ଏବେ ଏହି ମାମଲାକୁ ରିଓପନ୍ କରି ଅର୍ଣ୍ଣବଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

Comment