ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ସରକାରଙ୍କ ନିର୍ଦ୍ଦେଶ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତିକୁ ସ୍ଥଗିତ ରଖିଛି। ଗଣଶିକ୍ଷା ବିଭାଗର ପରାମର୍ଶ କ୍ରମେ ଫର୍ମ ପୂରଣ ସମ୍ପର୍କରେ ପରବର୍ତ୍ତୀ ଘୋଷଣା କରାଯିବ ବୋଲି ବୋର୍ଡର ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

କରୋନା ଯୋଗୁ ସ୍କୁଲ୍ ବନ୍ଦ ଥିବା ବେଳେ ଅନ୍‌ଲାଇନ୍ ପାଠ ପଢ଼ା ମଧ୍ୟ ସଫଳ ହୋଇପାରୁନାହିଁ। ଏଭଳି ସ୍ଥିତିରେ ବୋର୍ଡ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗଣଶିକ୍ଷା ବିଭାଗ ଓ ବୋର୍ଡ ମଧ୍ୟରେ ସମନ୍ୱୟ ଅଭାବରୁ ତରବରିଆ ଭାବେ ଏଭଳି ନିଷ୍ପତ୍ତି ନିଆଯାଇଥିବା ବହୁ ଶିକ୍ଷାବିତ୍ ମତ ପ୍ରକାଶ କରିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜ୍ଞପ୍ତିକୁ ସ୍ଥଗିତ ରଖିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଘୋଷଣା ଓ ପରେ ପ୍ରତ୍ୟାହାର ଭଳି ଘଟଣାକୁ ନେଇ ଶିକ୍ଷାବିତ୍‌ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶିକ୍ଷାବିତ୍ ତଥା ବୋର୍ଡର ପୂର୍ବତନ ସଭାପତି ଡକ୍ଟର ସତ୍ୟକାମ ମିଶ୍ରଙ୍କ କହିବା କଥା, ମାତ୍ର ୩୦ ପ୍ରତିଶତ ପିଲା ଅନ୍‌ଲାଇନ୍‌ ଶିକ୍ଷାଦ୍ଵାରା ଉପକୃତ ହେଉଥିବା ବେଳେ ୭୦ ପ୍ରତିଶତ ପିଲା ଏଥିରୁ ବଞ୍ଚିତ ରହିଛନ୍ତି। ଏଭଳି ସ୍ଥିତିରେ ଗଣଶିକ୍ଷା ବିଭାଗ ଓ ବୋର୍ଡ ମଧ୍ୟରେ ଆଲୋଚନା, ପର୍ଯ୍ୟାଲୋଚନା ପରେ ବିଜ୍ଞପ୍ତି ଜାରି ହେବା କଥା। ମାତ୍ର ସମନ୍ୱୟ ଅଭାବରୁ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି।କରୋନା ବିପତ୍ତି ସମୟରେ ସରକାର ସତର୍କତାର ସହ ଶୈକ୍ଷିକ କାର୍ଯ୍ୟକ୍ରମ ପରିଚାଳନା କରିବାର ଥିଲା। ଅନ୍‌ଲକ୍  ହେଲା, ହେଲେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଟିଉସନ୍ କଟକଣାମୁକ୍ତ କରିବାକୁ ସରକାର ପଛଘୁଞ୍ଚା ଦେଲେ। ତେବେ ବିନା ପାଠପଢ଼ାରେ ଫର୍ମ ପୂରଣ ନିଷ୍ପତ୍ତି ଗ୍ରହଣ କରିବା ଯଥାର୍ଥ ନୁହେଁ। ଏହାଦ୍ୱାରା ଶିକ୍ଷାର ମାନ ହ୍ରାସ ପାଉଛି ବୋଲି ଶିକ୍ଷାବିତ୍ ସୁକାନ୍ତ ମହାନ୍ତି ମତ ଦେଇଛନ୍ତି।

ସେକେଣ୍ଡାରୀ ବୋର୍ଡ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦୈତାରୀ ସାହୁଙ୍କ  କହିବାନୁସାରେ ଶତପ୍ରତିଶତ ଛାତ୍ରଛାତ୍ରୀ ଅନ୍‌ଲାଇନ୍ ପାଠପଢ଼ାରେ ସାମିଲ ହୋଇପାରିନଥିଲେ। ଏଭଳି ସ୍ଥିତିରେ ପାଠପଢ଼ା ହୋଇନି କିନ୍ତୁ ଫର୍ମ ପୂରଣ ନିଷ୍ପତ୍ତି ନିଆଯାଇଛି। ଏହା ଛାତ୍ରଛାତ୍ରୀଙ୍କ ଉପରେ ନିଶ୍ଚିତ ପ୍ରଭାବ ପକାଇଥାନ୍ତା।

ଶିକ୍ଷାବିତ୍ ବାନାମ୍ବର ଦାସଙ୍କ କହିବା କଥା, ପାଠପଢ଼ାକୁ ନେଇ ସମସ୍ତେ ଅନ୍ଧାରରେ ଥିବା ବେଳେ ବୋର୍ଡ କ’ଣ ପାଇଁ ତରବରିଆ ଭାବେ ଫର୍ମ ପୂରଣ ବିଜ୍ଞପ୍ତି ଜାରି କରି ପ୍ରହସନ କରୁଛନ୍ତି ତାହା ବୁଝା ପଡ଼ୁନି।

ଆସନ୍ତା ୯ ତାରିଖରୁ ୨୦୨୧ ମାଟ୍ରିକ୍ ପରୀକ୍ଷା ଫର୍ମପୂରଣ ପାଇଁ ବୋର୍ଡ ପ୍ରସ୍ତୁତି ଆରମ୍ଭ କରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ମଧ୍ୟ ଏନେଇ ପ୍ରଶ୍ନ ଉଠାଇଥିଲା।

Comment