ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଡିଏସ୍‌ (କମ୍ବାଇନ୍ଓ ଡିଫେନ୍ସ ସର୍ଭିସ-୨)ରେ ପ୍ରଥମ ଓଡ଼ିଆ ଝିଅ ଭାବେ ଟପ୍ପର ହୋଇଛନ୍ତି ଢେଙ୍କନାଳର ଅଦିତି ପରିଡ଼ା। ମାତ୍ର ୨୦ ବର୍ଷ ବୟସରେ ଦେଶ ସେବା ପାଇଁ ଆଗେଇ ଆସିଥିବା ଅଦିତିଙ୍କ ଇଚ୍ଛା ଦେଖି ଏବେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

ସିଡିଏସ୍‌ ପରୀକ୍ଷା-୨୦୧୯ର ମହିଳା ବର୍ଗରେ ମୋଟ୍‌ ୬୭ଜଣ କୃତିତ୍ୱ ହାସଲ କରିଥିବା ବେଳେ ଅଦିତି ୧ ନମ୍ବରରେ ଅଛନ୍ତି। ଏହି ସଫଳତା ପାଇବା ପରେ ଅଦିତିଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।

‘‘ମୋର ପିଲାବେଳୁ ଭାରତୀୟ ସେନାରେ କାମ କରିବାକୁ ଇଚ୍ଛା ଥିଲା। ସେଥିପାଇଁ କଲେଜରେ ପଢ଼ିବା ସମୟରେ ସିଡିଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ବାପା ସେନାରେ କାମ କରିଥିବାରୁ ଏଦିଗରେ ମୁଁ ଅଳ୍ପ ବହୁତ ଜାଣିଥିଲି। ସେଥିପାଇଁ ପ୍ରସ୍ତୁତି କରିବା ସହଜ ହୋଇଥିଲା’’,  କହିଛନ୍ତି ଅଦିତି।

ଅଦିତିଙ୍କ ବାପା ସେନା ବାହିନୀରେ ବ୍ରିଗେଡିୟର ଅଛନ୍ତି।  ତେଣୁ ପିଲାଟି ବେଳୁ ଆର୍ମି ପରିବେଶ ତାଙ୍କୁ ସେନାବାହିନୀ ସହିତ ଯୋଡ଼ି ହେବା ପାଇଁ ପ୍ରେରିତ କରିଥିଲା ବୋଲି ସେ କହିଛନ୍ତି।

‘‘ଝିଅମାନେ ଅଧିକ ସଂଖ୍ୟାରେ ସେନାରେ ଯୋଗ ଦେବା ଆବଶ୍ୟକ। କିନ୍ତୁ ସେମାନେ ଏହି ବିଷୟରେ କିଛି ବେଶି ଜାଣିପାରୁନଥିବାରୁ ଏ ଦିଗ ପ୍ରତି ଆଗଉ ନାହାନ୍ତି। ତେଣୁ ଝିଅମାନେ ସେନା ବିଷୟରେ ଜ୍ଞାନ ଆହରଣ କରନ୍ତୁ। ସେନାରେ ମୋ ଭଳି ଯୋଗ ଦେବା ପାଇଁ ଆଗେଇ ଆସନ୍ତୁ’’, କହିଛନ୍ତି ଅଦିତି।

Comment